କେନ୍ଦ୍ରାପଡ଼ାରେ ତୁଳସୀ ବିବାହ ଉତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ): ପବିତ୍ର ଗରୁଡ଼ ଦ୍ୱାଦଶୀ ତିଥି ଅବସରରେ ଶନିବାର କେନ୍ଦ୍ରାପଡ଼ା ସହର ଖଡ଼ିଅଙ୍ଗସ୍ଥିତ ସତୀଶ ଚନ୍ଦ୍ର ଭବନ ପରିସରରେ ପାରମ୍ପରିକ ତୁଳସୀ ବିବାହ ଉତ୍ସବ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ନିଖିଳ ଓଡ଼ିଶା ପ୍ରଭୁ ବଳରାମ ସାମାଜିକ ସାଂସ୍କୃତିକ ପରିଷଦ, କେନ୍ଦ୍ରାପଡ଼ାର ସଭାପତି ଆଇନଜୀବୀ ନେପାଳ ସାମନ୍ତଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ତୁଳସୀକ୍ଷେତ୍ରର ଗୌରବମୟ ପୌରାଣିକ ଇତିବତ୍ତି ଏବଂ ପ୍ରଭୁ ଶ୍ରୀଶ୍ରୀ ବଳରାମଙ୍କ ମାହାତ୍ମ୍ୟ ପ୍ରଚାର ଉଦ୍ଦେଶ୍ୟରେ ଦୀର୍ଘ ୭ ବର୍ଷ ଧରି ଏଠାରେ କନ୍ଦରାସୁର, ଶଙ୍ଖବର୍ଣ୍ଣ ଓ ମଧୁଦୈତ୍ୟ ପୋଡ଼ି ସହ ତୁଳସୀ ବିବାହ ପାଳିତ ହେଉଛି। ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ତୀର୍ଥଯାତ୍ରାରେ ଆସି ପ୍ରଭୁ ବଳରାମ ଏହି ତିନି ଦାନବଙ୍କୁ ବଧ କରି କନ୍ଦରାସୁରର କନ୍ୟା ତୁଳସୀଙ୍କୁ ବିବାହ ପୂର୍ବକ ତୁଳସୀକ୍ଷେତ୍ର ପ୍ରତିଷ୍ଠା କରିଥିଲେ। କେନ୍ଦ୍ରାପଡ଼ାରେ ସର୍ବପ୍ରଥମେ ପଣ୍ଡିତ କେଶବ ଚନ୍ଦ୍ର ପତ୍ରୀ ଏହି ବିବାହ କରାଇଥିଲେ। ଚଳିତ ବର୍ଷ ସାମନ୍ତ ପରିବାରର କୁଳ ପୁରୋହିତ ଦୀପକ ପତି ବୈଦିକ ରୀତିରେ ବିବାହ ସମ୍ପାଦନ କରିବା ସହ ଶ୍ରୀଶ୍ରୀ ବଳଦେବଜୀୟୁ ମନ୍ଦିରରେ ମଧ୍ୟ ଶ୍ରୀ ବଳରାମ ଓ ତୁଳସୀଙ୍କ ବିବାହ ସମ୍ପନ୍ନ କରିଥିଲେ। ଏହି ଅବସରରେ ସାମନ୍ତ ପରିବାରର ରାଖାଲ ସାମନ୍ତ, ରବୀନ୍ଦ୍ର ସାମନ୍ତ, ଦେବେନ୍ଦ୍ର ସାମନ୍ତ, ପୂର୍ବତନ ପୌରାଧ୍ୟକ୍ଷ ଧୀରେନ୍ଦ୍ର ସାହୁ, ସମାଜସେବୀ ରଞ୍ଜିତ ସାହୁ, ପୌରସଭ୍ୟ ଉମେଶ ନାୟକ, ପୂର୍ବତନ ପୌରସଭ୍ୟ ହିରଣ୍ୟ ପଣ୍ଡା ଏବଂ ବିପଦଭଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


