ଡିସେମ୍ବର ୨ରେ ସିପିଆଇର ଜେଲ୍ ଭରୋ ଆନ୍ଦୋଳନ
ବାଲେଶ୍ୱର, (ସରୋଜ ପଣ୍ଡା): କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର କେବଳ କ୍ଷମତା ଲୋଭରେ ଗଣତାନ୍ତ୍ରିକ ବ୍ୟବସ୍ଥାର ଅପବ୍ୟବହାର କରିଚାଲିଛନ୍ତି। ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ, ସ୍ୱାସ୍ଥ୍ୟସେବା, ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ। ଜନସାଧାରଣ ନିଜର ମୌଳିକ ଅଧିକାରରୁ ବଞ୍ôଚତ। ହଜାର ହଜାର ସରକାରୀ ପଦବୀ ଖାଲି ପଡ଼ୁଥିବା ବେଳେ ଉଚ୍ଚଶିକ୍ଷିତ ବେକାର ଯୁବକ ଯୁବତୀ ନିଯୁକ୍ତି ପାଇଁ ରାଜରାସ୍ତାରେ ଲଢ଼େଇ କରୁଛନ୍ତି। କେନ୍ଦ୍ର ସରକାର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କୁ ଅହେତୁକ ଅନୁକମ୍ପା ଦେଇ ଏସ୍ଆଇଆର ଜରିଆରେ ବୈଧ ଭୋଟରମାନଙ୍କ ନାମ ଭୋଟର ତାଲିକାରୁ କାଟି ସପକ୍ଷ ଭୋଟର ଲିଷ୍ଟ୍ ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କୁ ନିର୍ବାଚିତ କରାଇବାରେ ସକ୍ଷମ ହେଉଛନ୍ତି। ଖଣିଜ ସମ୍ପଦଭରା ଓଡ଼ିଶାର ଖଣି ଖାଦାନକୁ ଖଣିଜ ପଦାର୍ଥ ଓ ପ୍ରାକୃତିକ ସଂପଦ ଉନ୍ନୟନ ନିୟମ ତିଆରିକରି ଓଡ଼ିଶାର ଅଧିକାର ଓ ସଂଘୀୟ ବ୍ୟବସ୍ଥାକୁ ଧ୍ୱଂସ କରି ନିର୍ଦ୍ଦିଷ୍ଟ ଖଣି ମାଫିଆଙ୍କ ସ୍ୱାର୍ଥସାଧନ ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି। ଶହଶହ ବର୍ଷ ଧରି ଜନବସତି ଓ ଚାଷଜମି ଅଞ୍ଚଳକୁ ଇକୋ ସେନ୍ସିଟିଭିଟି ପରିସରଭୁକ୍ତ କରାଇ କୌଣସି ଉନ୍ନୟନ କାର୍ଯ୍ୟ କରାଇ ନଦେବା ଏବଂ ଜନସାଧାରଣଙ୍କ ଅଧିକାରକୁ କର୍ଣ୍ଣପାତ ନକରିବା ବିରୋଧରେ ଆସନ୍ତା ଡିସେମ୍ବର ୨ ତାରିଖରେ ଜେଲ୍ ଭାରୋ ଆନ୍ଦୋଳନକୁ ସଫଳ କରାଇବା ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବାଲେଶ୍ୱର ଜିଲ୍ଲା କମିଟିର ବରିଷ୍ଠ କାର୍ଯ୍ୟକାରୀ କମିଟି ସଦସ୍ୟ ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ପରିଷଦ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜିଲ୍ଲା କମିଟିର ସଂପାଦକ ଭାଗବତ ପ୍ରତିହାରୀ କାମଦାମର ରିପୋର୍ଟ, କେନ୍ଦ୍ର ଓ ରାଜ୍ୟ କମିଟିର ନିଷ୍ପତ୍ତି ତଥା ଜନବିରୋଧି କେନ୍ଦ୍ର ସରକାରଙ୍କ ବିରୋଧରେ ଜେଲଭରୋ ଆନ୍ଦୋଳନକୁ ସଫଳକରାଇବା ପାଇଁ ଆହ୍ୱାନ ଦେଇଥିଲେ। ଜିଲ୍ଲା ସହ ସଂପାଦକ ମାୟାଧର ନାୟକ, ସୋର ଜୋନ୍ ସଂପାଦକ, ଶଶିକାନ୍ତ ପଣ୍ଡା, ନୀଳଗିରି ଜୋନ୍ ସଂପାଦକ ବିଜୟ କୁମାର ସ, ରେମୁଣା ଜୋନ୍ ସଂପାଦକ ଦେବେନ୍ଦ୍ର ଜେନା, ସଦର ଜୋନ୍ ସଂପାଦକ ଯତୀନ୍ କୁମାର ପାତ୍ର, ଖଇରା ଜୋନ୍ ସଂପାଦକ, ମାନସ ମହାପାତ୍ର, ଟାଉନ୍ ଜୋନ୍ ସଂପାଦକ ଭରତ ସେଠୀ, ଶ୍ୟାମ ସୁନ୍ଦର ଜେନା, ଆଇନଜୀବୀ ନିରଞ୍ଜନ ପରିଡ଼ା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉତ୍କଳ ମହିଳା ସମିତି ଜିଲ୍ଲା ସଂପାଦିକା ବନ୍ଦନା ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


