ଇରାନ୍ରେ କୋରୋନା ନେଲା ଆଉ ୧୨୭ ଜୀବନ: ୧୬୮୫ ଛୁଇଁଲା ମୃତ୍ୟୁସଂଖ୍ୟା
ତେହରାନ୍: ସମଗ୍ର ବିଶ୍ବରେ କୋରୋନା ଭୂତାଣୁର ପ୍ରଭାବ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଥିବା ଇରାନ୍ରେ ଗତ ୨୪ ଘଣ୍ଟାରେ ଆଉ ୧୨୭ ଜଣଙ୍କର ମୃତ୍ୟୁ ଘଟିଛି। ଫଳସ୍ବରୂପ ଦେଶରେ ଅଦ୍ୟାବଧି ଏହି ଘାତକ ଭୂତାଣୁ ଆକ୍ରମଣରେ ୧୬୮୫ ଜଣ ମୃତ୍ୟୁବରଣ କରିଛନ୍ତି। ସେହିପରି ରବିବାର ସୁଦ୍ଧା ଦେଶରେ ୨୧ ହଜାର ୬୩୮ ଜଣଙ୍କଠାରେ ଏହି ଭୂତାଣୁ ଠାବ କରାଯାଇସାରିଛି। ଦେଶର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମୁଖପାତ୍ର କିଆନୌଶ୍ ଜାହାନ୍ପୌର୍ ଏକ ଗଣମାଧ୍ୟମକୁ ସୂଚନା ଦେଇ ଏହି ସଂଖ୍ୟାର ପୁଷ୍ଟି କରିଛନ୍ତି। ଦେଶରେ ଦିନକୁ ଦିନ କୋରୋନା ଭୂତାଣୁର ଭୟାବହତା ବଢ଼ି ବଢ଼ି ଚାଲିଥିବା ସତ୍ତ୍ବେ ନିକଟରେ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ଆମେରିକା ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଇରାନ୍ ରାଷ୍ଟ୍ରମୁଖ୍ୟ ଆୟାତୋଲ୍ଲା ଅଲୀ ଖାମେନି ଗ୍ରହଣ କରିନାହାନ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଅହିନକୂଳ ସମ୍ପର୍କ ରହିଥିବାରୁ ଇରାନ୍ ପକ୍ଷରୁ ଏପରି ସହାୟତା ପ୍ରସ୍ତାବକୁ ଅସ୍ବୀକାର କରାଯିବା ସହ କୋରୋନା ପ୍ରାକୃତିକ ନୁହେଁ, ବରଂ କୃତ୍ରିମ ଦୁର୍ବିପାକ ଓ ଏହା ପଛରେ ଆମେରିକାର ଭୂମିକା ରହିଛି ବୋଲି ଖାମେନି ଅଭିଯୋଗ କରିଥିଲେ।
ଖାମେନି ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ ଇରାନ୍ବାସୀଙ୍କ ଆନୁବଂଶିକ ତଥ୍ୟ ଗୁପ୍ତ ଭାବେ ସଂଗ୍ରହ କରାଯାଇ ଏହି ଭୂତାଣୁ ସୃଷ୍ଟି କରାଯାଇଛି ଓ ଏକ ନିର୍ଦ୍ଦିଷ୍ଟ ଦେଶ ଏହାକୁ ଇରାନ୍ ବିରୋଧରେ ଉପଯୋଗ କରିବା ସକାଶେ ସୃଷ୍ଟି କରିଛି। ଆମେରିକା ସହାୟତାର ହାତ ବଢ଼ାଇ ଇରାନ୍ରେ ପରିସ୍ଥିତି କିପରି ରହିଛି, ତାହା ଯାଞ୍ଚ୍ କରିବାକୁ ଚାହୁଁଛି। ଇରାନ୍ ବିରୋଧରେ ପ୍ରୟୋଗ କରାଯାଇଥିବା କୋରୋନା ଭୂତାଣୁଜନିତ ବିଷର ପ୍ରଭାବ ଉକ୍ତ ଦେଶ ଉପରେ କିପରି ଭାବେ ପଡ଼ିଛି, ତାହା ଜାଣିବା ଏହି ସହାୟତା ପଛର ରହସ୍ୟ ହୋଇପାରେ ବୋଲି ଖାମେନି କହିଥିଲେ। ଅବଶ୍ୟ ଖାମେନି ନିଜ ଅଭିଯୋଗ ନେଇ କୌଣସି ପ୍ରମାଣ ଦେଇନାହାନ୍ତି। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଏହି ଭୂତାଣୁର ଜନକ ବୋଲି ଇରାନ୍ ପକ୍ଷରୁ ଆମେରିକାକୁ ଦୋଷ ଦିଆଯାଉଥିବା ବେଳେ ଚଳିତ ମାସ ପ୍ରାରମ୍ଭରେ ଚୀନ୍ ପକ୍ଷରୁ ମଧ୍ୟ ଆମେରିକା ଉପରେ ଦୋଷ ଲଦାଯାଇଥିଲା। ଚୀନ୍ ସରକାରଙ୍କ ମୁଖପାତ୍ର ଲିଜିଆନ୍ ଝାଓ ଆମେରିକୀୟ ସେନାର ଯବାନଙ୍କ ମାଧ୍ୟମରେ ଉହାନ୍କୁ ବ୍ୟାପିଛି ବୋଲି ଅଭିଯୋଗ କରିବା ସହ ଆମେରିକାରେ କୋରୋନା ଭୂତାଣୁଜନିତ ସ୍ଥିତି କ’ଣ ରହିଛି, ତାହା ସାର୍ବଜନୀନ କରିବା ସକାଶେ ଦାବି କରିଥିଲେ। ନିଜର ଏପରି ଅଭିଯୋଗ ନେଇ ଲିଜିଆନ୍ କୌଣସି ତଥ୍ୟ ପ୍ରମାଣ ଦେଇ ପାରି ନ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ବୈଦେଶିକ ମନ୍ତ୍ରାଳୟ ଚୀନ୍ ରାଷ୍ଟ୍ରଦୂତଙ୍କୁ ତାଗିଦ୍ କରିଥିଲା।