ମହାପ୍ରଭୁଙ୍କ ଟଙ୍କା ପ୍ରତି ବିପଦ ନାହିଁ: ପ୍ରତାପ ଜେନା
ଭୁବନେଶ୍ୱର: ୟେସ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ଟଙ୍କା ପ୍ରତି ବିପଦ ନାହିଁ । ୟେସ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ ଥିବା ଟଙ୍କା କୁଆଡେ଼ ଯିବନାହିଁ । ଟଙ୍କା ସମ୍ପୂର୍ଣ୍ଣ ନିରାପଦ ଅଛି । ଏଭଳି କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି ଯେ, ୟେସ ବ୍ୟାଙ୍କରେ ୨ଟି ଡିପୋଜିଟର ମାଚ୍ୟୁରିଟି ମାର୍ଚ୍ଚ ୧୬ ଓ ୨୯ରେ ପୂରିବ । ଏହା ପରେ ଜାତୀୟକରଣ ବ୍ୟାଙ୍କରେ ଟଙ୍କା ଡିପୋଜିଟର ବ୍ୟବସ୍ଥା ହେଉଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।
ପ୍ରକାଶ ଯେ, ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ନେଇ ବର୍ଷିଥିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଜାତୀୟ ବ୍ୟାଙ୍କରେ ଟଙ୍କା ନରଖି ଘରୋଇ ବ୍ୟାଙ୍କରେ କାହିଁକି ରଖାଗଲା ବୋଲି ସେ ପ୍ରଶ୍ନ କରିଥିଲେ । ଏମିତିକି ଏହା ପଛରେ ଉଦ୍ଦେଶ୍ୟ କ’ଣ ବୋଲି ପ୍ରଶ୍ନ କରି ଏହାର ନିରପେକ୍ଷ ତଦନ୍ତ କରାଯିବାକୁ ସେ ଦାବି କରିଥିଲେ । କେବଳ ସେତିକି ନୁହେଁ ମହାପ୍ରଭୁଙ୍କ ଟଙ୍କାକୁ ଏମିତି ହେରଫେର କଲେ ଆନ୍ଦୋଳନ କରାଯିବାକୁ ସୁର ରାଉତରାୟ ଚେତବାନୀ ଦେଇଥିଲେ । ସୁର ରାଉତରାୟଙ୍କ ପୂର୍ବରୁ ୟେସ ବ୍ୟାଙ୍କରେ ପୁରୀ ଶ୍ରୀମନ୍ଦିର ଟଙ୍କା ଜମା ପ୍ରସଙ୍ଗରେ ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ଉଦବେଗ ପ୍ରକାଶ କରିଥିଲେ । ୟେସ ବ୍ୟାଙ୍କରେ ପୁରୀ ଶ୍ରୀମନ୍ଦିର ଟଙ୍କା ଜମା କରିବା ଏକ ଭୁଲ ପଦକ୍ଷେପ ଥିଲା ବୋଲି ଶ୍ରୀ ମହାନ୍ତି କହିଥିଲେ । ସେ କହିଥିଲେ ଯେ, ଅଧିକ ସୁଧ ଲୋଭରେ ତତକାଳୀନ ଶ୍ରୀମନ୍ଦିର ପ୍ରଶାସକ ଟଙ୍କା ରଖିଛନ୍ତି । ଏହା ନିଶ୍ଚିତ ଭାବେ ଏକ ଭୁଲ ପଦକ୍ଷେପ ଥିଲା । ୟେସ ବ୍ୟାଙ୍କ ଦେବାଳିଆ ହେବା ନିଶ୍ଚିତରେ ଉଦବେଗଜନକ । ଆରବିଆଇ ସହ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ରଭାବେ ଆଲୋଚନା କରିବା ଉଚିତ । ମହାପ୍ରଭୁଙ୍କ ଟଙ୍କା କିପରି ଉଠାଣ ହେବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରନ୍ତୁ ବୋଲି ମହେଶ୍ୱର ମହାନ୍ତି କହିଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୟେସ୍ ବ୍ୟାଙ୍କ ଏବେ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି। ବ୍ୟାଙ୍କର ଏନପିଏ ପରିମାଣ ଲଗାତାର ବୃଦ୍ଧି ପାଉଥିବାରୁ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଅଗ୍ରସର ହେଉଛି। ବ୍ୟାଙ୍କର ପରିଚାଳନା କଷ୍ଟକର ହୋଇପଡ଼ିଛି। ଏଥିରେ ସୁଧାର ଆଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଜମାକାରୀଙ୍କ ଟଙ୍କା ଉଠାଣ ଉପରେ କଟକଣା ଲଗାଇଛି। କୌଣସି ଜମାକାରୀ ଗୋଟିଏ ମାସରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ ବୋଲି ନିୟମ ଲାଗୁ ହୋଇଛି। ତେବେ ଏହି ପରିପ୍ରେକ୍ଷୀରେ ୟେସ୍ ବ୍ୟାଙ୍କର ଅନ୍ୟତମ ପ୍ରମୁଖ ଜମାକାରୀ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ମହାପ୍ରଭୁଙ୍କ ନାମରେ ଏହି ବ୍ୟାଙ୍କରେ ଥିବା ଆକାଉଣ୍ଟରେ ୫୪୫ କୋଟି ଟଙ୍କା ଜମା ରହିଛି। ବର୍ତ୍ତମାନ ବ୍ୟାଙ୍କର ସଙ୍କଟଜନକ ସ୍ଥିତିକୁ ଦୃଷ୍ଟି ଦେଲେ ମହାପ୍ରଭୁଙ୍କ ଟଙ୍କା କିପରି ସୁରକ୍ଷିତ ରହିବ ତାହାକୁ ନେଇ ପ୍ରଶ୍ନ ଉଠିଛି। କିଛିଦିନ ତଳେ ସରକାର ଉକ୍ତ ବ୍ୟାଙ୍କରୁ ସମସ୍ତ ଟଙ୍କା ଉଠାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ କଟକଣା ଲାଗୁ ହୋଇଛି। ତେବେ ଏକ ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା କିପରି ରଖାଗଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେବାୟତ।


