ଯୈାନ ଶୋଷଣରୁ ଶିଶୁଙ୍କୁ ସୁରକ୍ଷା ଅଧିନିୟମ ସମ୍ପର୍କିତ କର୍ମଶାଳା

ବାଲେଶ୍ୱର : ଯୈାନ ଶୋଷଣରୁ ଶିଶୁଙ୍କୁ ସୁରକ୍ଷା ଅଧିନିୟମ-୨୦୧୨ ଏବଂ କିଶୋର ନ୍ୟାୟ( ଶିଶୁ ଯତ୍ନ ଓ ସୁରକ୍ଷା) ଅଧିନିୟମ-୨୦୧୫ ସନ୍ଦର୍ଭରେ ଏକ ଦିନିକିଆ କର୍ମଶାଳା ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବାଲେଶ୍ୱର, ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାକୁ ଉପଜିଲ୍ଲାପାଳ ନୀଲୁ ମହାପାତ୍ର ଉଦଘାଟନ କରିଥିଲେ । ଶିଶୁମାନେ ଯେପରି କୌଣସି ପ୍ରକାର ଶୋଷଣର ଶିକାର ନ ହୁଅନ୍ତି ସେଥିପ୍ରତି ସମାଜ ଓ ପ୍ରଶାସନ ଯତ୍ନବାନ ହେବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ । ବିଶେଷତଃ ଯୌନ ଶୋଷଣରୁ ଶିଶୁଙ୍କୁ ସୁରକ୍ଷା ନିମନ୍ତେ ପ୍ରଣୀତ ଅଧିନିୟମର ଉପଯୁକ୍ତ କାର୍ଯ୍ୟକାରିତା ଲାଗି ଅଧିକାରୀମାନେ ତତ୍ପରତା ପ୍ରକାଶ କରିବା ଉପରେ ଉପଜିଲ୍ଲାପାଳ ମହାପାତ୍ର ଗୁରୁତ୍ୱାରୋପ କରିଥିିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବାନାର୍ଜୀ ପ୍ରସାଦ ଛୋଟରାୟ ଏଥିରେ ଯୋଗ ଦେଇ କୌଣସି ନିର୍ଯ୍ୟାତିତ ଶିଶୁ ଚିକିତ୍ସାଳୟକୁ ଆସିଲେ ତାର ଚିକିତ୍ସା ପ୍ରତି ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି କହିଥିଲେ । ଜିଲ୍ଲାର ସମସ୍ତ ପୋଲିସ ଥାନାର ମହିଳା ଓ ଶିଶୁ ଡେସ୍କର ଦାୟିତ୍ୱରେ ଥିବା ଅଧିକାରୀ-ଅଧିକାରିଣୀ, ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତା, ଚାଇଲ୍‌ଡ୍ ଲାଇନ୍‌ର ସଦସ୍ୟ ସଦସ୍ୟାମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ । ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶ୍ରୀ ଭାଗିରଥୀ ବାରିକ୍ ଅଧିନିୟମର ବିଭିନ୍ନ ଧାରା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଡିଏସପି ସଂଗ୍ରାମ କେଶରୀ ବେହେରା ଶିଶୁମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ଲାଗି ଆଇନରେ ରହିଥିବା ବିଭିନ୍ନ ପ୍ରାବଧାନ ଏବଂ ଦଣ୍ଡ ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଥିଲେ । ୧୮ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଶାରୀରିକ, ମାନସିକ ଓ ବୌଦ୍ଧିକ କ୍ଷେତ୍ରରେ ଯେପରି କୌଣସି ପ୍ରକାର ବାହ୍ୟ ପ୍ରଭାବ ଭାରାକ୍ରାନ୍ତ ନ କରେ ଏବଂ ସେମାନେ ଯେପରି କୌଣସି ପ୍ରକାର ଶୋଷଣର ଶିକାର ନ ହୁଅନ୍ତି ସେଥିପ୍ରତି ସମାଜର ପ୍ରତ୍ୟେକ ସ୍ତରରେ କଡା ଆଭିମୁଖ୍ୟ ଗ୍ରହଣ କରିବା, ଏଥିପ୍ରତି ସଜାଗ ଦୃଷ୍ଟି ରଖିବା ଓ ଜନଜାଗରଣ ସୃଷ୍ଟି କରିବା ଉପରେ ଶିଶୁ ସୁରକ୍ଷା ବିଶେଷଜ୍ଞ ଶତ୍ରୁଘ୍ନ ମଲ୍ଲିକ ଓ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟା ଶ୍ରୀମତି ଗୌରିରାଣୀ ଉପାଧ୍ୟାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ତାଲିମ୍ ପ୍ରଦାନ, ତାଲିମର ରୂପରେଖ ପ୍ରସ୍ତୁତ, ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା, ମାର୍ଗଦର୍ଶିକା ପ୍ରସ୍ତୁତ ଭଳି କେତେକ ଉପାଦେୟ ତଥ୍ୟ ଉପରେ ଏହି କର୍ମଶାଳାରେ ବିଷଦ ଆଲୋଚନା କରାଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀ ପ୍ରାରମ୍ଭିକ ଅଭିଭାଷଣ ରଖିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସଂଯୁକ୍ତା ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ଶିଶୁ ଯତ୍ନ ଓ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର କର୍ମକର୍ତାମାନେ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ