କଟକରେ ଚାଞ୍ଚଲ୍ୟ! ମହିଳାଙ୍କୁ ପଥରରେ ଛେଚି ହତ୍ୟା
କଟକ, (ଓ୍ବାଇଏନଏସ): କଟକ ସହରର ସିଡ଼ିଏ ସେକ୍ଟର-୧୩ ଅଞ୍ଚଳରେ ଏକ ମହିଳାଙ୍କ ହତ୍ୟାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏକ ବନ୍ଦ ଘର ଭିତରୁ ମହିଳାଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ତେବେ ମୃତ ମହିଳା ଜଣକ କିଏ, ସେ କେଉଁଠାର ବାସିନ୍ଦା ଏବଂ କେଉଁ ପରିସ୍ଥିତିରେ ସେ ଏହି ଘରକୁ ଆସିଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେହିପରି ହତ୍ୟା ପଛର କାରଣକୁ ନେଇ ମଧ୍ୟ ରହସ୍ୟ ଲାଗିରହିଛି। ବ୍ୟକ୍ତିଗତ ଶତ୍ରୁତା, ପୂର୍ବ ବିବାଦ ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେ ଦିଗରେ ପୋଲିସ୍ ତଦନ୍ତ କରୁଛି। ସବୁଠୁ ବଡ଼ କଥା ହେଲା, ଘଟଣା ପରେ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି। ତେଣୁ ଅଭିଯୁକ୍ତଙ୍କ ପରିଚୟ ଜାଣିବା ସହ ତାଙ୍କୁ ଧରିବା ପାଇଁ ପୋଲିସ୍ ପକ୍ଷରୁ ତନାଘନା ଚାଲିଛି। ଘଟଣାସ୍ଥଳରୁ ମିଳୁଥିବା ବିଭିନ୍ନ ପ୍ରମାଣକୁ ଆଧାର କରି ପୋଲିସ୍ ତଦନ୍ତକୁ ଆଗକୁ ବଢ଼ାଉଛି। ମହିଳାଙ୍କ ମୃତ୍ୟୁ କେତେବେଳେ ହୋଇଛି, ତାଙ୍କ ଶରୀରରେ କେଉଁ ପ୍ରକାର ଆଘାତ ରହିଛି ଏବଂ ପଥର ହିଁ ହତ୍ୟାରେ ବ୍ୟବହୃତ ହୋଇଛି କି ନାହିଁ, ତାହା ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହେବ। ଏପଟେ ଜନବସତି ପୂର୍ଣ୍ଣ ସିଡ଼ିଏ ଅଞ୍ଚଳରେ ଏଭଳି ହତ୍ୟାକାଣ୍ଡ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ମହିଳାଙ୍କ ପରିଚୟ ଓ ହତ୍ୟା ପଛର ରହସ୍ୟ ଉପରୁ ପରଦା ହଟାଇବା ଏବେ ପୋଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।


