ସହିଦ ଲକ୍ଷ୍ମଣ ନାୟକଙ୍କ ଓଡ଼ିଶାର ପ୍ରଥମ ସ୍ମୃତି ସ୍ମାରକୀ ଉଦଘାଟିତ
ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ସମାଜ ସଂସ୍କାରକ ବିଶ୍ୱପ୍ରେମି ପଦ୍ମଶ୍ରୀ ବାବା ବଳିଆଙ୍କ ମାର୍ଗଦର୍ଶନରେ ମାଲକାନଗିରି ଜିଲ୍ଲାର ମହିଳା ମହା ବିଦ୍ୟାଳୟ ପରିସର ଓ ମାଥିଲି ଜଗନ୍ନାଥ ମନ୍ଦିର ପରିସରରେ ନିର୍ମିତ ହୋଇଥିବା ଶହୀଦ ବୀର ଲକ୍ଷ୍ମଣ ନାୟକଙ୍କ ସ୍ମୃତି ମନ୍ଦିର ଆଜି ଉଦଘାଟିତ ହୋଇ ସର୍ବସାଧାରଣ ଙ୍କ ପାଇଁ ଲୋକାର୍ପିତ କରାଯାଇଛି। ସାଧାରଣତଃ ବିଭିନ୍ନ ଦେବା ଦେବି ଙ୍କ ମନ୍ଦିର ପ୍ରତିଷ୍ଠା କରାଯାଉଥିବା ବେଳେ ଓଡ଼ିଶା ରେ ପ୍ରଥମ ଥର ମାଲକାନଗିରି ଜିଲ୍ଲା ରେ ଦୁଇଟି ସ୍ଥାନରେ ଶିହିଦ ଲକ୍ଷ୍ମଣ ନାୟକ ଙ୍କ ପ୍ରତିମୂର୍ତ୍ତି କୁ ମନ୍ଦିର ଭିତରେ ପ୍ରତିଷ୍ଠା କରି ପୂଜା କରିବା ଘଟଣା ଏହା ସମଗ୍ର ଓଡ଼ିଶା ଓ ଭାରତବର୍ଷ ରେ ବିରଳ ଦୃଶ୍ୟ । ଏହା ଦ୍ୱାରା ଦେଶ ମାତୃତ୍ଵ ପାଇଁ ଲଢ଼ି ଶିହଦ ହୋଇଥିବା ସଂଗ୍ରାମୀ ଓ ବୀର ପୁରୁଷ ଙ୍କ ପାଇଁ ଉପଯୁକ୍ତ ସମ୍ମାନ ହୋଇପାରିଛି। ମାଲକାନଗିରି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମାଥିଲି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ, ଓଡ଼ିଶାର ବିଖ୍ୟାତ ସମାଜ ସଂସ୍କାରକ,ବିଶ୍ବ ପ୍ରେମୀ ପଦ୍ମଶ୍ରୀ ବଳିଆ ବାବାଙ୍କ ମାର୍ଗ ଦର୍ଶନରେ ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୋମନାଥ ପ୍ରଧାନଙ୍କ କରକମଳରେ, ମାଲକାନଗିରି ମାଟିର ଅମର ସନ୍ତାନ ସହୀଦ ବୀର ଲକ୍ଷ୍ମଣ ନାୟକଙ୍କ ସ୍ମୃତି ମନ୍ଦିର ଉଦଘାଟିତ ହୋଇଯାଇଛି। ଏହି ଅନୁଷ୍ଠାନରେ ବାବା ବଳିଆ ଆଭାସୀ ମାଧ୍ୟମରେ ଓଡ଼ିଶା ବାସୀଙ୍କୁ ସହୀଦ ଲକ୍ଷ୍ମଣ ନାୟକଙ୍କ ସାହସିକତା, ଦେଶପ୍ରେମ, ତ୍ୟାଗ ଓ ସମର୍ପଣ ମନୋଭାବ ଠାରୁ ପ୍ରେରଣା ଲାଭ କରି, ଓଡ଼ିଶା ତଥା ଭାରତର ଉନ୍ନତି ନିମନ୍ତେ ନିଜକୁ ସମର୍ପିତ କରିବା ପାଇଁ ଉଦବୋଧନ ଦେଇଥିଲେ। ସେ ଆହୁରି କହିଥିଲେ ଯେ ଦେଶମାତୃକା ପାଇଁ ପ୍ରାଣବଳୀ ଦେଇଥିବା ଏହି ପରି ଅମର ସନ୍ତାନ ମାନଙ୍କ ପାଇଁ ମନ୍ଦିର ତୋଳି, ନିୟମିତ ପୂଜାର୍ଚ୍ଚନା କରିବା ସହିତ,ଦେଶ ପାଇଁ ସେମାନଙ୍କ ଅବଦାନ ଗୁଡ଼ିକ ମନେ ରଖି ସେଥିରେ ସମସ୍ତଙ୍କୁ ଉଦବୁଦ୍ଧ କରିବା ହିଁ ସେମାନଙ୍କ ପାଇଁ ପ୍ରକୃତ ସମ୍ମାନ ପ୍ରଦର୍ଶନ କୁହାଯାଇପାରିବ। ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ସହୀଦ ଲକ୍ଷ୍ମଣ ନାୟକଙ୍କ ସଗ୍ରାମୀ ଜୀବନୀ ଓ କର୍ମକାଣ୍ଡ ଉପରେ ଆଲୋକପାତ କରିଥିଲେ ଓ ମାଲକାନଗିରି ପରି ଦୁର୍ଗମ ଅଞ୍ଚଳରେ ଏମିତି ଜଣେ ମହାପୁରୁଷ ଜନ୍ମ ଗ୍ରହଣ କରିଥିବା କୌଣସି ଆଶ୍ଚର୍ଯ୍ୟ ଘଟଣା ଠାରୁ କମ୍ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନା, ମହିଳା ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା, ସତ୍ୟ ନାରାୟନ ଉଚ୍ଚ ମାଧ୍ୟମିକ ବିଜ୍ଞାନ ମହା ବିଦ୍ୟାଳୟ ର ମୂଖ୍ୟ ସଞ୍ଜୟ କୁମାର ପାଣିଗ୍ରାହି , ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସହିତ ଜିଲ୍ଲାର ବିଶିଷ୍ଠ ବ୍ୟକ୍ତିବିଶେଷ ଓ ଗଣ ମଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।


