ପେନସନ ଓ ସୁରକ୍ଷା ଆଇନ ଦାବିରେ ଉତ୍କଳ ସାମ୍ବାଦିକ ସଙ୍ଘ

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ବିକଶିତ ଭାରତର ସ୍ୱପ୍ନ ଦେଖାଉଛି ସରକାର, ହେଲେ ସେ ସ୍ୱପ୍ନକୁ ଗାଁ ଗାଁରେ ପହଞ୍ଚାଉଥିବା ସାମ୍ବାଦିକ ଆଜି ବି ବିକଶିତ ହୋଇନାହିଁ। ଏହି ଗର୍ଜନରେ ବୁଧ ବାର ଫାଟି ପଡିଲା ଖୁଣ୍ଟିଆ କନଭେନସନ ହଲ୍। ପୁରୀ ଜିଲ୍ଲା କାକଟପୁର ପ୍ରେସ କ୍ଲବର ଦ୍ୱିତୀୟ ବାର୍ଷିକ ଉତ୍ସବ ଓ ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘର କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟକ ତୁଷାରକାନ୍ତି ବେହେରା, ମୁଖ୍ୟ ବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସଭାପତି ବିଭୁତିଭୂଷଣ କର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ, ପ୍ରେସ କ୍ଲବ ସମ୍ପାଦକ ଆଦିତ୍ୟ ରାଉତ, ସଭାପତି କମଳଲୋଚନ ଦୀକ୍ଷିତ, ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ,ପ୍ରାତଃ ସମୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ସାଂସଦ ପ୍ରତିନିଧି ସୁଦର୍ଶନ ସ୍ୱାଇଁ, ବନାଞ୍ଚଳ ଅଧିକାରିଣୀ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ବିଭୁତିଭୂଷଣ କର ନିଜ ଅଭିଭାଷଣରେ ସରକାରଙ୍କୁ ସିଧା ପ୍ରଶ୍ନ କଲେ। କହିଲେ, ସରକାର ସୁଭଦ୍ରା ଯୋଜନାରେ ମା-ଭଉଣୀଙ୍କୁ ଖୁସି କରାଉଛନ୍ତି, ଏହା ଭଲ କଥା। ହେଲେ ପୂର୍ବ ସରକାର ହେଉ ବା ବର୍ତ୍ତମାନର ସରକାର, କେହି ବି ସାମ୍ବାଦିକଙ୍କୁ ଖୁସି କରିପାରିନାହାନ୍ତି। ସାଧାରଣ ଜନତାର ବିକାଶ କେବଳ କାଗଜରେ ହେଉଛି। ବିକଶିତ ଭାରତରେ ସାମ୍ବାଦିକ ଆଜି ବି ବିକଶିତ ହୋଇନି। ସବୁଠୁ ଦୁଃଖର କଥା, ଭାରତର ୫ଟି ରାଜ୍ୟ ସାମ୍ବାଦିକଙ୍କୁ ପେନସନ ଦେଉଛନ୍ତି, ବୀମା ଦେଉଛନ୍ତି, ହେଲେ ଓଡିଶା ଦେଉନାହିଁ। ସାମ୍ବାଦିକକୁ ଆକ୍ରମଣ ହେଲେ ପୋଲିସ ସାହାଯ୍ୟ କରୁନାହିଁ। ଥାନାରେ ଅଭିଯୋଗ ଶୁଣାଯାଉନି। ତେଣୁ ସାମ୍ବାଦିକ ସୁରକ୍ଷା ଆଇନ ଆଣିବା ନିହାତି ଦରକାର। ନହେଲେ ବିକଶିତ ଭାରତ ଅଧା ରହିଯିବ। ମୁଖ୍ୟ ଅତିଥି ବିଧାୟକ ତୁଷାରକାନ୍ତି ବେହେରା କହିଥିଲେ, ମୁଁ ଆପଣଙ୍କ ଯନ୍ତ୍ରଣା ବୁଝୁଛି। ଗଣମାଧ୍ୟମ ଚତୁର୍ଥ ନୁହେଁ, ପ୍ରଥମ ସ୍ତମ୍ଭ। ସାମ୍ବାଦିକ ବିନା ବିକଶିତ ଭାରତ ଅସମ୍ଭବ। ସୁରକ୍ଷା ଆଇନ ଓ ପେନସନ ପାଇଁ ମୁଁ ବିଧାନସଭାରେ ଜୋରଦାର ଭାବେ ଦାବି କରିବି। ଏହି ଉତ୍ସବର ହିରୋ ହେଲେ ଅସ୍ତରଙ୍ଗ ମିଡିଆ ଫୋରମ ସଭାପତି ବିଜୟ ବେହେରା। ସମୁଦ୍ର ଗର୍ଜନ ଭିତରେ ଡାଳୁଅକଣି, ଅଣକଣା ଗାଁ ଲୁପ୍ତ ହେବା ଆଶଙ୍କା, କେଳୁଣୀ ମୁହାଁଣ ବନ୍ଦ ଓ ମତ୍ସ୍ୟଜୀବୀଙ୍କ କାନ୍ଦକୁ ସରକାରଙ୍କ ନିକଟରେ ପହଞ୍ଚାଉଥିବା ଯୋଦ୍ଧାଙ୍କୁ ମଞ୍ଚରେ ସମସ୍ତେ ଠିଆ ହୋଇ କରତାଳି ଦେଇ ସମ୍ମାନ ଜଣାଇଥିଲେ। ଶେଷରେ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତିଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ କାକଟପୁର ପ୍ରେସ କ୍ଲବ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ