ପ୍ରାଇଡ ମିସ୍ ଇଣ୍ଡିଆ ମୁକୁଟ ହାସଲ କଲେ ଶ୍ରେୟା ଶିବଦର୍ଶିନୀ
ବନ୍ତ (ଚାନ୍ଦିନୀ ମହାନ୍ତି): ଦିଲ୍ଲୀର ତାଜ୍ ଭିଭାନ୍ତ ହୋଟେଲ୍ରେ ଗତ ୨ ଦିନ ଧରି ଆୟୋଜିତ ପ୍ରାଇଡ ମିସ୍ ଇଣ୍ଡିଆ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲରେ ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସାହାଡାଗଢିଆ ଗ୍ରାମର ଶ୍ରେୟା ଶିବଦର୍ଶିନୀ ପଣ୍ଡା ବିଜୟିନୀ ହୋଇ ପ୍ରାଇଡ ମିସ୍ ଇଣ୍ଡିଆ-୨୦୨୬ ମୁକୁଟ ହାସଲ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି । ସେ ଡାକ୍ତର ତ୍ରିନାଥ ପଣ୍ଡା ଓ ମାତା ମିନତୀ ପଣ୍ଡାଙ୍କ ଏକମାତ୍ର କନ୍ୟା ଅଟନ୍ତି । ଏବେ ସେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ୨ୟ ବର୍ଷର ଛାତ୍ରୀ ଅଟନ୍ତି । ଦିଲ୍ଲୀରେ ୪ଟି ପର୍ଯ୍ୟାୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଭିନ୍ନ ରାଜ୍ୟରୁ ୧୨୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଶେଷରେ ଗ୍ରାଣ୍ଡ ଫାଇନାଲ୍ରେ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶ୍ରେୟା ଶିବଦର୍ଶିନୀ ବିଜୟିନୀ ହୋଇଥିଲେ । ଦୂରଦର୍ଶନ ଓ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତା ଓ ନିର୍ଦ୍ଦେଶକ ଅମନ ବର୍ମା ଶ୍ରେୟାଙ୍କୁ ମଞ୍ଚରେ ବିଜୟ ମୁକୁଟ ପିନ୍ଧାଇଥିଲେ । ଶ୍ରେୟାଙ୍କୁ ଉପହାର ସ୍ୱରୂପ ମୁକୁଟ, ମେଡାଲ୍ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଏହି ମର୍ଯ୍ୟଦା ଜନକ ସମ୍ମାନ ପାଇବାରେ ଶ୍ରେୟା ଓଡିଶାର ପ୍ରଥମ ପ୍ରତିଯୋଗୀ ଅଟନ୍ତି । ପ୍ରକାଶ ଥାଉକି, ସେ ୪ର୍ଥ ଶ୍ରେଣୀରେ ପାଠ ପଢୁଥିବା ବେଳେ ପାଠପଢା ସହିତ ବକୃତା, ରଚନା ଲେଖନୀ, ଚିତ୍ରକଳାରେ ପ୍ରଥମ ସ୍ଥାନ ଅଧିକାର କରି ନିଜର ପ୍ରତିଭା ପ୍ରତିପାଦନ କରି ଆସିଛନ୍ତି । ପୂର୍ବରୁ ସେ ଓଡିଶା ଓ ଛତିଶଗଡ ରାଜ୍ୟର ମିଳିତ ଆୟୋଜନରେ ଅନୁଷ୍ଠିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ପ୍ରମାଣପତ୍ର ଓ ଅର୍ଥରାଶି ପାଇବା ପରେ ତାଙ୍କର ଉତ୍ସାହ ବୃଦ୍ଧି ହୋଇଥିଲା । ପରେ ସେ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟଶିଳ୍ପୀ ଭାବେ ନେପାଳରେ ସମ୍ମାନିତ ହୋଇଥିବା ବେଳେ ଭୁବନେଶ୍ୱରର ମଦର ପବ୍ଲିକ ସ୍କୁଲରେ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଭାଷଣର ଓଡିଆ ଅନୁବାଦରେ ବକ୍ତୃତା ଦେଇ ଓଡିଶାର ପ୍ରାକ୍ତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଆଗକୁ ସର୍ବଭାରତୀୟ ସ୍ତରରେ ମେଡିକାଲ ପାଠ ସମାପ୍ତ ପରେ ଜଣେ ପ୍ରଶାସନିକ ଅଧିକାରୀ ହୋଇ ଲୋକମାନଙ୍କ ସେବା କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି ।


