ସ୍ୱାସ୍ଥ୍ୟ ସଚିବଙ୍କ ପରାମର୍ଶ
ଭୁବନେଶ୍ୱର:ସମଗ୍ର ଦେଶ ସମେତ ଓଡ଼ିଶାରେ ମଧ୍ୟ ରଙ୍ଗର ପର୍ବ ହୋଲି ପାଳନ ହେବ। କିନ୍ତୁ ଚଳିତ ବର୍ଷ କରୋନା ଭାଇରସ ପାଇଁ ହୋଲି ପର୍ବ ନେଇ ଉତ୍ସାହ ଦେଖାଯାଉ ନାହିଁ। ଜ୍ୱର,ଥଣ୍ଡା ଓ କାଶ ହେଉଥିଲେ ଆଦୌ ହୋଲି ଖେଳନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପରାମର୍ଶ ଦେଇଛନ୍ତି।କରୋନା ଭାଇରସ ପାଇଁ ହୋଲି ସତର୍କତା ନେଇ ସ୍ୱାସ୍ଥ୍ୟ ସଚିବ ଶ୍ରୀ ଧଳ କହିଛନ୍ତି, ଏକାଠି ହୋଇ ଗୋଷ୍ଠୀଗତ ଭାବେ ହୋଲି ନଖେଳିଲେ ଭଲ। ସେହିଭଳି ଗୋଟିଏ ସ୍ଥାନରେ ବହୁ ଲୋକ ଏକାଠି ହୋଇ ନ ଖାଆନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ମୁହଁରେ ରଙ୍ଗ ଲଗାନ୍ତୁ ନାହିଁ କି, ହାତ ମିଳାନ୍ତୁନି। ସେହିପରି ହୋଲି ଖେଳ ସମୟରେ ଆଲିଙ୍ଗନ ନକଲେ ଭଲ।ଗତକାଲି ସ୍ୱାସ୍ଥ୍ୟ ସଚିବ ଶ୍ରୀ ଧଳ କହିଥିଲେ, କରୋନା ଭାଇରସ ନେଇ ଭୟଭୀତ ହେବାର କାରଣ ନାହିଁ। ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସ୍ୱାସ୍ଥ୍ୟ ସଚିବ କହିଥିଲେ, ସୁସ୍ଥ ବ୍ୟକ୍ତିଙ୍କ ପାଇଁ ମାସ୍କର ଆବଶ୍ୟକତା ନାହିଁ। ତେଣୁ ଆକ୍ରାନ୍ତ ହେଲେ ଅଥବା ଲକ୍ଷଣ ଦେଖାଗଲେ ମାସ୍କ ବ୍ୟବହାର କରାଯିବା ଦରକାର। କରୋନା ଲକ୍ଷଣ ଦେଖାଗଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୧୪ ଦିନ ପାଇଁ ଆଇସୋଲେସନରେ ରଖାଯାଉଛି। ପ୍ରତ୍ୟେକ ବ୍ୟକ୍ତି ଯେତେବେଳେ ବାହାରୁ ଆସୁଛନ୍ତି, ପ୍ରଥମେ ହାତ ଧୂଅନ୍ତୁ।