ସରକାରୀ ଜମିରୁ ବେଆଇନ ଭାବେ ମାଟି ବିକ୍ରି :ତହସିଲଦାରଙ୍କୁ ଅଭିଯୋଗ
ନାଉଗାଁ,(ଓ୍ବାଇଏନଏସ): ଗତ ସୋମବାର ନାଉଗାଁ ତହସିଲ ଅନ୍ତର୍ଗତ ତିରୁଣା ଗ୍ରାମର ସରକାରୀ ଜମିରୁ ବେଇଆନ ଭାବେ ମାଟି ଉତୋଳନ କରାଯାଇ ବିକ୍ରି ହେଉଥିବା ନେଇ ଡେରିକି ରାଜସ୍ୱ ନିରୀକ୍ଷକ ଖବର ପାଇ ଚଢଉ କରିଥିଲେ। ଏହି ଚଢଉରେ ଘଟଣାସ୍ଥଳରୁ ଗୋଟିଏ ଟ୍ରାକ୍ଟର ଓ ଜେସିବି ମେସିନ ଜବତ କରାଯାଇଥିଲା। ଏହା ପରେ ନାଉଗାଁ ତହସିଲଦାର ଜେସିବି ଓ ଟ୍ରାକ୍ଟର ମାଲିକ ନାମରେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହା ସ୍ୱତେ ମାଟି ମାଫିଆ ମାନଙ୍କର ଚେତା ପଶୁନି। ଯାହାକି ନାଉଗାଁ ତହସିଲ ଅଧିନ ରୋହିଆ ପଂଚାୟତ ଅରଖକୁଦ ଗ୍ରାମରୁ ଏକ ଅଭିଯୋଗ ଆସିଛି। ଏହି ଗ୍ରାମର ସରକାରୀ ଜମିରୁ ବେଆଇନ ଭାବେ ମାଟି ଉଠା ଯାଇ ବିକ୍ରି ହେଉଥିବା ଗ୍ରାମବାସୀମାନେ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଶତାଧିକ ଗ୍ରାମବାସୀଙ୍କ ସ୍ୱାକ୍ଷରରେ ଉକ୍ତ ଅଭିଯୋଗପତ୍ର ପ୍ରଦାନ କରାଯାଇଛି। ଗ୍ରାମର ଆଶିଷ କୁମାର ନାୟକ, ସୁକାନ୍ତ ମଲିକ,ସୁବାସ ଚନ୍ଦ୍ର ନାୟକ,ଜଗନ୍ନାଥ ନାୟକ ଆଦିଙ୍କ ଅଭିଯୋଗ ମୁତାବକ ଜୈନିକ ବ୍ୟକ୍ତି ମନଇଚ୍ଛା ସରକାରୀ ଜମିରୁ ମାଟି ଖୋଳି ବିକ୍ରି କରୁଛି। ଯାହାଫଳରେ ଆମ ମୌଜାରେ ଥିବା ଚାରଣ ଭୂମି ଓ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନ ସଂକୁଚିତ ହୋଇଯାଉଛି। ଏହାର ତଦନ୍ତ କରାଯାଇ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗରେ ଦର୍ଶାଯାଇଛି। ଏହାର ନକଲ କପି ନାଉଗାଁ ଥାନାଧିକାରୀ ,ଉପଜିଲାପାଳ ଜଗତସିଂହପୁର, ରାଜସ୍ୱ ମନ୍ତ୍ରୀ,ବିଧାୟକ ଆଦିଙ୍କୁ ପଠାଯାଇଛି। ଏବିଷୟରେ ତହସିଲଦାର ଅକ୍ଷୟ ବଡୁଙ୍କୁ ପଚାରିବାରେ ଅଭିଯୋଗ ପାଇଛୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି।


