ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ : ସ୍ୱାମୀ ଜେଲ୍ ଗଲେ

ହିଂଜିଳିକାଟୁ, (ଶେଷଦେବ ସାହୁ): ଅଧିକ ଯୌତୁକ ଦାବୀ କରି ସ୍ତ୍ରୀ କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ପରିଶେଷରେ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଜଣକ ହିଂଜିଳି ଥାନା ଆଙ୍କୋରଡ଼ା ଗ୍ରାମର ପ୍ରଶାନ୍ତ କୁମାର ସ୍ୱାଇଁ (୩୬) । ଏ ନେଇ ନଂ- ୧୨୫/୧୯ ରେ ଏକ ମାମଲା ରୁଜୁ କରି ସ୍ୱାମୀଙ୍କୁ ଜେଲ ହାଜତକୁ ପଠାଇଛି ।ପ୍ରକାଶ ଯେ, ହିଂଜିଳିକାଟୁ ପୌରାଂଚଳ ଆକୁଳ ସ୍ୱାଇଁଙ୍କ ପୁଅ ପ୍ରଶାନ୍ତ ସହ ପାଟପୁର ଥାନା ଗମ୍ଭାରିଗୁଡ଼ା ଗ୍ରାମର ଡ଼ାକ୍ତର ଜେନାଙ୍କ ଝିଅ ମଧୁମିତା ସହ ଗତ ୨୦୧୩ ମସିହା ମଇ ମାସ ୨୯ ତାରିଖରେ ବିବାହ ହୋଇଥିଲା । ବିବାହର କିଛି ମାସ ପରେ ଶଶୁର ଘର ଲୋକେ ଅଧିକ ଯୌତୁକ ଦାବୀ କରି ମଧୁମିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବାରୁ ମଧୁମିତା ବହୁ ସମୟରେ ବାପା ଘରେ ରହି ଆସୁଥିଲେ । ଚଳିତ ମାସ ୧୪ ତାରିଖରେ ପ୍ରଶାନ୍ତ, ସ୍ତ୍ରୀ କୁ ନେଇ ବୁଲିବା ପାଇଁ ହାଇଦ୍ରାବାଦ ଯାଇଥିବା ବେଳେ ରାତି ପ୍ରାୟ ୧୧ ଟାରେ ରହିଥିବା ଏକ ହୋଟେଲ ରୁମ ମଧ୍ୟରେ ମଧୁମିତାଙ୍କ ମୃତ୍ୟୁ ଘଟିଥିଲା । ଘଟଣା ନେଇ ପ୍ରଶାନ୍ତ, ଶଶୁର ଘର ଲୋକଙ୍କୁ ଖବର ଦେଇଥିଲେ । ଏ ନେଇ ହାଇଦ୍ରାବାଦ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ବ୍ୟବଛେଦ କରିଥିଲେ । ପ୍ରଶାନ୍ତ କୌଶଳ କ୍ରମେ ସ୍ତ୍ରୀ ମଧୁମିତାକୁ ବୁଲିବା ପାଇଁ ଡ଼ାକି ନେଇ ଅଧିକ ଯୌତୁକ ଦାବୀ କରି ହତ୍ୟା କରିଥିବା ନେଇ ଝିଅର ବାପା ହିଂଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତିରେ ହିଂଜିଳି ପୋଲିସ ହାଇଦ୍ରାବାଦରେ ପଂହଚି ପ୍ରଶାନ୍ତକୁ ଗିରଫ କରିଛି । ବିବାହ ସମୟରେ କନ୍ୟା ଘର ପକ୍ଷରୁ ଦିଆଯାଇଥିବା ଯୌତୁକକୁ ପୋଲିସ ଉଦ୍ଧାର କରି ଝିଅର ବାପା ଘରକୁ ଜିମା ଦିଆଯାଇଛି । ଅନ୍ୟପକ୍ଷରେ ପ୍ରଶାନ୍ତ, ସ୍ତ୍ରୀଙ୍କୁ ହତ୍ୟା କରିନଥିବା ନେଇ କହିଛନ୍ତି । ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ