ଫେସ୍ବୁକ୍, ଗୁଗଲରେ ନିର୍ବାଚନ ପ୍ରଚାରସମୁଦାୟ ୫୩କୋଟି ଖର୍ଚ୍ଚ
ନୂଆଦିଲ୍ଲୀ, (ଏଜେନ୍ସି): ଦେଶରେ ରାଜନୈତିକ ଦଳଗୁଡ଼ିକ ଚଳିତ ବର୍ଷ ଫେବ୍ରୁଆରୀ ଠାରୁ ଏଯାବତ୍ ଫେସ୍ବୁକ୍ ଓ ଗୁଗଲ୍ ଆଦି ଡିଜିଟାଲ୍ ମଞ୍ଚର ସହାୟତାରେ କରିଥିବା ପ୍ରଚାରରେ ୫୩କୋଟିରୁ ଅଧିକ ଖର୍ଚ୍ଚ କରିଛନ୍ତି । ଏଥିରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟୀ (ବିଜେପି)ର ସର୍ବାଧିକ ଖର୍ଚ୍ଚ କରିଥିବା ଉଲ୍ଲେଖ କରାଯାଇଛି । ଫେସ୍ବୁକ୍ ବିଜ୍ଞାପନ ସହିତ ସମ୍ପୃକ୍ତ ରିପୋର୍ଟ ଅନୁସାରେ ଚଳିତ ବର୍ଷ ଫେବ୍ରୁଆରୀ ପ୍ରାରମ୍ଭରୁ ନେଇ ୧୫ମଇ ପର୍ଯ୍ୟନ୍ତ ୧.୨୧ଲକ୍ଷ ରାଜନୈତିକ ବିଜ୍ଞାପନ ପ୍ରସାରଣ ହେଉଛି । ଏହି ବିଜ୍ଞାପନରେ ରାଜନୈତିକ ଦଳ ୨୬.୫କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ପ୍ରକାରରେ ଗୁଗଲ, ୟୁଟ୍ୟୁବ୍ ଓ ଏହାର ସହାୟକ କମ୍ପାନୀଗୁଡ଼ିକ ଉପରେ ଫେବ୍ରୁଆରୀ ୧୯ରୁ ଏଯାବତ୍ ୧୪,୮୩୭ବିଜ୍ଞାପନରେ ରାଜନୈତିକ ପାର୍ଟଗୁଡ଼ିକ ୨୭.୩୬କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ଶାସନରେ ଥିବା ବିଜେପି ଫେସ୍ବୁକ୍ରେ ସମୁଦାୟ ୨୫୦୦ରୁ ଊଦ୍ଧ୍ୱର୍ ବିଜ୍ଞାପନରେ ୪.୨୩କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ମାଇଁ ଫାଷ୍ଟ ଭୋଟ୍ ଫର୍ ମୋଦି, ଭାରତର ମନ୍କି ବାତ୍ ଓ ନେସ୍ନ ୱିଥ୍ ନମୋ ପରି ପେଜ୍ରେ ମଧ୍ୟ ସୋସିଆଲ୍ ନେଟ୍ୱାର୍କିଂ ୱେବ୍ସାଇଟ୍ ବିଜ୍ଞାପନରେ ୪କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଗୁଗଲ୍ରେ ବିଜେପି ୧୭କୋଟି ଟଙ୍କାରୁ ଅଧିକ ବ୍ୟୟ କରିଛି । ସେହିପରି କଂଗ୍ରେସ୍ ଫେସ୍ବୁକ୍ରେ ୩,୬୮୬ବିଜ୍ଞାପନରେ ୧.୪୬କୋଟି ଖର୍ଚ୍ଚ କରିଛି । ଅନ୍ୟପକ୍ଷରେ ଗୁଗଲ୍ରେ ୪୨୫ବିଜ୍ଞାପନରେ ରାହୁଲ ଗାନ୍ଧୀଙ୍କ ପାର୍ଟିର ବ୍ୟୟ ୨.୭୧କୋଟି ଟଙ୍କା ରହିଛି । ଫେସ୍ବୁକ୍ର ଆକଳନ ଅନୁସାରେ ତୃଣମୁଳ କଂଗ୍ରେସ୍ ଏହାର ବିଜ୍ଞାପନ ପାଇଁ ସମୁଦାୟ ୨୯.୨୮ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ଆପ୍ ଫେସ୍ବୁକ୍ରେ ୧୭୬ବିଜ୍ଞାପନ ଚଲାଇଛି । ଏଥିପାଇଁ ପାର୍ଟି ୧୩.୬୨ଲକ୍ଷ ଟଙ୍କା ପେମେଣ୍ଟ କରିଛି । ଅନ୍ୟପକ୍ଷରେ ଗୁଗଲ୍ ଅନୁସାରେ ଅର୍ବାନ୍ ଡିଜିଟାଲ୍ ସଲ୍ୟୁସନ୍ ଆପ୍ ପାଇଁ ବିଜ୍ଞାପନ କରାଯାଉଛି । ଏହା ୧୯ମଇରେ ୨.୧୮କୋଟି ଟଙ୍କାର ପେମେଣ୍ଟ କରିଛି । ଉଲ୍ଲେଖନୀୟ ଯେ ଭାରତର ୧୭ତମ ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚରେ ତାରିଖର ଘୋଷଣା ହୋଇଥିଲା । ତେବେ ଏହାର ଗଣନା ମଇ ୨୩ରେ ହେବ ।