କେନ୍ଦ୍ରାପଡାରେ ତୃତୀୟଦିନ ପାଇଁ ଲକଡାଉନ ଜାରି

କେନ୍ଦ୍ରାପଡା : ସାରା ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ସରକାରଙ୍କ ଲକ ଡାଉନ ବ୍ୟବସ୍ଥା ଜାରି ରହିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଲକ ଡାଉନ ବ୍ୟବସ୍ଥା ବଳବତ୍ତର ରହିଥିବା ଦେଖାଯାଇଛି । ସହରର ମୁଖ୍ୟ ରାସ୍ତା ଗୁଡିକରେ ପୋଲିସ ପକ୍ଷରୁ ଗାଡି ଗୁଡିକ ଯାଂଚ କରାଯାଉଥିବା ବେଳେ କେବଳ ତେଜରାତି, ଔଷଧ, ଫଳ, ମାଂସ, ଚିକେନ, ଅଣ୍ଡା ଓ ପନିପରିବା ଦୋକାନ ଗୁଡିକୁ ଛାଡିଦେଲେ ଅନ୍ୟସବୁ ଦୋକାନ ଗୁଡିକ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ସହରଟା ସାରା ଖାଁ ଖାଁ ଲାଗୁଛି । ଜନଗହଳି ନଥିବା ବେଳେ କେମିତି କେଉଁଠି କାଁ ଭାଁ କିଛି ଲୋକ ସଉଦା, ପରିବାପତ୍ର ଓ ଔଷଧ ପ୍ରଭୃତି କିଣିବାକୁ ବାହାରକୁ ଆସିଥିବାର ଦେଖିବାକୁ ମିଳିଛି । ସରକାରଙ୍କ ସାମାଜିକ ଦୂରତା ବ୍ୟବସ୍ଥାକୁ ଆଜି କଡାକଡି ପାଳନ କରାଯାଉନଥିବା ଦେଖିବାକୁ ମିଳିଛି । ସହରର ତିନିମୁହାଣି ଛକରେ ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମି ବିଶ୍ୱାଳଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୃତୟନ ହୋଇ କଟକ – ଚାନ୍ଦବାଲି ରାସ୍ତାରେ ଦୁହୁରିଆ ଆଡୁ ସହର ଆଡକୁ ଆସୁଥିବା,ନୂଆବସଷ୍ଟାଣ୍ଡରୁ ତିନିମୁହାଣି ଛକ ଆଡକୁ ଆସୁଥିବା ଏବଂ ଗରାପୁର ଆଡୁ ତିନିମୁହାଣି ଆଡକୁ ଆସୁଥିବା ଗାଡି ଓ ବାଇକ ପ୍ରଭୃତିକୁ ଯାଂଚ କରୁଥିବା ଦେଖାଯାଇଛି । ପୁରୁଣା ବସଷ୍ଟାଣ୍ଡରେ ମାରୁଆଡିପଟି ପାଖରେ ଓ ସବରେଜିଷ୍ଟ୍ରାର ଅଫିସ ଗଳିରାସ୍ତା ନିକଟରେ ପୋଲିସ ପକ୍ଷରୁ ରାସ୍ତାକୁ ବନ୍ଦ କରିଦିଆଯାଇଥିବା ଦେଖିବାକୁ ମିଳିଛି । ପୈାରସଂସ୍ଥା ଓ ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଘରୁ ବାହାରକୁ ନବାହାରିବା ପାଇଁ ପ୍ରଚାର କରାଯିବା ସହ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଉଥିବାର ଦେଖିବାକୁ ମିଳିଛି । ଆବଶ୍ୟକ ନହେଲେ ବାହାରକୁ ନଆସିବାକୁ ଲୋକମାନଙ୍କୁ କୁହାଯାଉଛି । ସେହିଭଳି ସଦର ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମପଂଚାୟତରେ ପୋଲିସ ଓ ବ୍ଲକ ପକ୍ଷରୁ ସଚେତନ କରାଯିବା ସହ ଘର ବାହାରକୁ ନଆସିବା ପାଇଁ କୁହାଯାଉଛି । ଆଜି ସୁଦ୍ଧା ଜିଲ୍ଲାକୁ ବିଦେଶରୁ ୬୮୪ଜଣ ଆସିଥିବା ବେଳେ ବାହାର ରାଜ୍ୟରୁ ୨୩୦ଜଣ ଆସିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁତ୍ରରୁ ସୂଚନା ଦିଆଯାଇଥିବା ବେଳେ ପ୍ରକୃତ କ୍ଷେତ୍ରରେ ସେହି ସଂଖ୍ୟା ଠାରୁ ଢେର ବେଶୀ ଲୋକ ଆସିଥିବା ଅସମର୍ଥିତ ସୁତ୍ରରୁ ଜଣାପଡିଛି । ଲୋକମାନେ ସଚେତନ ହୋଇ ଏଭଳି ପରିସ୍ଥିତିରେ ପ୍ରଶାସନକୁ ସହଯୋଗ କରିବା ସହିତ ପ୍ରତ୍ୟେକଦିନ ବାହାରୁ ଆସୁଥିବା ଲୋକମାନଙ୍କ ସମ୍ପର୍କରେ ନିକଟସ୍ଥ ଡାକ୍ତରଖାନାରେ ପଞ୍ଜିକରଣ କରିବା ନିତ୍ୟାନ୍ତ ଜରୁରୀ ହୋଇପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ