ଗ୍ୟାଙ୍ଗଷ୍ଟାର ଲିଟୁ ଦାସ ଅପହରଣ ଓ ହତ୍ୟା ମାମଲା : ଅଭିଯୋଗଫର୍ଦ୍ଦ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଅଞ୍ଚଳର ଗ୍ୟାଙ୍ଗଷ୍ଟାର ଲିଟୁ ଦାସ ଅପହରଣ ଓ ହତ୍ୟା ମାମଲାର ତଦନ୍ତ ସାରି କୋର୍ଟରେ ଚାର୍ଜସିଟ୍ ଦାଖଲ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ତଦନ୍ତ ପ୍ରକ୍ରିୟାରେ ହେଉଥିବା ଅହେତୁକ ବିଳମ୍ବକୁ ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାର୍ଶାଘାଇ ଥାନା ମାମଲା ନମ୍ବର ୨୦୫/୨୦୨୬ ର ତଦନ୍ତକୁ ଅତିଶୀଘ୍ର, ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ଶେଷ କରିବା ସହିତ ବିନା ଅନାବଶ୍ୟକ ବିଳମ୍ବରେ ଉପଯୁକ୍ତ ଅଦାଲତରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟାୟମର୍ତ୍ତି ଏସ୍.ଏସ୍. ମିଶ୍ରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଆବେଦନକାରୀଙ୍କ ଅଭିଯୋଗରେ ସତ୍ୟତା ଥିବା ହୃଦୟଙ୍ଗମ କରିବା ସହ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ହୋଇଥିବା ଏକ ନ୍ୟାୟିକ ନିର୍ଦ୍ଦେଶ ଆଧାରରେ ଗତ ତା୧୪.୦୫.୨୦୨୬ ରିଖରେ ମାର୍ଶାଘାଇ ଥାନାରେ ମାମଲା ନମ୍ବର ୨୦୫/୨୦୨୬ ରୁଜୁ ହୋଇଥିଲା। ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା ୨୦୨୩ ର ଧାରା ୧୦୩(୧), ୧୪୦(୧) ଏବଂ ୩(୫) ଭଳି ସଙ୍ଗୀନ ଦଫାରେ ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ତେବେ ପୂରା ଘଟଣାର ପୃଷ୍ଠଭୂମିରେ ଥିବା ପୂର୍ବ ରାୟର ଅନୁଚ୍ଛେଦ ୧୪ ଅନୁଯାୟୀ ଏହା ମଧ୍ୟ ଉଲ୍ଲେଖ ରହିଥିଲା ଯେ ଯଦି ତଦନ୍ତ ସମୟରେ ଆବେଦନକାରୀ ବିଜୟଲକ୍ଷ୍ମୀ ଦାସଙ୍କ ପୁଅ ଲିଟୁ ଓରଫ ଦେବୀ ପ୍ରସାଦ ଦାସ ଜୀବିତ ଥିବା ଏବଂ ପୋଲିସ ଗିରଫଦାରୀ ଏଡ଼ାଇବା ପାଇଁ ଗ୍ରାମ ଛାଡ଼ି ଚାଲିଯାଇଥିବା ଜଣାପଡ଼େ ଓ ଏ ସମ୍ପର୍କରେ ଆବେଦନକାରୀ ଅବଗତ ଥିବା ପ୍ରମାଣିତ ହୁଏ ତେବେ ଆଇନ ଅନୁଯାୟୀ ଆବେଦନକାରୀ ଏବଂ ତାଙ୍କ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ମାମଲା ରୁଜୁ ହେବାର ଅନେକ ମାସ ବିତିଯାଇଥିଲେ ସୁଦ୍ଧା ପୋଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଆଗେଇ ପାରୁନଥିବା ଅଭିଯୋଗ ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରି ଦର୍ଶାଇଥିଲେ ଯେ ମାର୍ଶାଘାଇ ଥାନାରେ ଏତଲା ପଞ୍ଜୀକୃତ ହେବା ପରେ ମଧ୍ୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ନିରପେକ୍ଷ ଓ ତ୍ୱରିତ ତଦନ୍ତ କରାଯାଉନାହିଁ। ଏ ସମ୍ପର୍କରେ ଆବେଦନକାରୀ ଥାନା ଓ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ ଓ ଦାବିପତ୍ର ଦାଖଲ କରିଥିଲେ ହେଁ କୌଣସି ସୁଫଳ ମିଳିନଥିଲା। ତଦନ୍ତକାରୀ ସଂସ୍ଥାର ଏଭଳି ନିଷ୍କ୍ରିୟତାରେ ଅତିଷ୍ଠ ହୋଇ ନ୍ୟାୟ ପାଇବା ଆଶାରେ ଆବେଦନକାରୀମାନେ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇ ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଥିଲେ। ଏହି ଆବେଦନର ଶୁଣାଣି କରି ବିଚାରପତି ଏସ୍.ଏସ୍. ମିଶ୍ର କହିଛନ୍ତି ଯେ ଏକ ସ୍ୱଚ୍ଛ, ତ୍ୱରିତ ଏବଂ ନିରପେକ୍ଷ ତଦନ୍ତ ପାଇବା ପ୍ରତ୍ୟେକ ଆବେଦନକାରୀଙ୍କ ମୌଳିକ ଅଧିକାର। ତେଣୁ ଆବେଦନକାରୀଙ୍କ ଦ୍ୱାରା କରାଯାଇଥିବା ପ୍ରାର୍ଥନା ବିଚାରଯୋଗ୍ୟ ଏବଂ ତାଙ୍କ ଅଭିଯୋଗରେ ଯଥେଷ୍ଟ ଯଥାର୍ଥତା ରହିଛି। ଅଦାଲତ ନିଜ ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି ଯେ ମାର୍ଶାଘାଇ ଥାନା ମାମଲା ନମ୍ବର ୨୦୫/୨୦୨୬ ର ତଦନ୍ତ ଯେପରି ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ ପରିଚାଳିତ ହୁଏ ଏବଂ ଅତିଶୀଘ୍ର ସମାପ୍ତ ହୁଏ, ସେଥିପାଇଁ କେନ୍ଦ୍ରାପଡା ଏସପି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ। ଏହା ସହିତ ବିନା କୌଣସି ଅନାବଶ୍ୟକ ବିଳମ୍ବରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୯୩ ଅନୁଯାୟୀ ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ଉପଯୁକ୍ତ କ୍ଷମତାପ୍ରାପ୍ତ ଅଦାଲତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ।


