ଓୟୁଏଟି ଓ ଏସସିବିରେ ହେବ କରୋନା ପରୀକ୍ଷା, ଭୁବନେଶ୍ୱର ଏମସରେ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଓୟୁଏଟି ଓ ଏସସିବି ମେଡିକାଲ କଲେଜରେ କରୋନା ପରୀକ୍ଷା କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ଆସନ୍ତା ୩/୪ ଦିନ ଭିତରେ ଏହି ଦୁଇ ସ୍ଥାନରେ କରୋନା ପରୀକ୍ଷା ନେଇ ପରୀକ୍ଷଣ ଆରମ୍ଭ ହୋଇପାରିବ ବୋଲି ଅନୁମାନ କରାଯାଉଛି । ଅପରପକ୍ଷରେ ଏମସ ଭୁବନେଶ୍ୱରରେ କରୋନା ପରୀକ୍ଷା ଆରମ୍ଭ ହୋଇଛି । ଏହା ସହ ଆପୋଲୋ ଭୁବନେଶ୍ୱରକୁ ମଧ୍ୟ ଏଥିପାଇଁ ଅନୁମତି ମିଳିସାରିଛି । ମାତ୍ର ସେଠାରେ ଏ ପର୍ଯ୍ୟନ୍ତ ପରୀକ୍ଷା ଆରମ୍ଭ ହୋଇନାହିଁ । ତେଣୁ ଆରଏମଆରସି, ଏମସ, ଓୟୁଏଟି ଓ ଏସସିବିରେ ଯଦି କରୋନା ପରୀକ୍ଷା ଆରମ୍ଭ ହୁଏ ତେବେ ରାଜ୍ୟରେ ଦିନକୁ ୨୦୦ ନମୂନା ପରୀକ୍ଷା ହୋଇପାରିବ ବୋଲି ଆଶା କରାଯାଉଛି । ସୂଚନା ଅନୁସାରେ ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ଅଧିକ ସଂଖ୍ୟାରେ ପରୀକ୍ଷା କେନ୍ଦ୍ରର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଓୟୁଏଟିର ଭେଟେରେନାରି ମେଡିକାଲ କଲେଜରେ ରହିଥିବା ଅତ୍ୟାଧୁନିକ ଯନ୍ତ୍ରାଂଶ ସହାୟତାରେ ରାଜ୍ୟ ସରକାର କରୋନା ପରୀକ୍ଷା ପାଇଁ ଯୋଜନା କରିଛନ୍ତି । ତେବେ ଏସସିବି ମେଡିକାଲ କଲେଜରେ କରୋନା ପରୀକ୍ଷା ପାଇଁ ରାଜ୍ୟ ସରକାର ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ଆସନ୍ତା ୩/୪ ଦିନ ଭିତରେ ଏହି ଦୁଇ ସ୍ଥାନରେ କରୋନା ପରୀକ୍ଷା ପାଇଁ ପରୀକ୍ଷଣ ଆରମ୍ଭ ହେବ । ଏମସରେ ୩ଟି ନମୂନା ପରୀକ୍ଷା ହୋଇଥିବା ବେଳେ ସମସ୍ତ ନମୂନା ନେଗେଟିଭ ରହିଥିବା ଜଣାପଡ଼ିଛି । ଏଠାରେ କରୋନା ପରୀକ୍ଷା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଏମସକୁ ଆସିଥିବା କରୋନା ସନ୍ଦିଗ୍ଧ କିମ୍ବା ରାଜ୍ୟର ସରକାରୀ ଡାକ୍ତରଖାନାରୁ ଯଦି କୌଣସି ନମୂନା ପରୀକ୍ଷା ପାଇଁ ପଠାଯାଏ ତା ହେଲେ ଏମସରେ ଏହାର ପରୀକ୍ଷା କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଯଦି ଆରଏମଆରସି ପକ୍ଷରୁ କରୋନା ପରୀକ୍ଷା ପାଇଁ ଆପୋଲୋ ହସ୍ପିଟାଲକୁ ଅନୁମତି ମିଳେ ତାହା ହେଲେ ଏଠାରେ କରୋନା ପରୀକ୍ଷା ହୋଇପାରିବ ବୋଲି ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି ।
ଅପର ପକ୍ଷରେ ରାଜଧାନୀରେ ଆଉ ଏକ ଘରୋଇ ହସ୍ପିଟାଲ କରୋନା ପରୀକ୍ଷା ପାଇଁ ଆବେଦନ କରିଥିବା ସୂଚନା ମିଳିଛି । ଯଦିଓ ସେଠାରେ କରୋନା ପରୀକ୍ଷା ପାଇଁ କୌଣସି ଅନୁମତି ଦିଆଯାଇ ନାହିଁ । ତେବେ ଅନୁମତି ମିଳିଲେ ଏହା ଦ୍ୱିତୀୟ ଘରୋଇ ହସ୍ପିଟାଲ ଭାବେ କରୋନା ପରୀକ୍ଷା କରାଯିବ ବୋଲି ଆଶା କରାଯାଉଛି । ମାତ୍ର ଘରୋଇ ସଂସ୍ଥାମାନେ କରୋନା ପରୀକ୍ଷା ପାଇଁ ସର୍ବାଧିକ ସାଢେ଼ ୪ ହଜାର ଟଙ୍କା ରୋଗୀଙ୍କ ଠାରୁ ନେଇପାରିବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ