ପ୍ରାଇଭେଟ ସ୍କୁଲ୍ରେ ବେଆଇନ୍ ପୁସ୍ତକ ବିକ୍ରି ଓ ମହଜୁଦ ଉପରେ ଡ଼ିଜିଙ୍କ କଡ଼ା ନିର୍ଦ୍ଦେଶ
ଭୁବନେଶ୍ୱର, : ବିଭିନ୍ନ ସ୍କୁଲ୍ରେ ବର୍ତ୍ତମାନ ବେଆଇନ୍ ଭାବରେ ସ୍କୁଲ୍ ପରିସରରେ ବହି ବିକ୍ରି କରାଯିବା ସହିତ କୋଟି କୋଟି ଟଙ୍କାର ବେସରକାରୀ ପ୍ରକାଶନ ସଂସ୍ଥାର ବହି ମହଜୁଦ କରି ରଖାଯାଇଛି । ଗତ ୬ ତାରିଖ ଦିନ ଓଡ଼ିଶା ଅଭିଭାବକ ମହାସଂଘର ଅନୁରୋଧ କ୍ରମେ ପୋଲିସ୍ ଡ଼ିଜି ଅଭୟ ସମସ୍ତ ଏସ୍.ପି. କମିଶନରମାନଙ୍କୁ ଏହି କ୍ରମରେ ବେଆଇନ୍ ପୁସ୍ତକ ବିକ୍ରି ଓ ମହଜୁଦକାରୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକ୍ରିୟାକୁ ସହଜ କରିବା ପାଇଁ ଆଜି ମହାସଂଘ ‘୭୦୭୭୦୧୮୮୮୮’ ନମ୍ବରକୁ ଅଭିଭାବକମାନଙ୍କ ପାଇଁ ନିଃଶୁଳ୍କ ଯୋଗାଯୋଗ ପାଇଁ ଘୋଷଣା କରାଯାଇଛି । ଯେକୌଣସିଠାରେ ପୁସ୍ତକ ସମ୍ବନ୍ଧୀୟ ଯେକୌଣସି ଅଭିଯୋଗକୁ ଅଭିଭାବକମାନେ ଅଭିଯୋଗ କଲେ ମହାସଂଘ ଏଥିରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଅଭିଯୋଗକୁ ଆଧାର କରି ମାନ୍ୟବର ନ୍ୟାୟାଳୟ ଓ ସରକାରୀସ୍ତରରେ ବେସରକାରୀ ବିଦ୍ୟାଳୟ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ସେମାନଙ୍କର ସ୍ୱୀକୃତି ପ୍ରତ୍ୟାହାର କରିବାକୁ ମଧ୍ୟ ମହାସଂଘ ପଛେଇବ ନାହିଁ । ଏହା ସହ ଶିକ୍ଷା ଅଧିକାର ଆଇନ୍ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନ୍ସିଇଆରଟି ପୁସ୍ତକ ପ୍ରଚଳନ ପାଇଁ ଅଭିଭାବକ ମହାସଂଘ ବହୁ ଦିନରୁ ଆନ୍ଦୋଳନ କରିଆସୁଛି । ଏନ୍ସିଇଆରଟି ପୁସ୍ତକ ପ୍ରଚଳନ ହେଲେ ଛାତ୍ରଛାତ୍ରୀମାନେ ବସ୍ତାନି ବୋଝରୁ ମୁକ୍ତ ହେବା ସହିତ ଅଭିଭାବକମାନେ ଆର୍ଥିକ ଶୋଷଣରୁ ମୁକ୍ତ ହେବେ । କିଛି ବିଦ୍ୟାଳୟରେ ବେଆଇନ୍ ଭାବରେ ଖାତା ଓ ଅନ୍ୟାନ୍ୟ ସାମଗ୍ରୀ ବଜାର ମୂଲ୍ୟ ଠାରୁ ବହୁ ଗୁଣରେ ବିକିବା ପାଇଁ ଅଭିଭାବକମାନଙ୍କୁ ବାଧ୍ୟ କରାଯାଉଛି ଯାହାଙ୍କ ମାନବ ସମ୍ବଳର ବିଭାଗର ନିର୍ଦ୍ଦେଶକୁ ବେଖାତିର ସଦୃଶ । ବିଭାଗର ନିର୍ଦ୍ଦେଶ ଅନୁଯାୟୀ ସ୍କୁଲ୍ର କର୍ତ୍ତୃପକ୍ଷ କୌଣସି ପାଠ୍ୟ ଜନିତ ସାମଗ୍ରୀ ବିକ୍ରି କରିପାରିବେ ନାହିଁ କି କୌଣସି ଅଭିଭାବକକୁ ବାଧ୍ୟ କରିପାରିବେ ନାହିଁ । ନିୟମ ଅନୁଯାୟୀ ସ୍କୁଲ୍ କର୍ତ୍ତୃପକ୍ଷ ବହିର ତାଲିକା ତାଙ୍କର ୱେବ୍ସାଇଟ୍ରେ ଅପ୍ଲୋଡ଼ କରିବା ସହିତ ନୋଟିସ୍ ବୋର୍ଡ଼ରେ ମାରିବେ । ଫଳରେ ଅଭିଭାବକମାନେ ନିଜର ସୁବିଧା ଅନୁସାରେ ବହି କିଣିବେ । କିଛି ସ୍କୁଲ୍ ଓ କିଛି ବେସରକାରୀ ସ୍କୁଲ୍ କିଛି ପ୍ରକାଶନ ସଂସ୍ଥାଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କାର ମୁନାଫା ପାଉଛନ୍ତି । ପାଠ୍ୟ ଖସଡ଼ା ଓ ଅନ୍ୟାନ୍ୟ ଜିନିଷ ବେଆଇନ୍ ବିକ୍ରିରୁ ସରକାର ମଧ୍ୟ କୋଟି କୋଟି ଟଙ୍କାର ଜି.ଏସ୍.ଟି ପାଇବାରୁ ବଞ୍ôଚତ ହେଉଛନ୍ତି । ଏହା ସହିତ ରାଜ୍ୟର ହଜାର ହଜାର ପୁସ୍ତକ ଦୋକାନୀ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନି ବେସରକାରୀ ସ୍କୁଲ୍ମାନେ ତୁରନ୍ତ ସଜାଗ ହୋଇଯାଆନ୍ତୁ । ଯେଉଁ ସ୍କୁଲ୍ ଏହାକୁ ନ ମାନିବେ ଆମେ ପୁଲିସ୍ ମାଧ୍ୟମରେ ତାଙ୍କୁ ତାଗିଦ କରିବା ସହିତ ପରବର୍ତ୍ତୀ ସମୟରେ ମଧ୍ୟ ହାଇକୋର୍ଟଙ୍କ ଦ୍ୱାରା ଚାଲିଥିବା ମାମଲାରେ ତାଙ୍କ ନାମରେ ଅଭିଯୋଗ କରି ତାର ସ୍ୱୀକୃତି ପ୍ରତ୍ୟାହାର ପାଇଁ ଆବେଦନ କରିବୁ । ଆଜି ଏହି କ୍ରମରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ-ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟ୍ଟନାୟକ, ସତ୍ୟବ୍ରତ ପରିଡ଼ା, ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ଉପାଧ୍ୟକ୍ଷ ନନ୍ଦକିଶୋର ମଲ୍ଲିକ, ଶିଶିର ସାହୁ, ସଭ୍ୟ ରଞ୍ଜନ ଦାସ ଓ ବ୍ରଜକିଶୋର ଥାକର, ଦେବଦତ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।