ମୋ ଝିଅର ଆତ୍ମା ଏବେ ଶାନ୍ତିରେ ବିଶ୍ରାମ ନେବ’

ନୂଆଦିଲ୍ଲୀ: ‘ଶେଷରେ ୭ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ମୋ ଝିଅର ଆତ୍ମା ଏବେ ଶାନ୍ତିରେ ବିଶ୍ରାମ ନେବ’। ଆଜି ଏକଥା ଗଣମାଧ୍ୟମକୁ କହିଛନ୍ତି ‘ନିର୍ଭୟା’ଙ୍କ ମା’ ଆଶାଦେବୀ।ଦିଲ୍ଲୀର ପଟିଆଲା ହାଉସ ଅଦାଲତ ତୃତୀୟ ଥର ପାଇଁ ଜାରି କରିଥିବା ମୃତ୍ୟୁ ପରଓ୍ଵାନା ବା ‘ଡେଥ୍‌ ଓ୍ଵାରେଣ୍ଟ’ ଉପରେ ରହିତାଦେଶ ଜାରି କରିବା ପାଇଁ ନିର୍ଭୟା ଅପରାଧୀମାନଙ୍କ ପକ୍ଷରୁ ଆଗତ ମାମଲାକୁ ଖାରଜ କରିବା ସହ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଅପରାଧରେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ମୁକେଶ ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଓ ଅକ୍ଷୟ ସିଂହ (୩୧)କୁ ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ରେ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଜାରି କରିଥିବା ମୃତ୍ୟୁ ପରଓ୍ଵାନାର କାର୍ଯ୍ୟକାରୀତାକୁ ଅଦାଲତ ନିଶ୍ଚିତ କରିବା ପରେ ଏପରି ମନ୍ତବ୍ୟ ଦେଇଛନ୍ତି ଆଶଦେବୀ। ସେ କହିଛନ୍ତି, ଦୀର୍ଘ ୭ ବର୍ଷ ତଳୁ ଆରମ୍ଭ କରିଥିବା ମୋ ଲଢ଼େଇ ଏବେ ଶେଷ ହୋଇଛି। ଏବେ ମୁଁ ଶାନ୍ତିରେ ନିଶ୍ୱାସ ନେବି ଏବଂ ମୋ ଝିଅର ଆତ୍ମା ଶାନ୍ତିରେ ବିଶ୍ରାମ ନେବ।ସୂଚନାଯୋଗ୍ୟ, ୨୦୧୨ ଡିସେମ୍ବର ୧୬ରେ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଦିଲ୍ଲୀର ଏକ ଚଳନ୍ତା ବସରେ ୬ ଜଣ ଯୁବକ ଦୁଷ୍କର୍ମ କରିବା ସହ ଆକ୍ରମଣ କରି ଗୁରୁତର କରି ଦେଇଥିଲେ। ଗୁରୁତର ଅବସ୍ଥାରେ ସିଙ୍ଗାପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ନିର୍ଭୟାଙ୍କର ମୃତ୍ୟୁ ହୋଇଯାଇଥିଲା। ମୁକେଶ , ପୱନ, ବିନୟ ଏବଂ ଅକ୍ଷୟ କୁମାର ସମେତ ରାମ ସିଂହ ଓ ଅନ୍ୟ ଜଣେ ନାବାଳକ ଏଥିରେ ସମ୍ପୃକ୍ତ ଥିଲେ।୨୦୧୩ରେ ଏକ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍‌ କୋର୍ଟରେ ଏହି ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଶୁଣାଣି ଆରମ୍ଭ ହୋଇଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ରାମ ସିଂହ ତିହାର ଜେଲରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲା। ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସାମିଲ ଥିବା ନାବାଳକ ଦୋଷୀକୁ ୩ ବର୍ଷ ସୁଧାର ଗୃହରେ ରଖାଯିବା ପରେ ୨୦୧୫ରେ ମୁକ୍ତ କରି ଦିଆଯାଇଥିଲା। ଏବଂ ଏହି ଜଘନ୍ୟରୁ ଜଘନ୍ୟତମ ଅପରାଧରେ ସଂପୃକ୍ତ ଥିବା ମୁକେଶ ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଓ ଅକ୍ଷୟ ସିଂହ (୩୧)କୁ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରା ଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ