ସଡ଼କ ଦୁର୍ଘଟଣାରେ ୨ କଲେଜ ଛାତ୍ରଙ୍କ ସମେତ ୪ ଗୁରୁତର: ଥାନାକୁ ଚିଠି ଲେଖିଲେ ଅଧ୍ୟକ୍ଷ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଅପରାହ୍ନ ପ୍ରାୟ ୨ ଟାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ ରେ ପଢୁଥିବା ୨ ଛାତ୍ର ଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହାତ ଛାତ୍ର ଦ୍ବୟ ହେଲେ ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଡି. ସୁମିତ୍ ଦୋରା (୧୯) ଏବଂ ଗୋକର୍ଣ୍ଣପୁର ଗ୍ରାମର ଆର୍. ମନୋଜ ସ୍ବାମୀ(୨୦)। ଅନ୍ୟ ୨ ଆହାତ ଙ୍କ ପରିଚୟ ଜଣାପଡ଼ିନାହିଁ। ଛାତ୍ର ଦ୍ବୟ କଲେଜରେ କ୍ଲାସ ସରିବା ପରେ ବାଇକ୍ ଯୋଗେ ଫେରୁଥିବା ବେଳେ ପଛପଟୁ ଅନ୍ୟ ଏକ ବାଇକ ଦ୍ରୁତଗତି ରେ ଆସି ଛାତ୍ର ଙ୍କ ବାଇକ କୁ ଧକ୍କା ଦେଇଥିଲା।ସମସ୍ତେ ରାସ୍ତା ଉପରେ କଚାଡି ହୋଇ ପଡ଼ିଯାଇଥିଲେ। ସମସ୍ତ ଆହାତ ମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା। କଲେଜ ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥ ରେ ବାରମ୍ବାର ଦୁର୍ଘଟଣା ଘଟୁଛି।ସେଠାରେ ସ୍ପିଡ ବ୍ରେକର କିମ୍ବା ରମ୍ବଲ୍ସ ବ୍ୟବସ୍ଥା ନଥିବା କାରଣରୁ ଦୁର୍ଘଟଣା ଘଟୁଛି। ଏପରିକି ସିସିଟିଭି କ୍ୟାମେରା ନଥିବା କାରଣରୁ ଦୁର୍ଘଟଣା ପରେ ଖସି ଯାଉଥିବା ଗାଡ଼ି ଗୁଡ଼ିକ ସମ୍ପର୍କରେ କିଛି ଜଣାପଡୁନାହିଁ। ତେଣୁ ପୋଲିସ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାକୁ କଲେଜ ଅଧ୍ୟକ୍ଷ ଡ଼. ଅସିତ କୁମାର ଷଡଙ୍ଗୀ ଦିଗପହଣ୍ଡି ଥାନା ଅଧିକାରୀ ଙ୍କୁ ଚିଠି କରିଥିବା କହିଛନ୍ତି।


