ଧଳା ଜହର ଜାଲରେ ହାଟଡିହି ଅଞ୍ଚଳ, ଟେର ପାଉନି ଅବକାରୀ ବିଭାଗ
ହାଟଡିହି, (ଓ୍ବାଇଏନଏସ): ହାଟଡିହି ଅଞ୍ଚଳରେ ଦିନକୁ ଦିନ ବ୍ରାଉନ ସୁଗାର ଭଳି ନିଶାଦ୍ରବ୍ୟର କାରବାର ବଢ଼ୁଥିବା ନେଇ ଅଭିଯୋଗ ଉଠିଛି। ଏହାର ସବୁଠାରୁ ଅଧିକ ପ୍ରଭାବ ଯୁବପିଢ଼ି ଉପରେ ପଡ଼ୁଥିବାରୁ ଅଭିଭାବକ ଓ ସଚେତନ ମହଲରେ ଚିନ୍ତା ବଢ଼ିଛି। ନିଶାସକ୍ତି ଯୁବକମାନଙ୍କୁ ଶିକ୍ଷା ଓ ରୋଜଗାର ଠାରୁ ଦୂରେଇବା ସହ ବିଭିନ୍ନ ଅସାମାଜିକ କାର୍ଯ୍ୟ ଆଡ଼କୁ ଠେଲି ଦେଉଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ହାଟଡିହି ବ୍ଲକର ଛେନାପଦି, ହାଟଡିହି, ଅଣାଛକ, ବିଦ୍ୟାଧରପୁର, ଚୋରଗଡ଼ିଆ ଛକ, ମୁଗୁପୁର, ବରାଙ୍ଗ ଛକ, ଶାଳଣିଆ, ଡଅଁର, ଡେଙ୍କା, ସଢ଼ା ଆଦି ଅଞ୍ଚଳରେ ନିଶାଦ୍ରବ୍ୟ କାରବାର ଚାଲୁଥିବା ଚର୍ଚ୍ଚା ହେଉଛି। ନିର୍ଦ୍ଦିଷ୍ଟ କେତେକ ବ୍ୟବସାୟୀଙ୍କ ମାଧ୍ୟମରେ ଏହି ନିଶାଦ୍ରବ୍ୟ ବିଭିନ୍ନ ସ୍ଥାନକୁ ପହଞ୍ଚୁଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଗୋଟିଏ ପୁଡ଼ିଆ ୩୫୦ରୁ ୪୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ରହିଛି। ଏହି କାରବାରର ଚେର ଭୁବନେଶ୍ୱର ଓ ବାଲେଶ୍ୱର ଭଳି ସହର ଅଞ୍ଚଳରୁ ହାଟଡିହିକୁ ଲମ୍ବିଥିବା ନେଇ ଅଭିଯୋଗ ହେଉଛି। କିଛି ଯୁବକ ବାହାର ଅଞ୍ଚଳରୁ ନିଶାଦ୍ରବ୍ୟ ଆଣି ଗାଁ ଗାଁରେ ଥିବା ବ୍ୟବସାୟୀଙ୍କ ନିକଟରେ ପହଞ୍ଚାଉଥିବା ନେଇ ମଧ୍ୟ ଆଲୋଚନା ହେଉଛି। ଏପରିକି ବାହାର ରାଜ୍ୟରୁ କାମ କରିବାକୁ ଆସୁଥିବା କିଛି ଯୁବକଙ୍କ ଭୂମିକା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଉଛି। ତେବେ ଏସବୁ ଅଭିଯୋଗର ସ୍ୱତନ୍ତ୍ର ତଦନ୍ତ ଆବଶ୍ୟକ ବୋଲି ସଚେତନ ମହଲ ମତ ଦେଇଛନ୍ତି। ଗତ କିଛିଦିନ ମଧ୍ୟରେ ହାଟଡିହି ଅଞ୍ଚଳରେ ଏକାଧିକ ବାର ନିଶାଦ୍ରବ୍ୟ ଜବତ ଘଟଣା ସାମ୍ନାକୁ ଆସିଥିବା ନେଇ ମଧ୍ୟ ଚର୍ଚ୍ଚା ରହିଛି। କିଛିଦିନ ତଳେ ମରୈଗାଁ ନିକଟରୁ ନନ୍ଦିପଦା ପୁଲିସ ଜଣେ ଯୁବକଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଥିବାବେଳେ ଜିଲ୍ଲାର ସ୍ୱତନ୍ତ୍ର ସ୍କ୍ବାର୍ଡ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏକାଧିକ ଯୁବକଙ୍କୁ ଗିରଫ କରିଥିଲା। କିନ୍ତୁ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ବି ବ୍ରାଉନ ସୁଗାର କାରବାର ଉପରେ ଏହାର କିଛି ପ୍ରଭାବ ପଡି ନାହିଁ। ଏବେ ବିଭିନ୍ନ ସ୍ଥାନରେ ଖୁଲାମ ଖୁଲା ଏହି ମାରାତ୍ମକ ନିଶା କାରବାର ଚାଲିଛି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯେ ଏତେସବୁ ଅଭିଯୋଗ ଓ ଘଟଣା ସତ୍ତ୍ୱେ ନିଶା କାରବାର ଉପରେ ନିୟମିତ ଓ ପ୍ରଭାବଶାଳୀ ନଜରଦାରି କାହିଁକି ହେଉନାହିଁ? ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଜବତ ଭଳି ଅଭିଯାନ ଚାଲୁଥିଲେ ମଧ୍ୟ ବ୍ରାଉନ ସୁଗାର ଭଳି ମାରାତ୍ମକ ନିଶାଦ୍ରବ୍ୟ ବିରୋଧରେ ଅଧିକ କଠୋର ଅଭିଯାନ ଆବଶ୍ୟକ ବୋଲି ଦାବି ହେଉଛି। ବିଶେଷକରି କଲେଜ ପଢ଼ୁଥିବା ଯୁବକମାନେ ଏହାର ଶିକାର ହେଉଥିବା ନେଇ ଚର୍ଚ୍ଚା ହେଉଥିବାରୁ ଅଭିଭାବକମାନେ ଅଧିକ ଚିନ୍ତିତ। ନିଶା କାରବାର ରୋକିବା ସହ ନିଶାସକ୍ତ ଯୁବକମାନଙ୍କୁ ପରାମର୍ଶ ଓ ପୁନର୍ବାସନ ମାଧ୍ୟମରେ ସାଧାରଣ ଜୀବନକୁ ଫେରାଇବା ଦିଗରେ ମଧ୍ୟ ପଦକ୍ଷେପ ଆବଶ୍ୟକ। ହାଟଡିହି ଅଞ୍ଚଳରେ ନିଶା କାରବାରର ଚେର ଖୋଜି ବାହାର କରିବା ସହ ଏଥିରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ନିୟମିତ ଚଢ଼ାଉ ପାଇଁ ଜିଲ୍ଲା ଅବକାରୀ ଅଧିକାରୀ ଓ ପୁଲିସ ପ୍ରଶାସନ ନିକଟରେ ଦାବି ହେଉଛି। ଯୁବପିଢ଼ିକୁ ଏହି ମାରାତ୍ମକ ନିଶାର କବଳରୁ ବଞ୍ଚାଇବା ଏବେ ସମସ୍ତଙ୍କ ପାଇଁ ଏକ ବଡ଼ ଦାୟିତ୍ୱ ପାଲଟିଛି।


