ବାଲ୍ମୀକି ଜୟନ୍ତୀରେ ସ୍ୱଚ୍ଛତା ଅଭିଯାନ
ହାଟଡିହି, (ଓ୍ବାଇଏନଏସ): ମହର୍ଷି ବାଲ୍ମୀକିଙ୍କ ଜୟନ୍ତୀ ଅବସରରେ ରବିବାର ସକାଳ ୯ଟାରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ବାଲିବରେଇ ମଣ୍ଡଳ ଅନ୍ତର୍ଗତ ସୋସୋ ବଜାରରେ ଏକ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନରେ ବିଜେପି କର୍ମକର୍ତ୍ତାଙ୍କ ସମେତ ଶତାଧିକ ମହିଳା ସାମିଲ ହୋଇ ସଫେଇ କାର୍ଯ୍ୟ ମାଧ୍ୟମରେ ସ୍ୱଚ୍ଛତାର ବାର୍ତ୍ତା ପ୍ରଚାର କରିଥିଲେ। ମଣ୍ଡଳ ସଭାନେତ୍ରୀ ଟିକି କିସ୍କୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁରର ବିଜେପି ନେତା ଆଲୋକ ସେଠୀ, ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ, ବିଜେପି ନେତା ଯୁଧିଷ୍ଠିର ମଲ୍ଲିକ, ହରମୋହନ ଶାସିନି, ସରପଞ୍ଚ ରାଜକୁମାର ଦାସ, ଶ୍ୱେତପଦ୍ମା ନାୟକ, ରାଜେନ୍ଦ୍ର ପାତ୍ର, ରାଜେନ୍ଦ୍ର ରାଉତ, ଭୀମସେନ ପେରେଇ, କୁଳମଣି ରାଉତ, ଗୋବିନ୍ଦ ଚନ୍ଦ୍ର ରାଉତ ଓ ରଞ୍ଜିତ ଖମାରୀଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଯୋଗଦେଇଥିଲେ। ଏହି ଅବସରରେ ଉପସ୍ଥିତ କର୍ମକର୍ତ୍ତା ଓ ମହିଳାମାନେ ସୋସୋ ଯଜ୍ଞ ମଣ୍ଡପଠାରୁ ସୋସୋ ଗ୍ରାମ ପର୍ଯ୍ୟନ୍ତ ସଫେଇ କରିଥିଲେ। ରାସ୍ତାଘାଟ ଓ ସାର୍ବଜନୀନ ସ୍ଥାନଗୁଡ଼ିକୁ ସଫା ରଖିବା ସହ ପରିବେଶର ସ୍ୱଚ୍ଛତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରତ୍ୟେକ ପରିବାର ନିଜ ଘର ସହିତ ଘର ସମ୍ମୁଖ ଅଞ୍ଚଳକୁ ପ୍ରତିଦିନ ସଫାସୁତରା ରଖିଲେ ଗ୍ରାମର ପରିବେଶ ନିର୍ମଳ ରହିବା ସହ ଗାଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ। ଏଥିପାଇଁ ପ୍ରତ୍ୟେକ ନାଗରିକ ନିଜ ନିଜ ସ୍ତରରେ ସ୍ୱଚ୍ଛତା ପ୍ରତି ସଚେତନ ହେବା ଆବଶ୍ୟକ ବୋଲି ଉପସ୍ଥିତ ଲୋକଙ୍କୁ ବାର୍ତ୍ତା ଦିଆଯାଇଥିଲା।


