କଟକରେ ଚାଞ୍ଚଲ୍ୟ ! ଘରୋଇ କଲେଜରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କଟକ, (ଓ୍ବାଇଏନଏସ): କଟକରେ ଘରୋଇ କଲେଜ ଛାତ୍ରଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ । ଝୁଲନ୍ତା ଅବସ୍ଥାରେ ମିଳିଲା ୧୭ ବର୍ଷୀୟ ଛାତ୍ରଙ୍କ ମୃତଦେ ହ। ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ଏପଟେ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, କଟକ ସିଡିଏ ଅଞ୍ଚଳରେ ଥିବା ଏକ ଘରୋଇ କଲେଜରେ ଗତକାଲି ରାତିରେ ଏହି ଦୁଃଖଦ ଘଟଣା ଘଟିଛି । ମୃତ ଛାତ୍ର ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଶଙ୍କରପୁର ଅଞ୍ଚଳର ଚିନ୍ମୟ କୁମାର ସାହୁ । ତାଙ୍କ ବୟସ ୧୭ ବର୍ଷ । ଚିନ୍ମୟ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ବିଜ୍ଞାନ ଛାତ୍ର ଥିଲେ । ଗତକାଲି ରାତିରେ କଲେଜ ପରିସରରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବା ସୂଚନା ରହିଛି । ଘଟଣା ପରେ ଚିନ୍ମୟଙ୍କ ପରିବାରକୁ ଖବର ଦିଆଯାଇଥିଲା । ପରେ ପରିବାର ପକ୍ଷରୁ ଫେଜ୍-୨ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ତେବେ ଘଟଣାକୁ ନେଇ ଚିନ୍ମୟଙ୍କ ପରିବାର ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ ପୁଅଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଏହା ହତ୍ୟା ନା ଅନ୍ୟ କୌଣସି କାରଣରୁ ଛାତ୍ରଙ୍କ ମୃତ୍ୟୁ ହୋଇଛି, ସେନେଇ ତଦନ୍ତ ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ । ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଏବେ ତଦନ୍ତର ବିଷୟ । ଚିନ୍ମୟଙ୍କ ଅକାଳ ମୃତ୍ୟୁରେ ପରିବାର ଓ ପରିଚିତଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।


