ହିଂଜିଳି ବ୍ଳକର ବିଭିନ୍ନ ପଂଚାୟତରେ କରୋନା ସଚେତନତା କଲେ ଜିଲ୍ଲାପାଳ

ହିଞ୍ଜିଳିକାଟୁ, ୧୯ା୩ (ଶେଷଦେବ ସାହୁ): ପ୍ରାଣଘାତକ ଭୟଙ୍କର ରୋଗ କରୋନା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଂଟା ଭିଡ଼ିଛି । ଏହି ଉପଲକ୍ଷେ ଗୁରୁବାର ପୂର୍ବାହ୍ନରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ହିଂଜିଳି ବ୍ଳକ ପୋଚିଲିମା ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ପଂହଚିଥିଲେ । କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ପଂଚାୟତ କାର୍ଯ୍ୟାଳୟରେ ପଂହଚି ସାବୁନରେ ପ୍ରଥମେ ନିଜ ହାତକୁ ଧୋଇବା ସହ ଭୟାବହ ଓ ମାରାତ୍ମକ ରୋଗ କରୋନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ସହ ଏହି ରୋଗରୁ କିପରି ନିଜକୁ ଦୂରେଇ ରଖିବେ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ । ରୋଗଠାରୁ ଦୂରେଇବା ପାଇଁ ବାରମ୍ବାର ସାବୁନରେ ହାତ ଧୋଇବା ସହ ମୁହଁରେ ମାସ୍କ ବ୍ୟବହାର ଓ ବାହାରେ ବହୁ ସମୟ ବୁଲାବୁଲି ନକରିବା, ଜ୍ୱର, ଥଣ୍ଡା,କାଶ ହେଲେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ ନେବାକୁ ଲୋକଙ୍କୁ କହିଥିଲେ । ଅଂଚଳର ବହୁ ଯୁବକ ରାଜ୍ୟ ବାହାରେ ତଥା ଦେଶ ବାହାରେ ରହୁଥିବାରୁ ସେମାନେ ସଂମ୍ପ୍ରତି ବହୁଳ ଭାବେ ଗାଁ ମୁହାଁ ହୋଇ ଫେରୁଛନ୍ତି । ଏପରି ଭାବେ ଗାଁକୁ ଫେରୁଥିବା ଯୁବକଙ୍କସମ୍ପର୍କରେ ତୁରନ୍ତ ପ୍ରଶାସନକୁ ଅବଗତି କରିବା ସହ ସେମାନଙ୍କର ଡ଼ାକ୍ତରୀ ପରୀକ୍ଷା ପରିବାର ତଥା ପଡ଼ୋଶୀଙ୍କ ପକ୍ଷରୁ ଉଦ୍ୟମ କରିବା ଉଚିତ ବୋଲି କହିଥିଲେ । ମନ୍ଦିରକୁ ନଯିବା ସହ ପୋଖରୀକୁ ସ୍ନାନ ଶୌଚ ସକାଶେ ନଯିବାଲାଗି ପରାମର୍ଶ ଦେଇଥିଲେ । ଏହାଛଡ଼ା ବିଭିନ୍ନ ସଭା, ସମିତି, ଭୋଜିଭାତ ନକରିବା ସହ ଗୋଟିଏ ଜାଗାରେ ଏକତ୍ରିତ ନହେବାଲାଗି ଅନୁରୋଧ କରିଥିଲେ । ଏଥି ସହ ପ୍ରତି ପଂଚାୟତରେ ଥିବା ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ କରୋନା ରୋଗୀଙ୍କୁ ଚିକିତ୍ସା କରିବା ଲାଗି ସ୍ୱତନ୍ତ୍ର ଭାବେ ଏକ ପ୍ରକୋଷ୍ଠ ପ୍ରସ୍ତୁତ କରି ରଖାଯାଇଛି ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ହିତାଧିକାରୀଙ୍କୁ ଅଗ୍ରୀମ ୪ ମାସର ଏକକାଳୀନ ଭତା ପ୍ରଦାନ(ୱାର୍ଡ଼କୁ ୱାର୍ଡ଼ ବୁଲି ) ପ୍ରଦାନ କରିବା ସହ ପ୍ରତ୍ୟେକ ଖାଉଟି କାର୍ଡ଼ ଧାରୀଙ୍କୁ ୩ମାସର ରାସନ ପ୍ରଦାନ କରାଯିବ ବୋଲି କହିଥିଲେ । ଆୟୋଜିତ ବୈଠକରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ସରପଂଚ ଭାଣ୍ଡି ରବିନ୍ଦ୍ର, ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଆଇଆଇସି ଅଭିମନ୍ୟୁ ଦାସ, ବିଇଓ ବସନ୍ତ କୁମାର ପଣ୍ଡା, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ବହୁ ଶିକ୍ଷକ, ଅଙ୍ଗନୱାଡ଼ି, ଆଶା ଓ ଏଏନଏମ କର୍ମୀ ଉପସ୍ଥିତ ଥିଲେ । ପରେ ଜିଲ୍ଲାପାଳ କୁଲାଙ୍ଗେ ସ୍ଥାନୀୟ ବ୍ଳକର ମକରଝୋଳ, ବଡ଼ଖଣ୍ଡି, କଂଚୁରୁ, ଦାରୁଭଦ୍ରା, ଶାସନଆମ୍ବଗାଁ, ସିକିରି ପଂଚାୟତ କାର୍ଯ୍ୟାଳୟରେ ପଂହଚି ଜନ ସଚେତନତା ସୃଷ୍ଟି କରିଥିଲେ । ପରବର୍ତି ସମୟରେ ସ୍ଥାନୀୟ ପୋଲିସ, ବ୍ଳକ ଓ ତହସିଲ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ଳକର ଅବଶିଷ୍ଟ ପଂଚାୟତରେ କରୋନା ଭାଇରସ ସମ୍ପର୍କିତ ଜନ ସଚେତନତା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ