ଦେବାଳିଆ ଅବସ୍ଥାରେ ୟେସ ବ୍ୟାଙ୍କ
ନୂଆଦିଲ୍ଲୀ : ଦେଶର ଅନ୍ୟତମ ପ୍ରତିଷ୍ଠିତ ଘରୋଇ ବ୍ୟାଙ୍କ ୟେସ ବ୍ୟାଙ୍କରେ ଆପଣ ପଇସା ଜମା କରିଛନ୍ତି କି? ତେବେ ଆପଣଙ୍କ ମୁଣ୍ଡରେ ଚଡକ ପଡିଲା ଜାଣନ୍ତୁ। ଆସନ୍ତା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଆପଣଙ୍କ ଖାତାରୁ ଆପଣ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ। ୟେସ ବ୍ୟାଙ୍କ ପରିଚାଳନାରେ ବ୍ୟାପକ ଅନିୟମିତତା ଓ ଆର୍ଥିକ ଦେବାଳିଆ ଅବସ୍ଥା ଆସି ଯାଇଥିବାରୁ, ଜମାକାରୀଙ୍କ ଅର୍ଥ ଉଠାଣ ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଲାଗୁ କରିଛି। ପୂର୍ବରୁ ପଞ୍ଜାବ ମହାରାଷ୍ଟ୍ର ସମବାୟ ବ୍ୟାଙ୍କରେ ଏ ପ୍ରକାର ସ୍ଥିତି ଉପୁଜିଥିଲା। ଦେଶର କୋଟି କୋଟି ସାଧାରଣ ଜନତା ନିଜର ଝାଳବୁହା ସଞ୍ଚୟକୁ ନେଇ ଏବେ ଘୋର ଆଶଙ୍କା ଭିତରେ ରହିଛନ୍ତି।
ରିଜର୍ଭ ବ୍ୟାଙ୍କର କଟକଣା ଅନୁସାରେ ୟେସ ବ୍ୟାଙ୍କରୁ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଉଠା ଯାଇପାରିବ ବୋଲି କୁହା ଯାଇଥିଲେ ମଧ୍ୟ ଗ୍ରାହକମାନେ ବିଲକୁଲ ଟଙ୍କାଟିଏ ବି ଏହି ବ୍ୟାଙ୍କରୁ ଉଠାଇ ପାରୁନଥିବାର ଅଭିଯୋଗ ଆସିଛି। ରିଜର୍ଭ ବ୍ୟାଙ୍କ ଇତି ମଧ୍ୟରେ ୟେସ ବ୍ୟାଙ୍କ ପ୍ରଶାସନକୁ ନିଜ ଅଧୀନକୁ ନେଇଛି। ଆସନ୍ତା ୩୯ ଦିନ ଭିତରେ ଟଙ୍କା ଉଠାଣ କଟକଣା ଉଠିଯିବ ବୋଲି କୁହା ଯାଉଥିଲେ ମଧ୍ୟ ଏହା ଜମାକାରୀଙ୍କ ମନରେ ଘୋର ଆଶଙ୍କା ସୃଷ୍ଟି କରିଛି।


