ବୃହତ ପାନୀୟଜଳ ପ୍ରକଳ୍ପ ପାଇଁ ଜନଶୁଣାଣି
ହାଟଡ଼ିହି : ବୃହତ ପାନୀୟଜଳ ପ୍ରକଳ୍ପ ପାଇଁ ଢେଙ୍କା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଶୁଣାଣିକୁ ଡଙ୍ଗାଚୁଆ ଗ୍ରାମବାସୀମାନେ ବିରୋଧ କରିବା ସହିତ ତହସିଲଦାରଙ୍କୁ ଦାବିପତ୍ର ଦେଇଥିଲେ । ଢ଼େଙ୍କା ପଞ୍ଚାୟତର ସରପଞ୍ଚ ନିମାଇଁ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଜନଶୁଣାଣିରେ ହାଟଡିହି ତହସିଲଦାର ଗାୟତ୍ରୀ ସୋରେନ, ପାନୀୟଜଳ ଓ ପରିମଳ ବିଭାଗର ନିର୍ବାହୀଯନ୍ତ୍ରୀ ବଳରାମ ମିଶ୍ର, ସହକାରୀ ଯନ୍ତ୍ରୀ ବି.କେ ସେଠୀ, କନିଷ୍ଠଯନ୍ତ୍ରୀ ଉତ୍ସବ ଚନ୍ଦ୍ର ଜେନା, ରାଜସ୍ୱ ନିରିକ୍ଷକ ସନ୍ତୋଷ ନାୟକ, ସମାଜସେବୀ ତଥା ପୁର୍ବତନ ସମିତିସଭ୍ୟ ରବିନ୍ଦ୍ର କୁମାର ନାୟକ, ବର୍ତ୍ତମାନର ସମିତିସଭ୍ୟ ନାରାୟଣ ବେହେରା, ମନୋଜ ମହାନ୍ତି, ଗୋଲେଖ ଜେନା ପ୍ରମୁଖ ଯୋଗଦେଇ ବୃହତ ପାନୀୟ ଜଳ ପ୍ରକଳ୍ପଦ୍ଦ୍ୱାରା ଲୋକମାନେ କି ପ୍ରକାର ଉପକାର ପାଇପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ରାଜ୍ୟରେ ତିନୋଟି ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବାକୁ ଥିବାବେଳେ ଅନ୍ୟ ଦୁଇଟି ସ୍ଥାନରେ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାବେଳେ ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଭଗବାନକର, ରମା ଦେହୁରୀଙ୍କ ସମେତ ସ୍ଥାନୀୟ ୱାର୍ଡସଭ୍ୟସଭ୍ୟା ମାନେ ନିର୍ଦ୍ଧାରିତ ସଙ୍ଗମ ମୌଜାରେ କରିବାକୁ ସହମତି ଦେଇଥିବା ବେଳେ ଡଙ୍ଗାଚୁଆର ଲୋକମାନେ ଏହାକୁ ବିରୋଧ କରିଛନ୍ତି । ସେମାନଙ୍କ ଅଭିଯୋଗ ଯେ ପ୍ରସ୍ତାବିତ ସ୍ଥାନରେ ନକରି ଅନ୍ୟ ସ୍ଥାନରେ କରାଯାଉ ଆମେ ଏହି ପ୍ରକଳ୍ପକୁ ସ୍ୱାଗତ କରିବୁ ବୋଲି କହିଥିଲେ । ସଙ୍ଗମ ମୌଜାର ୯୯୫ନଂ ଖାତା ୨୨୯୭ ପ୍ଲଟରେ ୫ଏକର ପରିମିତ ଜମିରେ ଏହି ମେଗା ପ୍ରକଳ୍ପ ହେବ ତେଣୁ ଏହା ଦ୍ୱାରା ଗ୍ରାମବାସୀ ମାନଙ୍କର କୌଣସି ଅସୁବିଧା ହେବନାହିଁ ବୋଲି ଅଧିକାରୀ ମାନେ ସୁଚନା ଦେଇଥିଲେ । ପିଇଓ ନରହରି ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଢ଼େଙ୍କା ପଞ୍ଚାୟତର ୫ଶହରୁ ଉର୍ଦ୍ଧ ଲୋକ ଉପସ୍ଥିତ ଥିଲେ ।


