ସୁକମାରେ ନକ୍ସଲ୍‌ଙ୍କ ତାଣ୍ଡବଲୀଳା: ୧୭ ଯବାନ ଶହୀନ, ୧୪ ଆହତ

ରାୟପୁର: ଘାତକ କୋରୋନା ଭୂତାଣୁକୁ ସମୂଳେ ନାଶ କରିବା ସକାଶେ ସମଗ୍ର ଦେଶରେ ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳିତ ହେଉଥିଲେ ହେଁ ଛତିଶଗଡ଼ରେ ଏହି ନୀରବତାକୁ ଭଙ୍ଗ କରିଛି ନକ୍ସଲଙ୍କ ଗୁଳିଶବ୍ଦ। ନକ୍ସଲମାନେ ରାଜ୍ୟର ସୁକ୍‌ମା ଜିଲ୍ଲାରେ ଯବାନମାନଙ୍କ ଉପରକୁ ଗୁଳି ଚଳାଇ ୧୭ ଜଣଙ୍କୁ ହତ୍ୟା କରିଛନ୍ତି। ଏହାଛଡ଼ା ସେମାନଙ୍କ ଗୁଳିରେ ୧୪ ଜଣ ଯବାନ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଶନିବାର ବିଳମ୍ବିତ ରାତିରେ ନକ୍ସଲମାନେ ଏପରି ତାଣ୍ଡବଲୀଳା ଭିଆଇଛନ୍ତି। ନକ୍ସଲମାନଙ୍କ ସହ ଏନ୍‌କାଉଣ୍ଟର୍‌ ହେବା ପରେ ଯବାନମାନେ ନିଖୋଜ ହୋଇଯାଇଥିଲେ। ରବିବାର ଭୋର୍‌ ସମୟରେ ସେମାନଙ୍କର ଶବକୁ ଠାବ କରାଯାଇଥିବା ସ୍ଥାନୀୟ ପୋଲିସ୍‌ ପକ୍ଷରୁ କୁହାଯାଇଛି। ବସ୍ତର୍‌ ରେଞ୍ଜ୍‌ର ଆଇଜି ସୁନ୍ଦରରାଜ ପି. କହିଛନ୍ତି ଯେ ୧୭ ଜଣ ଯବାନଙ୍କ ମୃତଶରୀରକୁ ଠାବ କରାଯାଇ ସେଗୁଡ଼ିକୁ ଜଙ୍ଗଲରୁ ବାହାରକୁ ଅଣାଯାଇଛି। ଶନିବାର ଏମଲଗୁଣ୍ଡାଠାରେ ବ୍ୟାପକ ମାତ୍ରାରେ ନକ୍ସଲ ମେଳି ହେଉଥିବାର ଖବର ପାଇବା ପରେ ପାଖାପାଖି ୬୦୦ ଯବାନଙ୍କୁ ନେଇ ଏକ ଅପରେସନ୍‌ ଆରମ୍ଭ କରାଯାଇଥିଲା।
ଏହି ଅପରେସନ୍‌ରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ, ସ୍ପେଶାଲ୍‌ ଟାସ୍କ ଫୋର୍ସ, ସିଆର୍‌ପିଏଫ୍‌ର କମାଣ୍ଡୋ ବାଟାଲିଅନ୍‌ ଫର୍‌ ରିଜଲ୍ୟୁଟ୍‌ ଆକ୍ସନ୍‌ (କୋବ୍ରା)ର ଯବାନମାନେ ରହିଥିଲେ। ତେବେ ଏହି ଯବାନମାନେ ମିନ୍‌ପା ଗ୍ରାମ୍ୟ ଜଙ୍ଗଲ ନିକଟରେ ପାଟ୍ରୋଲିଂ କରିବା ବେଳେ ପାଖାପାଖି ୨୫୦ ଜଣ ସଶସ୍ତ୍ର ନକ୍ସଲ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ୧୫ ଜଣ ଯବାନ ଆହତ ହୋଇଥିଲେ। ଏହି ଏନ୍‌କାଉଣ୍ଟର୍‌ ପାଖାପାଖି ଅଢ଼େଇ ଘଣ୍ଟା ଚାଲିଥିଲା। ପରେ ୧୭ ଜଣ ଯବାନ ନିଖୋଜ ହୋଇଯାଇଥିଲେ। ସେମାନଙ୍କୁ ଖୋଜିବା ସକାଶେ ଅପରେସନ୍‌ ଆରମ୍ଭ କରାଯିବା ପରେ ରବିବାର ସକାଳେ ସେମାନଙ୍କ ମୃତଦେହ ମିଳିଥିଲା। ପୂର୍ବରୁ ଏହି ଏନ୍‌କାଉଣ୍ଟର୍‌ରେ ୧୪ ଜଣ ଯବାନ ଆହତ ହୋଇଥିବା ବେଳେ ୧୩ ଜଣ ନିଖୋଜ ହୋଇଯାଇଥିବା ସ୍ଥାନୀୟ ପୋଲିସ୍‌ ପକ୍ଷରୁ କୁହାଯାଇଥିଲା। ଆହତ ଯବାନମାନଙ୍କୁ ଏୟାର୍‌ଲିଫ୍ଟ ଯୋଗେ ରାୟପୁରସ୍ଥିତ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ଆହତମାନଙ୍କ ମଧ୍ୟରୁ ୨ ଜଣ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଇଛି। ଏହାଛଡ଼ା ଏନ୍‌କାଉଣ୍ଟର୍‌ ବେଳେ ନକ୍ସଲମାନେ ଯବାନଙ୍କଠାରୁ ଏକେ-୪୭ ସମେତ ୧୬ଟି ଅଟୋମେଟିକ୍‌ ବନ୍ଧୁକ ଓ ଅଣ୍ଡର୍‌ ବ୍ୟାରେଲ୍‌ ଗ୍ରେନେଡ୍‌ ଲଞ୍ଚର୍‌ (ୟୁବିଜିଏଲ୍‌) ମଧ୍ୟ ନେଇଯାଇଥିବା ପୋଲିସ୍‌ ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ