ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସହଯୋଗ କରନ୍ତୁ : ଧର୍ମେନ୍ଦ୍ର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଜନତା କର୍ଫ୍ୟୁ’ ଆହ୍ୱାନ ସମେତ ଓଡିଶା ସରକାରଙ୍କ ରାଜ୍ୟର ୫ ଜିଲ୍ଲା ଓ ୮ ସହର ମାର୍ଚ୍ଚ ୨୨ରୁ ମାର୍ଚ୍ଚ ୨୯ ଯାଏଁ ଲକ୍ ଡାଉନ୍ ଘୋଷଣାକୁ ରାଜ୍ୟବାସୀ ସହଯୋଗ କରିବାକୁ ସାମାଜିକ ଗଣାଧ୍ୟମରେ ଏକ ଭିଡିଓ ଜାରୀ କରି ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାମାରୀ କରୋନା ଆଜି ସମସ୍ତଙ୍କୁ ଚିନ୍ତାରେ ପକାଇଛି । ତେବେ ଏହାକୁ ମିଳିମିଶି ସମସ୍ତଙ୍କୁ ସାମ୍ନା କରିବାର ଆବଶ୍ୟକତା ରହିଛି । କେବଳ ସରକାର ନୁହେଁ ସମାଜର ମିଳିତ ସହଯୋଗରେ କରୋନା ସଂକ୍ରମଣର ସଫଳ ମୁକାବିଲା କରାଯାଇପାରିବ । ପ୍ରଧାନମନ୍ତ୍ରୀ ମୋଦି ଦେଶରେ ଆସନ୍ତାକାଲି ଅର୍ଥାତ୍ ରବିବାର ମାର୍ଚ୍ଚ ୨୨ ତାରିଖରେ ଜନତା କର୍ଫ୍ୟୁର ଆହ୍ୱାନ ଦେଇଛନ୍ତି । ଏହିଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣ ନିଜକୁ ନିଜ ଘର ଭିତରେ ସୀମିତ ରଖିବାକୁ ସେ ଆହ୍ୱାନ କରିଥିବା ବେଳେ ଓଡିଶାରେ ଏହି ଆହ୍ୱାନକୁ ଆହୁରି ସୁରକ୍ଷିତ କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଗୋଟିଏ ପାଦ ଆଗକୁ ଯାଇଛନ୍ତି । ଓଡିଶା ସରକାର ଇତିମଧ୍ୟରେ ରାଜ୍ୟର ୫ଟି ଜିଲ୍ଲା ଯଥା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳକୁ ମାର୍ଚ୍ଚ ୨୨ ତାରିଖରୁ ମାର୍ଚ୍ଚ ୨୯ ଯାଏଁ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏହାସହିତ ରାଜ୍ୟର ୮ଟି ସହର ଯଥା ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ଯାଜପୁର ରୋଡ୍‌, ଯାଜପୁର ଟାଉନ ଓ ଭଦ୍ରକ ସହରକୁ ଲକ୍ ଡାଉନ୍ କରାଯିବା ନେଇ ଘୋଷଣା କରିଛନ୍ତି । ଏହି ବିଶ୍ୱ ମହାମାରୀରୁ ବଂଚିବା ପାଇଁ ସାମାଜିକ ଦୂରତ୍ୱ ତଥା ଭିଡରୁ ଦୂରେଇ ରହିବାର ଆବଶ୍ୟକତା ରହିଛି । ତେଣୁ ରାଜ୍ୟର ଏହିସବୁ ଉପରୋକ୍ତ ୫ଟି ଜିଲ୍ଲା ଓ ୮ଟି ସହରରେ ବିଦେଶରୁ ଅଧିକ ଲୋକମାନେ ଫେରିଥିବାରୁ ଏହି ଅଂଚଳ ଗୁଡିକରେ କରୋନା ଭାଇରସ ବ୍ୟାପିବାର ଅଧିକ ସମ୍ଭାବନା ରହିଛି । ତେଣୁ ଏଥିରେ ସମସ୍ତଙ୍କୁ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ