କେନ୍ଦ୍ର ମନ୍ତ୍ରିମଣ୍ଡଳ: ଗୌଣ ହେଲା ଏନ୍ଡିଏ
ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ ପରେ କେନ୍ଦ୍ରରେ ଆରମ୍ଭ ହୋଇଛି ନରେନ୍ଦ୍ର ଦାମୋଦର ଦାସ ମୋଦି-୨ ସରକାର । ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ସରକାରର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଗୁରୁବାର ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ତାଙ୍କ ସହ ୫୭ଜଣିଆ ମନ୍ତ୍ରିମଣ୍ଡଳକୁ ମଧ୍ୟ ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମୋଦୀ ମନ୍ତ୍ରିମଣ୍ଡଳର ସଂଖ୍ୟାକୁ ଦେଖିଲେ ନିକଟ ଭବିଷ୍ୟତରେ ଏହା ବୃଦ୍ଧି ପାଇବାର ସମ୍ଭାବନାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ତେବେ ପ୍ରଥମ ଦଫାରେ ଶପଥ ନେଇଥିବା ସଦସ୍ୟମାନଙ୍କୁ ନେଇ ତର୍ଜମା କଲେ ଏହା ଏନ୍ଡିଏ ମନ୍ତ୍ରିମଣ୍ଡଳ କମ୍ ବିଜେପି ମନ୍ତ୍ରିମଣ୍ଡଳ ବେଶୀ ବୋଲି ଆଲୋଚନା ହେଉଛି । କାରଣ ଆନୁପାତିକ ଦୃଷ୍ଟିରୁ ବିବେଚନା କଲେ ପ୍ରଧାନମନ୍ତ୍ରୀ ତାଙ୍କର ୫୭ଜଣିଆ ମନ୍ତ୍ରିମଣ୍ଡଳରେ ବିଜେପିକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । କେବଳ ମେଣ୍ଟ ଧର୍ମ ରକ୍ଷା କରିବା ଆଳରେ ଏନ୍ଡିଏ ସହଯୋଗୀ ଦଳର ଅଳ୍ପ କେତେଜଣଙ୍କୁ ମନ୍ତ୍ରୀ କରିଛନ୍ତି । ଦାବି ମୁତାବକ ମନ୍ତ୍ରୀ ସଂଖ୍ୟା ନପାଇବାରୁ ଏନ୍ଡିଏଭୁକ୍ତ ଜେଡିୟୁ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇନାହିଁ । ଅପ୍ନା ଦଳ ମଧ୍ୟ ନିଜକୁ ମନ୍ତ୍ରିମଣ୍ଡଳରୁ ଦୂରେଇ ରଖିଛି । ଅର୍ଥାତ୍ ମୋଦୀଙ୍କର ଦ୍ୱିତୀୟ ପାଳି ଆରମ୍ଭରୁ ଏନଡିଏରେ ଅସନ୍ତୋଷ ଦେଖାଦେଲାଣି । ଅବଶ୍ୟ ଏହା ମୋଦି ସରକାର ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇପାରିବ ନାହିଁ ।
ଏଥର ନିର୍ବାଚନରେ ଏନଡିଏକୁ ମିଳିଛି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା । ୨୦୧୪ ନିର୍ବାଚନରେ ମୋଦି ଲହର ଏନ୍ଡିଏକୁ ୩୩୬ ଆସନରେ ସଫଳତା ଦେଇଥିଲା । ଏନଡିଏର ନେତୃତ୍ୱ ନେଉଥିବା ବିଜେପିକୁ ଏକାକୀ ମିଳିଥିଲା ୨୮୨ ଆସନ । ଅର୍ଥାତ୍ ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ବିଜେପି ନିଜ ଦମ୍ରେ ଏକାକୀ ସରକାର ଗଠନ ପାଇଁ ସମର୍ଥ ଥିଲା । ଏହା ସତ୍ତେ୍ୱ ମୋଦୀ ମେଣ୍ଟ ଧର୍ମ ପାଳନ କରିବାକୁ ଯାଇ ସରକାର ଗଠନରେ ଏନଡିଏ ଭୁକ୍ତ ସମସ୍ତ ଦଳକୁ ସାମିଲ କରିଥିଲେ । ମେଣ୍ଟ ସୁପରିଚାଳନାରେ ମଧ୍ୟ ତ୍ରୁଟି କମ୍ ପରିଲକ୍ଷିତ ହୋଇଥିଲା । ଅବଶ୍ୟ ପରବର୍ତ୍ତୀ ସମୟରେ ରାଜ୍ୟ ସ୍ୱାର୍ଥ ପୂରଣ ହୋଇନପାରିବା କାରଣରୁ ଚନ୍ଦ୍ରବାବୁ ନାଇଡୁ ଏନଡିଏରୁ ତାଙ୍କ ଦଳ ତେଲଗୁଦେଶମ ପାର୍ଟି (ଟିଡିପି)କୁ ଓହରାଇ ନେଇଥିଲେ । କିନ୍ତୁ ପରେ ଏନ୍ଡିଏରେ ସାମିଲ ହୋଇଯାଇଥିଲା ବିହାରର ଜେଡି (ୟୁ) । ୨୦୧୯ ନିର୍ବାଚନରେ ଏନଡିଏର ଆସନ ସଂଖ୍ୟା ୩୫୩କୁ ବୃଦ୍ଧି ପାଇଛି । ସମତାଳରେ ବିଜେପି ମଧ୍ୟ ତାର ସଂଖ୍ୟା ବଢାଇ ୩୦୩ରେ ପହଞ୍ଚାଇ ପାରିଛି । ଅର୍ଥାତ୍ ପୂର୍ବପେକ୍ଷା ବିଜେପି ଏଥର ଅଧିକ ଶକ୍ତିଶାଳୀ ହୋଇଛି । ସମ୍ଭବତଃ ମୋଦୀ ସେଥିପାଇଁ ତାଙ୍କର ଦ୍ୱିତୀୟ ପାଳିର ପ୍ରଥମ ଦଫା ମନ୍ତ୍ରିମଣ୍ଡଳରେ ଏନଡିଏ ଭୁକ୍ତ ଦଳଗୁଡିକୁ ଗୁରୁତ୍ୱ ଦେଇନାହାନ୍ତି । ଯାହାକୁ ନେଇ ମେଣ୍ଟଭୁକ୍ତ ଦଳଗୁଡିକ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଲାଣି ।
ପ୍ରକାଶ ଯେ, ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ସମେତ ଶପଥ ନେଇଥିବା ୫୮ ମନ୍ତ୍ରୀଙ୍କ ମଧ୍ୟରୁ ବିଜେପିର ଅଛନ୍ତି ୫୪ ଜଣ ।ଅନ୍ୟ ୪ଜଣ ଏନ୍ଡିଏ ସହଯୋଗୀ ୪ଟି ଦଳରୁ ମନ୍ତ୍ରୀ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ରାମ ବିଳାସ ପାଶ୍ୱାନ । ପ୍ରଧାନମନ୍ତ୍ରୀ ତାଙ୍କୁ କ୍ୟାବିନେଟ୍ ପାହ୍ୟାର ମନ୍ତ୍ରୀ କରିଛନ୍ତି । ସେିହପରି ଶିରୋମଣି ଅକାଳୀ ଦଳ (ଏସ୍ଏଡି)ର ହରମିରତ୍ କୌର ବାଦଲଙ୍କୁ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ପଦ ମିଳିଛି । ଶିବସେନାରୁ ସାମିଲ କରାଯାଇଥିବା ଅରବିନ୍ଦ ଗଣପତ୍ ସାୱନ୍ତ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି । ଅନ୍ୟ ଜଣେ ହେଲେ ଆରପିଆଇ (ଏ) ପାର୍ଟିର ରାମଦାସ ଅଠୱାଲ । ତାଙ୍କୁ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ପଦ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ଏନଡିଏରେ ବିଜେପିକୁ ମିଶାଇ ମୋଟ ୧୩ଟି ଦଳ ଅଛନ୍ତି । ବିଜେପିକୁ ଛାଡିଲେ ଅନ୍ୟ ଦଳଗୁଡିକ ଏଥର ୫୦ଟି ଆସନ ଜିତିଛନ୍ତି । ୨୦୧୪ ନିର୍ବାଚନରେ ଏନଡିଏର ସହଯୋଗୀ ଦଳଗୁଡିକ ୫୪ ଆସନରେ ବିଜୟୀ ହୋଇଥିଲେ । ପରେ ଅବଶ୍ୟ ଟିଡିପି ମେଣ୍ଟରୁ ଓହରି ଯାଇଥିଲା । ଜେଡି(ୟୁୂ) ଏନ୍ଡିଏରେ ସାମିଲ ହୋଇ ଟିଡିପିର ଶୂନ୍ୟସ୍ଥାନ ପୂରଣ କରିଥିଲା ।
ଜେଡି (ୟୁ) ଏନ୍ଡିଏରେ ରହିଥିଲେ ମଧ୍ୟ ଏଥର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇନାହିଁ । ମନ୍ତ୍ରୀ ସଂଖ୍ୟାକୁ ନେଇ ବିଜେପି ସହ ମନୋମାଳିନ୍ୟ ହେବାରୁ ଜେଡି(ୟୁ) ଏଭଳି ନିଷ୍ପତ୍ତି ନେଇଛି । ଜେଡି (ୟୁ) ନୂଆ ମନ୍ତ୍ରିମଣ୍ଡଳରେ ଦଳରୁ ୨ କ୍ୟାବିନେଟ୍ ଓ ୧ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମନ୍ତ୍ରୀ ପଦ ମିଳୁ ବୋଲି ଚାହୁଥିଲା । ମାତ୍ର ବିଜେପି ମାତ୍ର ଗୋଟିଏ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଦେବ ବୋଲି କହିବାରୁ ଜେଡି(ୟୁ) ମନ୍ତ୍ରିମଣ୍ଡଳରୁ ନିଜକୁ ଦୂରେଇ ରଖିଛି । ତେବେ ଦଳ ଏନଡିଏ ଛାଡିବ ନାହିଁ ବୋଲି ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ।


