ବାତ୍ୟା ‘ଅକୱାନ’ ପରବର୍ତ୍ତୀ ସ୍ଥିତି ଉପରେ ସମୀକ୍ଷା ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ): ସମ୍ଭାବ୍ୟ ବାତ୍ୟା ‘ଅକୱାନ’ ସ୍ଥଳଭାଗ ଅତିକ୍ରମ କରିବା ପରେ ଏହାର ପ୍ରଭାବରେ ସୃଷ୍ଟ ଅବପାତ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ଜାରି ରହିବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ପରବର୍ତ୍ତୀ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। ଜନସାଧାରଣଙ୍କ ସୁରକ୍ଷା, ଜରୁରୀକାଳୀନ ସେବା, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ସୁନିଶ୍ଚିତ କରିବା ସହ ଯେକୌଣସି ଆକସ୍ମିକ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ରହିବାକୁ ଜିଲ୍ଲାପାଳ ରଘୁରାମ ଆର. ଆୟର ନିର୍ଦ୍ଦେଶ ଦେଇଛନ୍ତି।ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ହାଇବ୍ରିଡ୍ ମୋଡ୍ରେ (ଅନଲାଇନ୍ ଓ ଅଫଲାଇନ୍) ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବାତ୍ୟା ପରିଚାଳନା ଓ ତଦାରଖ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ନିୟୋଜିତ ବରିଷ୍ଠ ଆଇଏଏସ୍ ଅଧିକାରୀ ସ୍ମୃତି ରଞ୍ଜନ ପ୍ରଧାନ ବୈଠକରେ ଯୋଗଦେଇ ଜିଲ୍ଲାରେ ଗ୍ରହଣ କରାଯାଇଥିବା ପ୍ରସ୍ତୁତି, ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର ସମ୍ବନ୍ଧୀୟ ପଦକ୍ଷେପ ଗୁଡ଼ିକର ସମୀକ୍ଷା କରିଥିଲେ। ବୈଠକରେ ବିଭିନ୍ନ ବିଭାଗର କାର୍ଯ୍ୟ ଓ ପ୍ରସ୍ତୁତିର ସ୍ଥିତି ଅନୁଧ୍ୟାନ କରାଯାଇ ଯେକୌଣସି ଆକସ୍ମିକ ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ସମସ୍ତ ବିଭାଗକୁ ପୂର୍ଣ୍ଣ ପ୍ରସ୍ତୁତି ସହ ସଜାଗ ରହିବାକୁ କୁହାଯାଇଥିଲା। ଜନସାଧାରଣଙ୍କ ଜୀବନ ଓ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଜିଲ୍ଲାରେ ବ୍ୟାପକ ସ୍ଥାନାନ୍ତରଣ ଓ ରିଲିଫ୍ ବ୍ୟବସ୍ଥା କରାଯାଇଛି। ଉପଲବ୍ଧ ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ ମୋଟ ୫୧,୯୫୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ରହିବା ଓ ଆବଶ୍ୟକୀୟ ସହାୟତା ପାଇଁ ମୋଟ ୩୨୩ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି। ଏହାଦ୍ୱାରା ୫୧,୯୫୬ ଜଣ ହିତାଧିକାରୀଙ୍କୁ ରିଲିଫ୍ ସହାୟତା ପରିସରଭୁକ୍ତ କରାଯାଇଛି। ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଓ ଅସ୍ଥାୟୀ ବିଦ୍ୟାଳୟ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରାଯାଉଛି। ଜରୁରୀକାଳୀନ ବଣ୍ଟନ ପାଇଁ ଚୁଡ଼ା, ଗୁଡ଼ ଆଦି ରିଲିଫ୍ ସାମଗ୍ରୀ ମହଜୁଦ ରଖାଯାଇଥିବା ବେଳେ ଆବଶ୍ୟକତା ଅନୁଯାୟୀ ବ୍ୟବହାର ପାଇଁ ପଲିଥିନ୍ ସିଟ୍ ଉପଲବ୍ଧ ରହିଛି। ଜିଲ୍ଲାରେ ୨୫୭.୭ ମେଟ୍ରିକ୍ ଟନ୍ ପଶୁଖାଦ୍ୟ ଉପଲବ୍ଧ ରହିଥିବା ବେଳେ ୨୪ଟି ପଲିଥିନ୍ ସିଟ୍ ବଣ୍ଟନ କରାଯାଇଛି।ବିପର୍ଯ୍ୟୟ ପରିଚାଳନା ଓ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ଜିଲ୍ଲାରେ ୨ଟି ଓଡ୍ରାଫ୍ ଟିମ୍, ୧ଟି ଏନ୍ଡିଆର୍ଏଫ୍ ଟିମ୍ ଏବଂ ୧୧ଟି ଅଗ୍ନିଶମ ବାହିନୀ ଟିମ୍ ନିୟୋଜିତ ରହିଛନ୍ତି। ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ଉଦ୍ଧାର ଓ ସହାୟତା କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ଟିମ୍ ଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ବାତ୍ୟା ସମୟରେ ଗର୍ଭବତୀ ମହିଳାଙ୍କ ସୁରକ୍ଷା ଏବଂ ନିରାପଦ ପ୍ରସବକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଏହି କ୍ରମରେ ଜିଲ୍ଲାରେ ୨୩୯ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ଏପର୍ଯ୍ୟନ୍ତ ୧୦୦ଟି ନିରାପଦ ପ୍ରସବ ସମ୍ପନ୍ନ ହୋଇଛି। ଗର୍ଭବତୀ ମହିଳାମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସେବା, ଔଷଧ ଓ ନିରନ୍ତର ସ୍ୱାସ୍ଥ୍ୟ ତଦାରଖ ଯୋଗାଇଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ ଆଜି ଅପରାହ୍ନ ୪ଟା ସୁଦ୍ଧା ମୋଟ ୩୫୨ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ଜିଲ୍ଲାର ହାରାହାରି ବର୍ଷା ପରିମାଣ ୩୯.୧୧ ମି.ମି. ରହିଛି। ରିପୋର୍ଟ ସମୟ ସୁଦ୍ଧା ଜିଲ୍ଲାରେ ପବନର କୌଣସି ବିଶେଷ ପ୍ରଭାବ ରେକର୍ଡ କରାଯାଇନାହିଁ। ବର୍ଷାର ପରିମାଣ ଓ ପାଣିପାଗର ପରିବର୍ତ୍ତନ ଉପରେ ସମ୍ପୃକ୍ତ ବିଭାଗଗୁଡ଼ିକ ନିରନ୍ତର ନଜର ରଖିଛନ୍ତି।ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ବାତ୍ୟା ପରବର୍ତ୍ତୀ ବର୍ଷା ଓ ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ଅନାବଶ୍ୟକ ଭାବେ ଘରୁ ବାହାରକୁ ନଯିବା, ନିରାପଦ ସ୍ଥାନରେ ରହିବା ଏବଂ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ପରାମର୍ଶ ଓ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି। ଜିଲ୍ଲାପାଳ ଶ୍ରୀ ଆୟର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନଙ୍କୁ ନିଜ ନିଜ ଦାୟିତ୍ୱ କ୍ଷେତ୍ରରେ ସଜାଗ ରହିବା ସହ ଯେକୌଣସି ଜରୁରୀ ପରିସ୍ଥିତିର ତୁରନ୍ତ ମୁକାବିଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ପରବର୍ତ୍ତୀ ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ନିରନ୍ତର ତଦାରଖ ଜାରି ରଖିବାକୁ କୁହାଯାଇଛି।ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକୃଷ୍ଣ ଜେନା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଜ୍ୟୋତିକାନ୍ତ ଭୁଜବଳ, ଡେପୁଟି କଲେକ୍ଟର (ଜରୁରୀକାଳୀନ) ନିତ୍ୟରଞ୍ଜନ ସାମଲଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବାତ୍ୟା ପରବର୍ତ୍ତୀ ମୁକାବିଲା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।


