ଦାଦା ବଟିକୁ କେନ୍ଦ୍ର କରି ଟେନ୍ଟ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଉଦ୍ୟମ
ଯୋଡ଼ା (ଯୁଗାଦ୍ଦ) : ସହରର ଗଣେଶ ଭବନ ନିକଟସ୍ଥ ମାଡ୍ରାସ୍ ହଟିଂଠାରେ ଦାଦା ବଟି ଆଦାୟ ନେଇ ଜଣେ ଟେନ୍ଟ ମାଲିକଙ୍କୁ ଭୁଜାଲି ଦ୍ୱାରା ମରଣାନ୍ତକ ଆକ୍ରମଣ ଉଦ୍ୟମ କରିବା ସହିତ ଅନ୍ୟ ଜଣେ ମହିଳାଙ୍କୁ ଅସଦ ବ୍ୟବହାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ, ବୁଧବାର ରାତି ପ୍ରାୟ ୮ଟା୧୦ ମିନିଟ୍ ସମୟରେ ମାଡ୍ରାସ୍ ହଟିଂର ଟେନ୍ଟ ମାଲିକ ଅନନ୍ତ ପଟ୍ଟନାୟକଙ୍କୁ ସେହି ହଟିଂର କ୍ରୀଷ୍ଣା ଲୋହାର ଦାଦା ବଟି ମାଗିଥିଲେ । ମାତ୍ର ଅନନ୍ତ ପଟ୍ଟନାୟକ ଦାଦା ବଟି ନଦେଇ ନିକଟରେ ଥିବା ଲକ୍ଷ୍ମୀପ୍ରିୟା ସାହୁ ନାମ୍ନୀ ମହିଳାଙ୍କ ଦୋକାନକୁ ଚାଲିଯାଇଥିଲେ । କ୍ରୀଷ୍ଣା ଲୋହାର ମଧ୍ୟ ତାଙ୍କ ପଛେ ପଛେ ଯାଇ ଲକ୍ଷ୍ମୀପ୍ରିୟା ସାହୁଙ୍କ ଦୋକାନରେ ଠିଆ ହୋଇଥିବା ଅନନ୍ତ ପଟ୍ଟନାୟକଙ୍କ ବେକରେ ଭୁଜାଲି ଲଗାଇ ଜୀବନରେ ମାରିଦେବାର ଧମକ ଦେଇଥିଲେ । ଏହି ସମୟରେ ଉପସ୍ଥିତ ଥିବା ଦୋକାନ ମାଲିକାଣୀ ଲକ୍ଷ୍ମୀପ୍ରିୟା ସାହୁ ଏଥିରେ ବାରଣ କରିବାରୁ କ୍ରୀଷ୍ଣା ଲୋହାର ତାଙ୍କୁ ହାତକୁ ଟାଣି ଧରି ଘୋଷାରି ନେବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏ ନେଇ ମହିଳା ଲକ୍ଷ୍ମୀପ୍ରିୟା ଓ ଟେନ୍ଟ ମାଲିକ ଅନନ୍ତ ପଟ୍ଟନାୟକ ଲିଖିତ ଭାବେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହନଚି ଅଭିଯୁକ୍ତ କ୍ରୀଷ୍ଣା ଲୋହାରକୁ ଉଠାଇ ନେଇ ଏହାର ତଦନ୍ତ ଆରମ୍ଭ କରିଛି ।


