ଅଷ୍ଟ୍ରେଲିଆକୁ ପଞ୍ଚମ ମହିଳା ଟି-୨୦ ବିଶ୍ବକପ୍
ମେଲ୍ବର୍ଣ୍ଣ: ୨୦୨୦ ଆଇସିସି ମହିଳା ଟି-୨୦ ବିଶ୍ବକପ୍ରେ ଚାମ୍ପିଅନ୍ ହୋଇଛି ଆୟୋଜକ ଅଷ୍ଟ୍ରେଲିଆ। ଏହି ଦଳ ରବିବାର ଖେଳାଯାଇଥିବା ମହାମୁକାବିଲାରେ ଭାରତକୁ ୮୫ ରନ୍ର ବଡ଼ ବ୍ୟବଧାନରେ ପରାସ୍ତ କରି ପଞ୍ଚମ ଥର ପାଇଁ ଟାଇଟଲ୍ ଉପରେ କବ୍ଜା କରିଛି। ପ୍ରଥମେ ବ୍ୟାଟିଂ କରି ଦୁଇ ଓପନର ଆଲିଶା ହିଲି ଓ ବେଥ୍ ମୁନୀଙ୍କ ଦୁର୍ଦ୍ଧର୍ଷ ଇନିଂସ ବଳରେ ଭାରତ ଆଗରେ ୧୮୫ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା। ଏତେ ବଡ଼ ସ୍କୋର୍ ଚାପରେ ଭାରତ ପ୍ରାରମ୍ଭରୁ ଧୂଆଁଧାର ବ୍ୟାଟିଂ କରିବାକୁ ଉଦ୍ୟମ କରି ଶେଷରେ ମାତ୍ର ୯୯ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଆକର୍ଷଣୀୟ ଅର୍ଦ୍ଧଶତକ କରିଥିବା ହିଲି ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ଓ ମୁନୀ ପ୍ଲେୟର୍ ଅଫ୍ ଦ ସିରିଜ୍ ବିବେଚିତ ହୋଇଛନ୍ତି। ୨୦୧୦ରେ ଅଷ୍ଟ୍ରେଲିଆ ତା’ର ପ୍ରଥମ ଟାଇଟଲ୍ ଜିତିବା ପରେ ୨୦୧୨ରେ ଦ୍ବିତୀୟ, ୨୦୧୪ରେ ତୃତୀୟ ଓ ୨୦୧୮ରେ ଚତୁର୍ଥ ଥର ପାଇଁ ଚାମ୍ପିଅନ୍ ହୋଇପାରିଥିଲା। ଭାରତ ବିପକ୍ଷରେ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଚମତ୍କାର ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆ ଆଗରେ ଭାରତ ସମ୍ପୂର୍ଣ୍ଣ ଭାବେ ଫିକା ପଡ଼ିଯାଇଥିଲା। ତେଣୁ ହରମନ୍ପ୍ରୀତ୍ କୌର୍ଙ୍କ ନେତୃତ୍ବାଧୀନ ଭାରତକୁ ରନର୍ସଅପ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପକ୍ଷରୁ ହିଲି ଓ ମୁନୀ ୧୧.୪ ଓଭର୍ରେ ୧୧୫ ରନ୍ ଯୋଡ଼ି ଭାରତୀୟ ବୋଲର୍ଙ୍କୁ ନିର୍ଧୂମ୍ ପ୍ରହାର କରିଥିଲେ। ବିଶେଷକରି ହିଲୀ ମାତ୍ର ୩୦ ବଲ୍ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିବା ସହ ୩୯ଟି ବଲ୍ର ସମ୍ମୁଖୀନ ହୋଇ ୭୫ ରନ୍ କରି ପ୍ରଥମ ୱିକେଟ୍ ଭାବେ ବିଦାୟ ନେଇଥିଲେ। ତାଙ୍କର ଏହି ଧୂଆଁଧାର ଇନିଂସରେ ୭ଟି ଚୌକା ଓ ୫ଟି ଛକା ରହିଥିଲା। ହିଲି ବିଦାୟ ନେଇଥିଲେ ହେଁ ଇନିଂସର ମୁଣ୍ଡି ମାରିଥିଲେ ମୁନୀ। ସେ ୫୪ ବଲ୍ ଖେଳି ୧୦ଟି ଚୌକା ସହ ୭୮ ରନ୍ କରି ଅପରାଜିତ ରହିଥିଲେ। ଏହାଛଡ଼ା ଅଧିନାୟିକା ମେଗ୍ ଲାନିଙ୍ଗ୍ ୨ଟି ଚୌକା ସହାୟତାରେ ୧୬ ରନ୍ କରିଥିଲେ। ଭାରତ ପକ୍ଷରୁ ଦୀପ୍ତି ଶର୍ମା ୨ଟି ୱିକେଟ୍ ନେଇଥିଲେ। ବିଜୟ ପାଇଁ ଓଭର୍ ପିଛା ୯ରୁ ଅଧିକ ହାରରେ ରନ୍ ସଂଗ୍ରହର ଚାପ ଥିବାରୁ ଭାରତ ପ୍ରାରମ୍ଭରୁ ଏହି ରନ୍ ହାସଲ କରିବା ସକାଶେ ଉଦ୍ୟମ କରିଥିଲା। ଏହି ଉଦ୍ୟମରେ ଦଳ ପ୍ରତିଭାସମ୍ପନ୍ନ ଓପନର ଶେଫାଲି ବର୍ମାଙ୍କ ୱିକେଟ୍ ପ୍ରଥମ ଓଭର୍ରେ ହିଁ ହରାଇଥିଲା।
ଦ୍ବିତୀୟ ଓଭର୍ରେ ତାନ୍ୟା ଭାଟିଆ ରିଟାୟର୍ଡ ହର୍ଟ ହେବା ସହ ଜେମିମା ରଡରିଗ୍ସ ଦ୍ରୁତ ରନ୍ ସଂଗ୍ରହ କରିବାକୁ ଯାଇ ଆଉଟ୍ ହୋଇଥିଲେ। ପରେ ସ୍ମୃତି ମନ୍ଧାନା ଓ ଅଧିନାୟିକା ହରମନ୍ପ୍ରୀତ୍ କୌର୍ ଆଉଟ୍ ହେବାରୁ ଭାରତ ଦୌଡ଼ରୁ ବାଦ୍ ପଡ଼ିଥିଲା। ଶେଷରେ ଦଳ ୧୯.୧ ଓଭର୍ରେ ୯୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଦୀପ୍ତି ସର୍ବାଧିକ ୩୩ ରନ୍ କରିଥିବା ବେଳେ ବେଦା କ୍ରିଷ୍ଣମୂର୍ତ୍ତି ୧୯, ରୀଚା ଘୋଷ ୧୮ ଓ ମନ୍ଧାନା ୧୧ ରନ୍ କରିଥିଲେ। ଏମାନଙ୍କୁ ବାଦ୍ ଦେଲେ ଅନ୍ୟ କେହି ଦୁଇ ଅଙ୍କରେ ବି ପହଞ୍ଚି ପାରି ନ ଥିଲେ। ୧୬ ବର୍ଷୀୟା ଶେଫାଲି ମାତ୍ର ୨ ରନ୍ କରିଥିଲେ। ଏହାଛଡ଼ା ଅଧିନାୟିକା ହରମନ୍ପ୍ରୀତ୍ ମାତ୍ର ୪ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମେଗାନ୍ ସ୍କଟ୍ ୪ଟି ଓ ଜେସ୍ ଜୋନାସନ୍ ୩ଟି ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍ ଦେଖିବା ସକାଶେ ମେଲ୍ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ରେ ୮୬ ହଜାର ୧୭୪ ଜଣ ଦର୍ଶକ ଉପସ୍ଥିତ ଥିଲେ ଓ ଏହା ଏକ ରେକର୍ଡ। ପୂର୍ବରୁ କୌଣସି କ୍ରିକେଟ୍ ମ୍ୟାଚ୍ କିମ୍ବା କୌଣସି ମହିଳା କ୍ରୀଡ଼ାରେ ଏତେ ସଂଖ୍ୟକ ଦର୍ଶକ ହୋଇ ନ ଥିଲେ।