ମନେପକାଇଲେ ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କୁ ଓ କଥା ହେଲେ ଡାକ୍ତର ଏବଂ କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କସହ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଡାକ୍ତର ଓ କରୋନାରୁ ଭଲ ହୋଇଥିବା ବ୍ୟକ୍ତିଙ୍କ ସହ ହୋଇଥିବା କିଛିବେତାଳପରୁ, ଏ ଯୁଦ୍ଧରେ ଏଭଳି ଅନେକ ଯୋଦ୍ଧା ରହିଛନ୍ତି, ଯେଉଁମାନେ ଘରୁ ନୁହେଁ, ବାହାରେ ରହି କରୋନା ଭୂତାଣୁ ସହ ସଂଗ୍ରାମ ଚଳାଇଛନ୍ତି । ସେମାନେ ହେଉଛନ୍ତି ଆମ ପାଇଁ ଆଗ ଧାଡ଼ିର ଯୋଦ୍ଧା । ବିଶେଷକରି ଆମ ନର୍ସ ଭଉଣୀମାନେ, ନର୍ସ କାମ କରୁଥିବା ଆମ ଭାଇମାନେ, ଡାକ୍ତର, ପାରା-ମେଡିକାଲ୍ ଷ୍ଟାଫ୍ । ଏଭଳି ସାଥୀମାନେ, ଯେଉଁମାନେ କରୋନାକୁ ପରାଜିତ କରିସାରିଛନ୍ତି । ଆଜି ଆମକୁ ସେମାନଙ୍କ ଠାରୁ ପ୍ରେରଣା ଗ୍ରହଣ କରିବାକୁ ହେବ । ବିଗତ ଦିନରେ ମୁଁ ଏଭଳି କିଛି ଲୋକଙ୍କ ସହିତ ଫୋନରେ କଥା ହୋଇଛି, ସେମାନଙ୍କୁ ପ୍ରୋତ୍ସାହିତ କରିଛି । ସେମାନଙ୍କ ସହିତ କଥା ହୋଇ ମୋର ଉତ୍ସାହ ମଧ୍ୟ ବୃଦ୍ଧି ପାଇଛି । ମୁଁ ସେମାନଙ୍କ ଠାରୁ ବହୁତ କିଛି ଶିଖିଛି । ଏଥରର ‘ମନ କି ବାତ୍’ରେ ଏଭଳି କିଛି ବନ୍ଧୁଙ୍କ ଅନୁଭୂତି, ସେମାନଙ୍କ ସହିତ ହୋଇଥିବା ବାର୍ତାଳାପରୁ କିଛି ଆପଣମାନଙ୍କ ସହିତ ଶେୟାର କରିବାକୁ ମୋର ବହୁତ ଇଚ୍ଛା ଥିଲା । ସର୍ବପ୍ରଥମେ ଆମେ କଥା ହେବା ଶ୍ରୀ ରାମଗମ୍ପା ତେଜା ଜୀଙ୍କ ସହିତ । ସେ ଅବଶ୍ୟ ଜଣେ ଆଇ.ଟି. ପ୍ରଫେସନାଲ୍ । ତେବେ ଆସନ୍ତୁ, ଶୁଣିବା ତାଙ୍କ ଅନୁଭୂତି । ୟେସ୍ ରାମ –
ରାମଗମ୍ପା : ନମସ୍କାର ସାର୍ ।
ମୋଦୀ ଜୀ : ହଁ ରାମ୍, ନମସ୍କାର ।
ରାମଗମ୍ପା : ନମସ୍କାର, ନମସ୍କାର ।
ମୋଦୀ ଜୀ : ମୁଁ ଶୁଣିଛି ଯେ ଆପଣ କରୋନା ଭୂତାଣୁର ଏହି ଗମ୍ଭୀର ସଙ୍କଟରୁ ମୁକ୍ତି ପାଇଛନ୍ତି?
ରାମଗମ୍ପା : ଆଜ୍ଞା ହଁ ।
ମୋଦୀ ଜୀ : ମୁଁ ନିଶ୍ଚୟ ଆପଣଙ୍କ ସହିତ କିଛି କଥା ହେବି । ଆପଣ ଏତେବଡ଼ ସଙ୍କଟରୁ କିଭଳି ମୁକ୍ତି ପାଇଛନ୍ତି, ମୁଁ ଆପଣଙ୍କ ଅନୁଭୂତି ଶୁଣିବାକୁ ଚାହୁଁଛି ।
ରାମଗମ୍ପା : ମୁଁ ଜଣେ ଆଇ.ଟି. କର୍ମଚାରୀ । ଚାକିରି ସଂକ୍ରାନ୍ତ ମିଟିଂରେ ଯୋଗଦେବାକୁ ଦୁବାଇ ଯାଇଥିଲି । ସେଠି ଅଜାଣତରେ ଏସବୁ ଘଟିଗଲା । ଫେରିବା ପରେ ହିଁ ଜ୍ୱର ଆଉ ଅନ୍ୟ ସବୁ ଆରମ୍ଭ ହୋଇଯାଇଥିଲା । ପାଂଚ ଛଅ ଦିନ ପରେ ଡାକ୍ତରମାନେ କରୋନା ଭୂତାଣୁ ପରୀକ୍ଷା କଲେ, ଆଉ ତାହା ପଜିଟିଭ୍ ବାହାରିଲା । ଏହାପରେ ମୋତେ ହାଇଦ୍ରାବାଦର ସରକାରୀ ଡାକ୍ତରଖାନା ଗାନ୍ଧୀ ହସ୍ପିଟାଲ୍ରେ ଭର୍ତି କରାଗଲା । ୧୪ ଦିନ ପରେ ମୁଁ ଭଲ ହୋଇଗଲି ଆଉ ମୁଁ ଡିସ୍ଚାର୍ଜ ହୋଇଗଲି । ଏସବୁ ଯୋଗୁଁ ଟିକିଏ ଭୟ ଲାଗୁଥିଲା ।
ମୋଦୀ ଜୀ : ମାନେ, ଆପଣଙ୍କୁ ଯେତେବେଳେ ସଂକ୍ରମଣ ସମ୍ପର୍କରେ ଜଣାପଡିଲା! ଆଉ ଆଗରୁ ତ ଜାଣିଥିବେ ଯେ ଏହି ଭୂତାଣୁ କେତେ ଭୟଙ୍କର!!
ରାମଗମ୍ପା : ଆଜ୍ଞା!
ମୋଦୀ ଜୀ : ତାହେଲେ ଆପଣଙ୍କୁ ଯେତେବେଳେ ଜଣାପଡ଼ିଲା, ଆପଣଙ୍କ ତୁରନ୍ତ ପ୍ରତିକ୍ରିୟା କ’ଣ ଥିଲା?
ରାମଗମ୍ପା : ପ୍ରଥମେ ତ ଖୁବ୍ ଡରି ଯାଇଥିଲି । ମୋର ବିଶ୍ୱାସ ହେଲାନି ଯେ ମୋତେ କାହିଁକି ଏମିତି ହେଲା? କାରଣ ସେତେବେଳେ ଭାରତରେ ମାତ୍ର ୨-୩ ଜଣଙ୍କୁ ହୋଇଥିଲା । ତେଣୁ, ଏହା ବିଷୟରେ ସେତେ କିଛି ଜ୍ଞାନ ବି ନ ଥିଲା । ଡାକ୍ତରଖାନାରେ ମୋତେ ଭର୍ତି କରି କ୍ୱାରେଂଟାଇନ ବା ସଙ୍ଗରୋଧ କରି ରଖିଥିଲେ । ପ୍ରଥମ ୨-୩ ଦିନ ତ ଏମିତିରେ ଗଲା । କିନ୍ତୁ ସେଠାକାର ଡାକ୍ତର ଆଉ ନର୍ସ … ସେମାନେ ଖୁବ ଭଲ ଥିଲେ । ପ୍ରତ୍ୟେକ ଦିନ ଫୋନ୍ କରି ମୋ ସହ କଥା ହେଉଥିଲେ ଆଉ ମୋତେ ସାହସ ଦେଇ କହୁଥିଲେ ଯେ – ଆପଣଙ୍କର କିଛି ହେବନି, ଆପଣ ଠିକ୍ ହୋଇଯିବେ । ଡାକ୍ତରମାନେ, ନର୍ସମାନେ ଦିନକୁ ଦୁଇତିନି ଥର କଥା ହେଉଥିଲେ । ଆଗରୁ ଭୟ ଲାଗୁଥିଲା କିନ୍ତୁ ପରେ ଲାଗିଲା ଯେ, ଏତେ ଭଲ ଲୋକଙ୍କ ସାଙ୍ଗରେ ରହିଛି, ଆଉ କ’ଣ କରିବାକୁ ହେବ ସେକଥା ସେମାନେ ଜାଣିଛନ୍ତି । ତେଣୁ ମୁଁ ନିଶ୍ଚୟ ଭଲ ହୋଇଯିବି ।
ମୋଦୀ ଜୀ : ଆପଣଙ୍କ ପରିବାର ଲୋକଙ୍କ ମନର ଅବସ୍ଥା କିଭଳି ଥିଲା?
ରାମଗମ୍ପା : ମୁଁ ଯେତେବେଳେ ଡାକ୍ତରଖାନାରେ ଭର୍ତି ହୋଇଥିଲି ସେତେବେଳେ ସେମାନେ ବହୁତ ଷ୍ଟ୍ରେସ୍ରେ ଥିଲେ । ମୋ ଉପରେ ସମସ୍ତଙ୍କ ବେଶୀ ନଜର ଥିଲା । ଆଉ ହଁ, ଆଗ ସେମାନଙ୍କର ମଧ୍ୟ ପରୀକ୍ଷା କରାଯାଇଥିଲା । ସମସ୍ତଙ୍କର ନେଗେଟିଭ୍ ଆସିଲା । ତାହା ମୋ ପାଇଁ, ମୋ ପରିବାର ଏବଂ ଆମ ଆଖପାଖ ଲୋକଙ୍କ ପାଇଁ ଥିଲା ସବୁଠୁ ବଡ଼ ଆଶ୍ୱସ୍ତି । ତା’ପରେ ତ’ ପ୍ରତିଦିନ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଗଲା । ଡାକ୍ତରମାନେ ମୋ ସହିତ କଥା ହେଉଥିଲେ । ମୋ ପରିବାର ଲୋକଙ୍କୁ ବି କହୁଥିଲେ ।
ମୋଦୀ ଜୀ : ଆପଣ ନିଜେ କି କି ସାବଧାନତା ଅବଲମ୍ବନ କଲେ? ନିଜ ପରିବାର ପାଇଁ କି ପ୍ରକାର ସାବଧାନତା ଅବଲମ୍ବନ କଲେ?
ରାମଗମ୍ପା: ପ୍ରଥମେ ଯେତେବେଳେ ଜଣାପଡ଼ିଲା, ମୁଁ କ୍ୱାରେଂଟାଇନରେ ଥିଲି । କିନ୍ତୁ କ୍ୱାରେଂଟାଇନ ପରେ ମଧ୍ୟ ଡାକ୍ତରମାନେ ଆହୁରି ୧୪ ଦିନ ନିଜ ଘର ଭିତରେ ହିଁ ରହିବାକୁ ପରାମର୍ଶ ଦେଲେ । ନିଜକୁ ହାଉସ୍ କ୍ୱାରେଂଟାଇନରେ ରହିବାକୁ କହିଥିଲେ । ତେଣୁ, ସେଠାରୁ ଆସିବା ପରେ ମୁଁ ନିଜ ଘରେ ହିଁ ରହୁଛି । ମୋ ରୁମ୍ରେ ହିଁ ରହୁଛି, ମୁହଁରେ ଦିନସାରା ମାସ୍କ ଲଗାଇ ରଖୁଛି । ଆଉ, ଖାଇବା ଆଗରୁ ହାତ ଧୋଇବା ନିହାତି ଜରୁରୀ ।
ମୋଦୀ ଜୀ : ତେବେ ରାମ, ଆପଣ ସୁସ୍ଥ ହୋଇ ଫେରିଛନ୍ତି । ଆପଣ ଆଉ ଆପଣଙ୍କ ପରିବାରକୁ ମୋର ବହୁତ ଶୁଭେଚ୍ଛା ।
ରାମଗମ୍ପା : ଥାଙ୍କ୍ ୟୁ ।
ମୋଦୀ ଜୀ : ତେବେ ମୁଁ ଚାହୁଁଛି ଯେ, ଆପଣଙ୍କର ଏହି ଅନୁଭୂତି ।
ରାମ୍ଗମ୍ପା : ଆଜ୍ଞା । ମୋଦୀ ଜୀ : ଆପଣ ତ ଆଇ.ଟି. ପ୍ରଫେସନରେ ଅଛନ୍ତି ।
ରାମଗମ୍ପା : ଆଜ୍ଞା!
ମୋଦୀ ଜୀ : ତେଣୁ ନିଜର ଅନୁଭୂତିର ଅଡିଓ ପ୍ରସ୍ତୁତ କରି ସୋସିଆଲ୍ ମିଡିଆରେ ଏହାକୁ ଶେୟାର କରନ୍ତୁ । ଏହାକୁ ଭାଇରାଲ୍ କରିଦିଅନ୍ତୁ । ଯାହାଫଳରେ ଲୋକ ଏହାକୁ ଭୟ ବି କରିବେନି ଆଉ ତା ସଙ୍ଗେ ସଙ୍ଗେ ସତର୍କ ରହିଲେ କିଭଳି ଏହି ବିପତିରୁ ରକ୍ଷା ମିଳିବ, ସେହି ବାର୍ତା ମଧ୍ୟ ଲୋକଙ୍କ ପାଖରେ ଖୁବ ଆରାମରେ ପହଂଚିଯିବ । ରାମଗମ୍ପା : ଆଜ୍ଞା ହଁ, କ୍ୱାରେଂଟାଇନର ଅର୍ଥ ଲୋକ ଜେଲ୍କୁ ଯିବା ଭଳି ଭାବୁଛନ୍ତି । କିନ୍ତୁ ଏହା ସେପରି ନୁହେଁ । ସମସ୍ତେ ଏ କଥା ଜାଣିବା ଉଚିତ ଯେ, ସରକାରୀ କ୍ୱାରେଂଟାଇନର ସେମାନଙ୍କ ନିଜ ପାଇଁ ଉଦ୍ଦିଷ୍ଟ, ସେମାନଙ୍କ ପରିବାର ପାଇଁ ହିଁ ଉଦ୍ଦିଷ୍ଟ । ତେଣୁ, ମୁଁ ଅଧିକାଂଶ ଲୋକଙ୍କୁ ଅନୁରୋଧ କରୁଛି ଯେ, ସେମାନେ ନିଜର ପରୀକ୍ଷା କରାନ୍ତୁ, କ୍ୱାରେଂଟାଇନ ମାନେ କରୋନାକୁ ଡରନା । କ୍ୱାରେଂଟାଇନରେ ଥିବା ଲୋକଙ୍କ ପ୍ରତି କୌଣସି ଅପବାଦ କିମ୍ବା ଆକ୍ଷେପ କରାନଯାଉ ।
ମୋଦୀ ଜୀ : ତେବେ ରାମ୍, ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ।
ରାମଗମ୍ପା : ଥାଙ୍କ୍ ୟୁ, ଥାଙ୍କ ୟୁ ।
ମୋଦୀ ଜୀ : ଥାଙ୍କ ୟୁ ।
ମୋଦୀ ଜୀ : ଥାଙ୍କ୍ ୟୁ ଭାଇ, ଥାଙ୍କ୍ସ ଏ ଲଟ୍ ।
ରାମ୍ଗମ୍ପା : ଥାଙ୍କ୍ ୟୁ ।
ବନ୍ଧୁଗଣ,
ଯେମିତିକି ରାମ କହିଲେ ଯେ, ତାଙ୍କର କରୋନାରେ ଆକ୍ରାନ୍ତ ହେବା ଆଶଙ୍କା ପରେ ସେ ଡାକ୍ତରଙ୍କ ସମସ୍ତ ପରାମର୍ଶକୁ ଅକ୍ଷରେ ଅକ୍ଷରେ ପାଳନ କଲେ, ଯାହାଫଳରେ ଆଜି ସେ ସୁସ୍ଥ ହୋଇ ସାଧାରଣ ଜୀବନଯାପନ କରୁଛନ୍ତି । ଆମ ସହିତ ରହିଛନ୍ତି ଆଉ ଜଣେ ସେହିଭଳି ବନ୍ଧୁ, ଯିଏ କରୋନାକୁ ପରାଜିତ କରିଛନ୍ତି । ତାଙ୍କର ତ ପୂରା ପରିବାର ଏଥିରେ ଆକ୍ରାନ୍ତ ହୋଇଯାଇଥିଲା । ଯୁବାବସ୍ଥାରେ ଥିବା ତାଙ୍କ ପୁଅ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଯାଇଥିଲା । ତା’ହେଲେ ଆସନ୍ତୁ, କଥା ହେବା ଆଗ୍ରାର ଶୀଯୁକ୍ତ ଅଶୋକ କପୁରଙ୍କ ସହିତ ।
ମୋଦୀ ଜୀ : ଅଶୋକ ଜୀ, ନମସ୍କାର ।
ଅଶୋକ କପୁର : ସାର ନମସ୍କାର, ମୋର ସୌଭାଗ୍ୟ, ଆପଣଙ୍କ ସହିତ ମୁଁ କଥା ହେଉଛି ।
ମୋଦୀ ଜୀ : ଇଏ ଆମର ମଧ୍ୟ ସୌଭାଗ୍ୟ । ମୁଁ ଏଥିପାଇଁ ଫୋନ କରିଥିଲି କାରଣ ଆପଣଙ୍କ ସାରା ପରିବାର ଏହି ସଙ୍କଟରେ ଫସିଯାଇଥିଲା ।
ଅଶୋକ କପୁର : ଆଜ୍ଞା ଆଜ୍ଞା ।
ମୋଦୀ ଜୀ : ତେବେ, ମୁଁ ଜାଣିବାକୁ ଚାହୁଁଛି ଯେ, ଆପଣଙ୍କୁ ଏହି ସମସ୍ୟା, ଏହି ସଂକ୍ରମଣ ବିଷୟରେ କେମିତି ଜଣାପଡ଼ିଲା? କ’ଣ ହେଲା? ଡାକ୍ତରଖାନାରେ କ’ଣ ହେଲା? ଫଳରେ, ଆପଣଙ୍କ କଥାଶୁଣି ଦେଶବାସୀଙ୍କୁ ଜଣାଇବା ଭଳି ଯଦି କିଛି ଥାଏ ତାହା ମୁଁ ତାଙ୍କୁ ଜଣାଇପାରିବି ।
ଅଶୋକ କପୁର : ଆଜ୍ଞା ନିଶ୍ଚୟ । ମୋର ଆଜ୍ଞା ଦୁଇ ପୁଅ । ସେମାନେ ଇଟାଲୀ ଯାଇଥିଲେ । ସେଠାରେ ଜୋତା ପ୍ରଦର୍ଶନୀ ଚାଲିଥିଲା । ଆମର ଏଠି ଜୋତା ତିଆରି କାରଖାନା ରହିଛି ।
ମୋଦୀ ଜୀ : ହଁ ।
ଅଶୋକ କପୁର : ସେମାନେ ଯେତେବେଳେ ଇଟାଲୀରୁ ଫେରିଲେ ।
ମୋଦୀ ଜୀ : ହଁ ।
ଅଶୋକ କପୁର : ତା’ପରେ ଆମ ଜ୍ୱାଇଁ ମଧ୍ୟ ଯାଇଥିଲେ । ସେ ଦିଲ୍ଲୀରେ ରହନ୍ତି । ତାଙ୍କର ଟିକିଏ ଅସୁବିଧା ଦେଖାଦେଲା । ତେଣୁ ସେ ରାମ ମନୋହର ଲୋହିଆ ହସ୍ପିଟାଲ ଗଲେ ।
ମୋଦୀ ଜୀ : ହଁ ।
ଅଶୋକ କପୁର : ଡାକ୍ତରଖାନାରେ ତାଙ୍କୁ ପଜିଟିଭ୍ କହିଲେ ଆଉ ସଫଦର୍ଜଙ୍ଗ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଦେଲେ ।
ମୋଦୀ ଜୀ : ହଁ!
ଅଶୋକ କପୁର : ସେଠାରୁ ମୋ ପାଖକୁ ଫୋନ ଆସିଲା ଯେ, ଆପଣ ବି ତାଙ୍କ ସହିତ ଯାଇଥିଲେ, ତେଣୁ ଆପଣ ମଧ୍ୟ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ । ତେଣୁ, ଦୁଇ ପୁଅ ଏଠାକାର ଆଗ୍ରା ଜିଲ୍ଲା ଡାକ୍ତରଖାନାରେ ପରୀକ୍ଷା କରାଇବାକୁ ଗଲେ । ସେଠାକାର ଡାକ୍ତର ଓ କର୍ମଚାରୀ କହିଲେ, ନିଜ ପରିବାରର ସମସ୍ତଙ୍କୁ ଡାକି ଦିଅନ୍ତୁ । ପରୀକ୍ଷା କରାଇନେବା ଉଚିତ । ଆଜ୍ଞା, ଶେଷରେ ଆମେ ସମସ୍ତେ ଗଲୁ ।
ମୋଦୀ ଜୀ : ହଁ ।
ଅଶୋକ କପୁର : ପରଦିନ ସେମାନେ ଆମକୁ ଜଣାଇଲେ ଯେ ଆମ ପରିବାରର ଛଅ ଜଣଯାକ ପଜିଟିଭ୍ । ମୋ ବୟସ ୭୩ ବର୍ଷ । ମୋ ପରିବାରରେ ମୁଁ, ମୋ ସ୍ତ୍ରୀ, ମୋ ଦୁଇ ପୁଅ, ବୋହୂ ଆଉ ନାତି । ନାତିର ବୟସ ଷୋହଳ ବର୍ଷ । ସମସ୍ତଙ୍କୁ ଦିଲ୍ଲୀ ନେଇଯିବାକୁ ସେମାନେ ପରାମର୍ଶ ଦେଲେ ।
ମୋଦୀ ଜୀ : ଓଃ ମାଇ ଗଡ୍ !
ଅଶୋକ କପୁର : ଆଜ୍ଞା, ଆମେ ଡରିଲୁନି । ଆମେ ଭାବିଲୁ, ଯାହାହେବ ଦେଖାଯିବ । ଆମେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ଗଲୁ । ଆଗ୍ରା ଡାକ୍ତରଖାନା କର୍ତୃପକ୍ଷ ଆମକୁ ଦୁଇଟି ଆମ୍ବୁଲାନ୍ସ ବ୍ୟବସ୍ଥା କରିଦେଲେ । ଆମକୁ କୌଣସି ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିଲାନି । ଆଗ୍ରା ଡାକ୍ତରଖାନା ପ୍ରଶାସନ ଏଥିପାଇଁ ଆମକୁ ସବୁ ପ୍ରକାର ସହଯୋଗ କଲେ ।
ମୋଦୀ ଜୀ : ତା’ହେଲେ ଆମ୍ବୁଲାନ୍ସ ଯୋଗେ ଆପଣ ଆସିଲେ?
ଅଶୋକ କପୁର : ଆଜ୍ଞା ହଁ, ଠିକ୍ ଭାବେ ବସି କରି ଆସିଲୁ । ସେମାନେ ଆମକୁ ଦୁଇଟି ଆମ୍ବୁଲାନ୍ସ ଯୋଗାଇଦେଲେ । ସାଙ୍ଗରେ ଡାକ୍ତର ମଧ୍ୟ ଥିଲେ । ସେମାନେ ଆମକୁ ସଫଦରଜଙ୍ଗ ହସ୍ପିଟାଲରେ ଛାଡ଼ିଦେଲେ । ସଫଦରଜଙ୍ଗ ହସ୍ପିଟାଲରେ ଡାକ୍ତରମାନେ ଫାଟକ ପାଖରେ ହିଁ ଆମକୁ ଅପେକ୍ଷା କରିଥିଲେ । ସେମାନେ ଆମକୁ ୱାର୍ଡ଼କୁ ସ୍ଥାନାନ୍ତରିତ କରିଦେଲେ । ଆମ ଛଅଜଣଙ୍କୁ ସେମାନେ ଅଲଗା ଅଲଗା ରୁମରେ ରଖିଲେ । ରୁମଗୁଡ଼ିକ ଭଲ ଥିଲା । ସବୁ ସୁବିଧା ଥିଲା । ତା ପରେ ସାର, ୧୪ ଦିନ ଧରି ଆମେ ଡାକ୍ତରଖାନାରେ ପୃଥକ ଭାବେ ରହୁଥିଲୁ । ସବୁ ଡାକ୍ତର ଏବଂ କର୍ମଚାରୀ ଆମକୁ ବହୁତ ସହଯୋଗ କଲେ । ସେମାନେ ତ ନିଜ ନିଜ ଡ୍ରେସ୍ ପିନ୍ଧି ଆସୁଥିଲେ! ତେଣୁ କିଏ ଡାକ୍ତର, କିଏ ନର୍ସ, କିଏ ୱାର୍ଡ଼ ବୟ ଜଣା ପଡୁନଥିଲା । ସେମାନେ ଯାହା କହୁଥିଲେ, ଆମେ ତାହା ମାନୁଥିଲୁ । ଆମକୁ ଟିକିଏ ବି ଅସୁବିଧା ହେଇନି ।
ମୋଦୀ ଜୀ : ଆପଣଙ୍କ ଆତ୍ମବିଶ୍ୱାସ ଖୁବ୍ ଦୃଢ଼ ଜଣାପଡ଼ୁଛି ।
ଅଶୋକ କପୁର : ଆଜ୍ଞା, ମୁଁ ସମ୍ପୂର୍ଣ୍ଣ ଭଲ ଅଛି । ମୁଁ ତ ନିଜର ଆଣ୍ଠୁ ଅପରେସନ୍ ବି କରେଇଛି । ତଥାପି ମୋର କିଛି ଅସୁବିଧା ହେଇନି ।
ମୋଦୀ ଜୀ : ହେଲେ, ଏତେ ବଡ଼ ସଙ୍କଟ ପରିବାରର ସବୁ ସଦସ୍ୟଙ୍କ ଉପରେ ପଡ଼ିଲା, ଏମିତିକି ଷୋହଳ ବର୍ଷର ବାଳକ ବି ଏଥିରୁ ବାଦ ପଡ଼ିଲାନି ।
ଅଶୋକ କପୁର : ତା’ର ପୁଣି ପରୀକ୍ଷା ଚାଲିଥିଲା ସାର୍ । ଆଇ.ସି.ଏସ.ଇ. ପରୀକ୍ଷା ଦେଉଥିଲା ତ’ । ତା’ର ପରୀକ୍ଷା ଥିଲା, କିନ୍ତୁ ସେ ଦେଲାନି । ମୁଁ କହିଲି, ଯାହା ହେବ ପରେ ଦେଖାଯିବ । ଜୀବନ ରହିଲେ ସବୁ ପରୀକ୍ଷା ଦେଇହେବ ।
ମୋଦୀ ଜୀ : ଠିକ୍ କଥା । ଯାହାହେଉ, ଆପଣଙ୍କ ଅଭିଜ୍ଞତା ଏଠି କାମରେ ଲାଗିଲା । ସାରା ପରିବାରକୁ ଆପଣ ଭରସା ଦେଲେ, ସାହସ ବି ଦେଲେ ।
ଅଶୋକ କପୁର : ଆଜ୍ଞା, ଆମେ ସାରା ପରିବାର ସେଠି ଥିଲୁ । ତେଣୁ ସମସ୍ତଙ୍କ ସାହସ ରହିଲା । ପରସ୍ପରକୁ ଭେଟୁ ନ ଥିଲୁ । ଫୋନ୍ରେ କଥା ହୋଇଯାଉଥିଲୁ । ଡାକ୍ତରମାନେ ମଧ୍ୟ ଆମର ଯଥାସମ୍ଭବ ଯତ୍ନ ନେଲେ । ସେମାନେ ଆମ ପାଇଁ ବହୁତ କିଛି କରିଥିବାରୁ ଆମେ ସେମାନଙ୍କ ନିକଟରେ କୃତଜ୍ଞ । ଷ୍ଟାଫ୍ ଓ ନର୍ସମାନେ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ ସାର୍ ।
ମୋଦୀ ଜୀ : ହେଉ, ଆପଣ ଓ ଆପଣଙ୍କ ପରିବାରକୁ ମୋର ଅନେକ ଅନେକ ଶୁଭେଚ୍ଛା ।
ଅଶୋକ କପୁର : ଥାଙ୍କ୍ ୟୁ ସାର । ଧନ୍ୟବାଦ । ଆପଣଙ୍କ ସହିତ କଥା ହୋଇଥିବାରୁ ଆମେ ବହୁତ ଖୁସି ।
ମୋଦୀ ଜୀ : ମୁଁ ମଧ୍ୟ ଖୁସି ।
ଅଶୋକ କପୁର : ଏସବୁ ପରେ ବି ସାର୍, ଆମକୁ ଯଦି କୌଣସି ପ୍ରକାର ସଚେତନତା ସୃଷ୍ଟି ପାଇଁ କେଉଁଆଡେ ଯିବାକୁ ହୁଏ, କିଛି କରିବା ଦରକାର ହୁଏ, ସେଥିପାଇଁ ଆମେ ସବୁବେଳେ ପ୍ରସ୍ତୁତ ।
ମୋଦୀ ଜୀ : ନା, ଆପଣ ନିଜ ଅନୁସାରେ ଆଗ୍ରାରେ କିଛି କରନ୍ତୁ । କେହି ଭୋକରେ ଥିଲେ ତାକୁ ଖାଇବାକୁ ଦିଅନ୍ତୁ ।
ଅଶୋକ କପୁର : ଆଜ୍ଞା, ନିଶ୍ଚୟ, ନିଶ୍ଚୟ ।
ମୋଦୀ ଜୀ : ଗରିବ ଲୋକଙ୍କ କଥା ଚିନ୍ତା କରନ୍ତୁ । ଲୋକେ ନିୟମ ପାଳନ କରନ୍ତୁ । ଲୋକଙ୍କୁ ବୁଝାନ୍ତୁ ଯେ, ଆପଣଙ୍କ ପରିବାର ଏହି ବ୍ୟାଧିଗ୍ରସ୍ତ ହୋଇଥିଲା । କିନ୍ତୁ ଆପଣ ନିୟମ ପାଳନ କରି ନିଜ ପରିବାରକୁ ସୁରକ୍ଷିତ କଲେ । ସବୁ ଲୋକ ଯଦି ଏମିତି ନିୟମ ପାଳନ କରନ୍ତି ଦେଶ ରକ୍ଷା ପାଇଯିବ ।
ଅଶୋକ କପୁର : ସାର୍, ଆମେ ଆମ ଭିଡିଓ କରି ଚ୍ୟାନେଲମାନଙ୍କୁ ଦେଇଦେଇଛୁ ।
ମୋଦୀ ଜୀ : ବାଃ, ଭଲ କଥା ।
ଅଶୋକ କପୁର : ଚ୍ୟାନେଲମାନେ ଏହାକୁ ପ୍ରସାରର ବି କରିଛନ୍ତି, ଯାହାଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବ । ଆଉ …
ମୋଦୀ ଜୀ : ସୋସିଆଲ ମିଡିଆରେ ଏହାକୁ ବହୁତ ଲୋକପ୍ରିୟ କରାଯିବା ଉଚିତ ।
ଅଶୋକ କପୁର : ଆଜ୍ଞା ଆଜ୍ଞା । ଆଉ, ଆମେ ଯେଉଁ କଲୋନୀରେ ରହୁଛୁ ସେ କଲୋନି ସଫା-ସୁତୁରା । ଆମେ ସମସ୍ତଙ୍କୁ କହିଦେଇଛୁ ଯେ, ଆମେ ଆସିବା ଦ୍ୱାରା କେହି ଭୟ କରିବା ଦରକାର ନାହିଁ । ଯଦି କାହାରି କୌଣସି ଅସୁବିଧା ଥାଏ, ତା’ହେଲେ ସେ ଯାଇ ନିଜର ପରୀକ୍ଷା କରାଇନିଅନ୍ତୁ । ଯେଉଁମାନେ ଆମ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ବି ନିଜର ପରୀକ୍ଷା କରାନ୍ତୁ । ଭଗବାନଙ୍କ ଦୟାରୁ ସମସ୍ତେ ସୁସ୍ଥ ରହନ୍ତୁ ।
ମୋଦୀ ଜୀ : ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ।
ଆମେ ଅଶୋକ ଜୀ ଏବଂ ତାଙ୍କ ପରିବାରର ଦୀର୍ଘାୟୁ କାମନା କରୁଛୁ । ସେ ଯାହା କହିଲେ ଯେ, ଭୟ ନ କରି ଠିକ ସମୟରେ ଉଚିତ ପଦକ୍ଷେପ ଗ୍ରହଣ କରିବା, ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଏବଂ ସାବଧାନତା ଅବଲମ୍ବନ କରିବା ଦ୍ୱାରା ଆମେ ଏହି ମହାମାରୀକୁ ପରାଜିତ କରିପାରିବା ।
ମେଡିକାଲ ସ୍ତରରେ ଆମେ କିଭଳି ଏହି ମହାମାରୀର ମୁକାବିଲା କରୁଛୁ ସେକଥା ଜାଣିବା ପାଇଁ ମୁଁ କେତେଜଣ ଡାକ୍ତରଙ୍କ ସହିତ କଥା ହେଲି, ଯେଉଁମାନେ ଏହି ସଂଗ୍ରାମରେ ଆଗ ଧାଡ଼ିରେ ଠିଆ ହୋଇଛନ୍ତି । ସେମାନଙ୍କ ବୃତି ଯୋଗୁଁ ପ୍ରତିଦିନ ସେମାନେ ଏହି ରୋଗୀମାନଙ୍କ ସଂସ୍ପର୍ଶରେ ଆସୁଛନ୍ତି । ଆସନ୍ତୁ ଶୁଣିବା । ଏବେ ଦିଲ୍ଲୀରୁ ଆମ ସହିତ ଯୋଡ଼ି ହୋଇଛନ୍ତି ଡାକ୍ତର ନୀତେଶ ଗୁପ୍ତା
ମୋଦୀ ଜୀ : ନମସ୍କାର ଡକ୍ଟର ।
ଡା. ନୀତେଶ ଗୁପ୍ତା : ନମସ୍କାର ସାର୍ ।
ମୋଦୀ ଜୀ : ନମସ୍କାର ନୀତେଶ ଜୀ । ଆପଣ ତ ସମ୍ପୂର୍ଣ୍ଣ ଭାବେ ରଣକ୍ଷେତ୍ରରେ ଛିଡ଼ା ହୋଇଛନ୍ତି । ମୁଁ ଜାଣିବାକୁ ଚାହୁଁଛି, ଡାକ୍ତରଖାନାଗୁଡ଼ିକରେ ଆପଣଙ୍କ ଅନ୍ୟ ସାଥୀମାନଙ୍କ ମୁଡ୍ କେମିତି ରହିଛି ଟିକିଏ କହିବେ କି?
ଡା. ନୀତେଶ ଗୁପ୍ତା : ସମସ୍ତଙ୍କ ମୁଡ୍ ଅପ୍ବିଟ୍ ରହିଛି । ସମସ୍ତଙ୍କ ଉପରେ ଆପଣଙ୍କ ଆଶୀର୍ବାଦ ରହିଛି । ଆମର ଯାହା ସବୁ ଆବଶ୍ୟକ ହେଉଛି, ସେସବୁ ଆପଣ ପୂରଣ କରୁଛନ୍ତି । ତେଣୁ ସୀମାରେ ସେନାବାହିନୀ କାର୍ଯ୍ୟରତ ଥିବାପରି ଆମେ ବି ସେମିତି କାମରେ ଲାଗିଛୁ । ଆମର କେବଳ ଗୋଟିଏ ମାତ୍ର କର୍ତବ୍ୟ ଯେ, ରୋଗୀଟି ଠିକ୍ ହୋଇ ଘରକୁ ଯାଉ ।
ମୋଦୀ ଜୀ : ଆପଣ ଠିକ କହୁଛନ୍ତି । ଇଏ ମଧ୍ୟ ଯୁଦ୍ଧ ଭଳିଆ ପରିସ୍ଥିତି । ଆଉ ଆପଣମାନେ ହିଁ ପରିସ୍ଥିତିକୁ ସମ୍ଭାଳି ରଖିଛନ୍ତି ।
ଡା. ନୀତେଶ ଗୁପ୍ତା : ଆଜ୍ଞା ।
ମୋଦୀ ଜୀ : ଚିକିତ୍ସା ସାଙ୍ଗକୁ ଆପଣଙ୍କୁ ରୋଗୀର କାଉନ୍ସେଲିଂ ମଧ୍ୟ କରିବାକୁ ପଡ଼ୁଥିବ?
ଡା. ନୀତେଶ ଗୁପ୍ତା : ଆଜ୍ଞା, ସେଇଟା ନିତାନ୍ତ ଜରୁରୀ । କାରଣ, ରୋଗୀ ପ୍ରଥମେ ସଂକ୍ରମଣ କଥା ଶୁଣି ଡରିଯାଇଥାଏ । ତାକୁ ବୁଝାଇବାକୁ ପଡ଼ିଥାଏ ଯେ – ଆପଣଙ୍କର କିଛି ହୋଇନି, ୧୪ ଦିନରେ ଆପଣ ସମ୍ପୂର୍ଣ୍ଣ ଭଲ ହୋଇ ଘରକୁ ଫେରିବେ । ଏଯାବତ୍ ଆମେ ଏଭଳି ୧୬ ଜଣ ରୋଗୀଙ୍କୁ ଘରକୁ ପଠେଇସାରିଛୁ ।
ମୋଦୀ ଜୀ : ତାହେଲେ ଆପଣ କଥା ହେଲାବେଳେ ମୋଟାମୋଟି କ’ଣ ଅନୁଭବ କରୁଛନ୍ତି? ସେମାନେ କେଉଁ କଥାକୁ ଭୟ କରୁଛନ୍ତି?
ଡା. ନୀତେଶ ଗୁପ୍ତା : ସେମାନେ ଏକଥା ହିଁ ଭାବୁଛନ୍ତି ଯେ, ଆଗକୁ କ’ଣ ହେବ? କ’ଣ ହେବ ଏବେ? ବିଶ୍ୱର ଅନ୍ୟ ଦେଶମାନଙ୍କରେ ଯେମିତି ଏହି ରୋଗରେ ପଡ଼ି ଲୋକ ପ୍ରାଣ ହରାଉଛନ୍ତି, ତାଙ୍କର ମଧ୍ୟ ସେଭଳି ଅବସ୍ଥା ହେବ । ତାଙ୍କର କେଉଁ ଅସୁବିଧା କେବେ ଉପଶମ ହେବ, ସେକଥା ଆମେ ତାଙ୍କୁ ବୁଝାଉଛୁ । ଆପଣଙ୍କ କେସ୍ ତ ପ୍ରାରମ୍ଭିକ ଅବସ୍ଥାରେ ଅଛି । ସାଧାରଣ ଥଣ୍ଡା, କାଶ ଭଳିଆ ହୋଇଛି । ତାହା ଯେମିତି ଠିକ୍ ହୋଇଯାଏ – ୫-୭ ଦିନରେ ଇଏ ବି ସେମିତି ଠିକ୍ ୧୨ ହୋଇଯିବ । ତାପରେ ଆମେ ଆପଣଙ୍କ ଟେଷ୍ଟ କରିବୁ, ଆଉ ତାହା ନେଗେଟିଭ୍ ହେଲେ ଆପଣଙ୍କୁ ଘରକୁ ପଠେଇଦେବୁ । ଆମେ ଦିନକୁ ତିନି ଚାରି ଥର ସେମାନଙ୍କ ପାଖକୁ ଯାଉଛୁ । ତେଣୁ ସେମାନେ ମଧ୍ୟ ଆଶ୍ୱସ୍ତ ହେଉଛନ୍ତି ।
ମୋଦୀ ଜୀ : ସେମାନଙ୍କ ଆତ୍ମବିଶ୍ୱାସ ଫେରିଆସୁଛି କି? ଆରମ୍ଭରେ ତ ଡରିଯାଉଥିବେ?
ଡା. ନୀତେଶ ଗୁପ୍ତା : ଆରମ୍ଭରେ ତ ଭୟ କରିଯାଆନ୍ତି । କିନ୍ତୁ, ଯେତେବେଳେ ଆମେ ତାଙ୍କୁ ବୁଝାଉ, ସେତେବେଳେ ଦୁଇ ତିନି ଦିନ ପରେ, ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହୁଏ, ସେତେବେଳେ ସେମାନେ ମଧ୍ୟ ଅନୁଭବ କରନ୍ତି ଯେ, ସେମାନେ ଭଲ ହୋଇଯିବେ ।
ମୋଦୀ ଜୀ: କିନ୍ତୁ ସବୁ ଡାକ୍ତରମାନଙ୍କୁ ଲାଗୁଛି କି ଯେ, ଜୀବନର ସବୁଠାରୁ ବଡ଼ ସେବାକାର୍ଯ୍ୟ ତାଙ୍କରି ଭାଗ୍ୟରେ ପଡ଼ିଛି ବୋଲି?
ଡା. ନୀତେଶ ଗୁପ୍ତା : ହଁ ଆଜ୍ଞା । ଆମେ ନିଜର ଟିମ୍କୁ ସମ୍ପୂର୍ଣ୍ଣ ଉତ୍ସାହିତ କରି ରଖିଥାଉ । ଏଥିରେ ଭୟ କରିବାର କିଛି ନାହିଁ । ଯଦି ଆମେ ସବୁ ପ୍ରକାର ସାବଧାନତା ଅବଲମ୍ବନ କରିବା, ରୋଗୀଙ୍କୁ ସବୁ ପ୍ରକାର ସାବଧାନତା ସମ୍ପର୍କରେ ବୁଝାଇବା, ତାହେଲେ ସବୁକିଛି ଠିକ୍ ହେବ ।
ମୋଦୀ ଜୀ : ହେଉ, ଡକ୍ଟର, ଆପଣଙ୍କ ପାଖକୁ ବହୁ ସଂଖ୍ୟାରେ ରୋଗୀ ମଧ୍ୟ ଆସୁଛନ୍ତି । ଆଉ ଆପଣ ମଧ୍ୟ ପ୍ରାଣପଣେ ଲାଗିଛନ୍ତି । ଆପଣଙ୍କ ସହିତ କଥାହୋଇ ଭଲ ଲାଗିଲା । ମୁଁ ଆପଣଙ୍କ ସାଙ୍ଗରେ ରହିଛି । ସଂଗ୍ରାମ ଜାରି ରଖନ୍ତୁ ।
ଡା. ନୀତେଶ ଗୁପ୍ତା : ଆପଣଙ୍କ ଆଶୀର୍ବାଦ ରହିଥାଉ । ଆମର କେବଳ ସେତିକି ଦରକାର ।
ମୋଦୀ ଜୀ : ବହୁତ ବହୁତ ଶୁଭେଚ୍ଛା, ଭାଇ ।
ଡା. ନୀତେଶ ଗୁପ୍ତା : ସାର୍, ଥ୍ୟାଙ୍କ ୟୁ ।
ମୋଦୀ ଜୀ : ଥ୍ୟାଙ୍କ୍ ୟୁ । ନିତିଶ ଜୀ ଆପଣଙ୍କୁ ବହୁତ ବହୁତ ସାଧୁବାଦ ଜଣାଉଛି । ଆପଣଙ୍କ ଭଳି ଲୋକଙ୍କ ପ୍ରଚେଷ୍ଟାରେ ଭାରତ କରୋନା ୧୩ ବିରୁଦ୍ଧରେ ସଂଗ୍ରାମରେ ନିଶ୍ଚୟ ବିଜୟ ଲାଭ କରିବ । ମୋର ଆପଣଙ୍କୁ ଅନୁରୋଧ ଯେ, ଆପଣ ନିଜର ଯତ୍ନ ନିଅନ୍ତୁ । ନିଜ ସାଥୀମାନଙ୍କର ମଧ୍ୟ ଯତ୍ନ ନିଅନ୍ତୁ । ନିଜ ପରିବାରର ଯତ୍ନ ନିଅନ୍ତୁ । ବିଶ୍ୱବାସୀଙ୍କ ଅନୁଭୂତିରୁ ଜଣାପଡ଼େ ଯେ, ଏହି ରୋଗରେ ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଏ । ହଠାତ ହେଉଥିବା ଏହି ବୃଦ୍ଧି ଯୋଗୁଁ ବିଦେଶରେ ଆମେ ଉନ୍ନତରୁ ଉନ୍ନତ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଭୁଶୁଡ଼ି ପଡ଼ିବା ଦେଖିଛୁ । ଭାରତରେ ଏଭଳି ପରିସ୍ଥିତି ସୃଷ୍ଟି ନ ହେଉ ସେଥିପାଇଁ ହିଁ ଆମକୁ ନିରବଚ୍ଛିନ୍ନ ଭାବରେ ପ୍ରଚେଷ୍ଟା କରିବାକୁ ପଡ଼ିବ ।
ଆଉ ଜଣେ ଡାକ୍ତର ପୁଣେରୁ ଆମ ସହିତ ଯୋଡି ହୋଇଛନ୍ତି । ଡାକ୍ତର ଶ୍ରୀମାନ ୱରସେ …
ଡାକ୍ତର ୱର୍ସେ : ନମସ୍ତେ । ନମସ୍ତେ ।
ମୋଦି ଜୀ : ନମସ୍ତେ! ଆପଣ ତ ସମ୍ପୂର୍ଣ୍ଣ ‘ମାନବ ସେବା ହିଁ ମାଧବ ସେବା’ର ମାନସିକତାର କାମରେ ଲାଗିଛନ୍ତି । ତେଣୁ ଆଜି ମୁଁ ଆପଣଙ୍କ ସହ କିଛି କଥା ହେବାକୁ ଚାହୁଁଛି ଯାହାକି ଦେଶବାସୀଙ୍କ ପାଇଁ ଆପଣଙ୍କ ବାର୍ତା ହେବ । ପ୍ରଥମ କଥା ହେଲା ଅନେକ ଲୋକଙ୍କ ମନରେ ଏ ପ୍ରଶ୍ନ ଥାଏ କି କେବେ ଡାକ୍ତରଙ୍କ ସହ ଯୋଗାଯୋଗ କରିବା କଥା । ଆଉ କେବେ କରୋନା ଟେଷ୍ଟ କରାଇବା ଦରକାର? ଜଣେ ଚିକିତ୍ସକ ଭାବରେ ଆପଣ ତ ଆପଣଙ୍କୁ ଏହି କରୋନା ଆକ୍ରାନ୍ତଙ୍କ ପାଇଁ ସମର୍ପିତ କରିଦେଇଛନ୍ତି! ତେଣୁ ଆପଣଙ୍କ କଥାରେ ବେଶ୍ ଦମ୍ ଅଛି, ମୁଁ ସେସବୁ ଶୁଣିବାକୁ ଚାହୁଁଛି ।
ଡାକ୍ତର ୱର୍ସେ : ସାର୍! ଆମର ଏଠି ବି.ଜେ. ମେଡ଼ିକାଲ କଲେଜ, ପୁଣେରେ ଅଛି । ମୁଁ ସେଠି ପ୍ରଫେସର ଅଛି । ଆଉ ଆମର ପୁଣେ ମହାନଗର ନିଗମ ହସପିଟାଲ ରହିଛି, ନାଇଡୁ ହସପିଟାଲ୍ ନାଁରେ । ସେଠାରେ ଜାନୁୟାରୀ ୨୦୨୦ରୁ ଗୋଟିଏ ସ୍କ୍ରନିଂ ସେଂଟର ଆରମ୍ଭ ହୋଇଛି । ଆଜିପର୍ଯ୍ୟନ୍ତ ସେଠାରେ ୧୬ଟି କୋଭିଡ-୧୯ ପଜିଟିଭ ମାମଲା ବାହାରିଛି । ଆଉ ଯେଉଁ ୧୬ଟି କୋଭିଡ-୧୯ ପଜିଟିଭ କେସ ଜଣାପଡିଛି, ସେମାନଙ୍କୁ ଚିକିତ୍ସା କରି, କ୍ୱାରେଂଟାଇନ କରି, ଆଇସୋଲେସନରେ ରଖି ୭ ଜଣଙ୍କୁ ଡିସଚାର୍ଜ କରିଦିଆଯାଇଛି ସାର୍ । ଆଉ ଯେଉଁ ବାକି ୯ ଜଣ ଅଛନ୍ତି, ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ସେମାନେ ଭଲ ଅଛନ୍ତି । ଯଦିଓ ସେମାନଙ୍କ ଦେହରେ ଭୂତାଣୁ ଅଛି, ତଥାପି ସେମାନେ କରୋନା ଭୂତାଣୁ ମୁକ୍ତ ହୋଇ ଆରୋଗ୍ୟ ଲାଭ କରୁଛନ୍ତି । ଆଉ ଏବେ ସେଠି ଯେଉଁ ନମୁନା ଆକାର ଅଛି ଏମିତିରେ ଛୋଟ ଅଛି ସାର୍ ମାତ୍ର ୧୬ଟି ମାମଲା । କିନ୍ତୁ ଯାହା ଜଣାପଡୁଛି, ଯୁବବର୍ଗ ବି ଆକ୍ରାନ୍ତ ହେଉଛନ୍ତି । ଆଉ ଯୁବବର୍ଗ ଆକ୍ରାନ୍ତ ହେଲେ ବି ଇଏ ଯେଉଁ ପ୍ରକାରର ରୋଗ, ବେଶୀ ସିରିୟସ୍ ରୋଗ ନୁହେଁ ସାର୍ । ଇଏ ସାମାନ୍ୟ ରୋଗ ଆଉ ସେ ରୋଗୀମାନେ ବି ପୂରା ସୁସ୍ଥ ହେଉଛନ୍ତି । ଆଉ ଏବେ ଯେଉଁ ୯ ଜଣ ବାକି ରହିଛନ୍ତି ସେଠାରେ ସେମାନେ ବି ଭଲ ହେବେ, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯେମିତି ଖରାପ ନ ହୁଏ, ତା’ଉପରେ ଆମେ ପ୍ରତିଦିନ ନଜର ରଖୁଛୁ । ସେମାନେ ୪/୫ ଦିନ ଭିତରେ ଭଲ ହୋଇଯିବେ । ଯେଉଁମାନେ କରୋନା ହୋଇଥିବାର ସନ୍ଦେହ କରି ଚିକିତ୍ସା ପାଇଁ ଏଠିକୁ ଆସୁଛନ୍ତି, ଆନ୍ତର୍ଜାତୀୟ ପର୍ଯ୍ୟଟକ ଆଉ ଯିଏ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେଭଳି ଲୋକମାନଙ୍କର ଆମେ ସ୍ୱାବ ନେଉଛୁ ପରୀକ୍ଷା ପାଇଁ । ଓରୋଫାରି ଓରୋଫେରିଞ୍ଜିଆଲ ସ୍ୱାବ ଏବଂ ନାଜାଲ ସ୍ୱାବ ନେଉଛୁ । ନାଜାଲ ସ୍ୱାବ ରିପୋର୍ଟ ଆସିବା ପରେ ଯଦି ପଜିଟିଭ ଜଣାପଡ଼ିଲା ତା’ହେଲେ ଆମେ ତାଙ୍କୁ ପଜିଟିଭ ୱାର୍ଡରେ ଭର୍ତି କରିଦେଉଛୁ । ଆଉ ଯାହାର ନେଗେଟିଭ ବାହାରିଲା, ତାଙ୍କୁ ନିଜ ଘରେ କେମିତି ହୋମ କ୍ୱାରେଂଟାଇନ ବା ସଂଗରୋଧରେ ରହିବେ ସେସବୁ ପରାମର୍ଶ ଦେଇ ତାଙ୍କୁ ଘରକୁ ପଠାଇଦେଉଛୁ ।
ମୋଦୀଜୀ : ଆପଣ ସେମାନଙ୍କୁ କ’ଣ ବୁଝାଉଛନ୍ତି? ଘରେ ରହିବା ପାଇଁ କ’ଣ ପରାମର୍ଶ ଦେଉଛନ୍ତି!!
ଡାକ୍ତର ୱର୍ସେ : ସାର୍, ଯଦି ଜଣେ ଘରେ ରହିବେ, ତା’ହେଲେ ଘରେ ବି ନିଜେ ନିଜକୁ କ୍ୱାରୋଂଟାଇନ କରିବାକୁ ପଡ଼ିବ । ପ୍ରଥମ କଥାହେଲା ଅତି କମ୍ରେ ପରିବାରର ପ୍ରତି ସଦସ୍ୟଙ୍କଠାରୁ ଛଅଫୁଟ୍ ବ୍ୟବଧାନ ରଖିବାକୁ ପଡ଼ିବ । ଦ୍ୱିତୀୟ କଥା ହେଲା, ମାସ୍କ ପିନ୍ଧିବାକୁ ପଡ଼ିବ ଏବଂ ବାରମ୍ବାର ହାତକୁ ସଫା କରିବାକୁ ହେବ । ଯଦି ଆପଣଙ୍କ ପାଖରେ ସାନିଟାଇଜର ନାହିଁ, ତା’ହେଲେ ସାଧାରଣ ସାବୁନ୍ରେ ହାତକୁ ବାରମ୍ବାର ଧୋଇବାକୁ ହେବ । କାଶ-ଛିଙ୍କ ଲାଗିଲେ, ସାଦା ରୁମାଲ୍ ମୁହଁରେ ଦେଇ ତା’ରି ଉପରେ ଛିଙ୍କିବେ କିମ୍ବା କାଶିବେ । ତା’ହେଲେ କାଶ ଛିଙ୍କରୁ ନିର୍ଗତ ହେଉଥିବା ଛେପଶିଙ୍ଘାଣି ବେଶୀ ଦୂରକୁ ଯିବନି ପୁଣି ଆଉ ମାଟିରେ ବି ପଡ଼ିବନି ଯାହାଯୋଗୁଁ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ସମ୍ଭାବନା ରହିବନି । ଆଉ ଗୋଟିଏ କଥା ହେଲା ସାର୍, ସେମାନଙ୍କୁ ଘରେ ସଂଗରୋଧରେ ରହିବାକୁ ହେବ । ସେମାନେ ଆଦୌ ଘରୁ ବାହାରକୁ ଯିବେନି । ଏବେ ତ ଲକଡାଉନ ହୋଇଯାଇଛି । ଏହି ଅବସ୍ଥାରେ, ସେମାନେ ଘର ଭିତରେ ସଂଗରୋଧ ହୋଇ ଏକାନ୍ତବାସରେ ୧୪ ଦିନ ପାଇଁ ଲକ୍ଡାଉନ୍ ହୋଇ ରହିବା ଆବଶ୍ୟକ । ଏଇସବୁ କଥା ଆମେ ସେମାନଙ୍କୁ ପରାମର୍ଶ ଦେଇଥାଉ ସାର୍ ।
ମୋଦୀଜୀ : ଯାହାହେଉ, ଡକ୍ଟର, ଆପଣ ତ ବହୁତ ଭଲ ସେବା କରୁଛନ୍ତି ଆଉ ସମର୍ପଣ ଭାବରେ କରୁଛନ୍ତି, ଆଉ ଆପଣଙ୍କ ପୂରା ଟିମ ବି କାମରେ ଲାଗିଛି । ମୋର ବିଶ୍ୱାସ, ଆମର ଯେତେ ରୋଗୀ ଆସିଛନ୍ତି, ସମସ୍ତେ ଆରୋଗ୍ୟଲାଭ କରି ନିଜ ନିଜ ଘରକୁ ଯିବେ ଏବଂ ଆପଣ ସମସ୍ତଙ୍କ ସହଯୋଗରେ ଦେଶ ବି ଏ ଯୁଦ୍ଧ ଜିତିବ । ଡାକ୍ତର : ସାର୍ ମୋର ବିଶ୍ୱାସ ଯେ ଆମେ ଜିତିବୁ । ଏହି ଯୁଦ୍ଧ ଜିତିଯିବୁ ।
ମୋଦୀଜୀ : ବହୁତ ବହୁତ ଶୁଭକାମନା ଡାକ୍ତର – ଆପଣଙ୍କୁ ଧନ୍ୟବାଦ ଡକ୍ଟର ।
ଡାକ୍ତର : ଥ୍ୟାଙ୍କ୍ ୟୁ, ଥ୍ୟାଙ୍କ୍ ୟୁ ସାର୍ ।
ଆମର ଏ ସମସ୍ତ ସାଥୀ ପୂରା ଦେଶକୁ ଏଇ ବିପଦରୁ ମୁକୁଳାଇବାକୁ ଲାଗିପଡ଼ିଛନ୍ତି । ଏମାନେ ଯୋଉ କଥା ଆମକୁ କହୁଛନ୍ତି ଏହା କେବଳ ଶୁଣିବା ପାଇଁ ନୁହେଁ ବରଂ ନିଜ ଜୀବନରେ ପ୍ରୟୋଗ କରିବା କଥା । ଆଜି ଯେତେବେଳେ ମୁଁ ଡାକ୍ତରମାନଙ୍କ ତ୍ୟାଗ, ତପସ୍ୟା ଓ ସମର୍ପଣ ଦେଖୁଛି ସେତେବେଳେ ମୋତେ ଆଚାର୍ଯ୍ୟ ଚରକ କହିଥିବା କଥା ମନେପଡ଼ୁଛି । ଆଚାର୍ଯ୍ୟ ଚରକ ଡାକ୍ତରଙ୍କ ପାଇଁ ଉପଯୁକ୍ତ କଥା କହିଛନ୍ତି ଏବଂ ଆଜିବି ଆମେ ଡାକ୍ତରମାନଙ୍କ ଜୀବନରେ ତାହା ଦେଖୁଛେ – ଆଚାର୍ଯ୍ୟ ଚରକ କହିଥିଲେ – ନ ଆତ୍ମାର୍ଥମ୍ ନ ଅପି କାମାର୍ଥମ୍ ଅଦଭୁତ ଦୟାଂ ପ୍ରତି ବର୍ତତେ ୟତ୍ ଚିକିତ୍ସାୟାଂ ସ ସ୍ୱୟମ୍ ଇତି ବର୍ତତେ ….. ମାନେ ଧନ ବା କୌଣସି ବିଶେଷ କାମନାକୁ ନେଇ ନୁହେଁ ବରଂ ରୋଗୀର ସେବା କରି ଦୟାଭାବ ରଖି କାମ କରିବା ହିଁ ଶ୍ରେଷ୍ଠ ଚିକିତ୍ସକ ହୋଇଥାଏ ।
ମାନବତାରେ ପୂର୍ଣ୍ଣ ନର୍ସଙ୍କୁ ମୁଁ ଆଜି ପ୍ରଣାମ କରୁଛି – ଆପଣମାନେ ସମସ୍ତେ ଯେଉଁ ସେବାଭାବ ସହ କାମ କରୁଛନ୍ତି ତାହା ଅତୁଳନୀୟ – ଏଇଟା ବି ଗୋଟେ ସଂଯୋଗର କଥା ଏଇବର୍ଷ ଅର୍ଥାତ୍ ୨୦୨୦ ମସିହାକୁ ପୂରା ବିଶ୍ୱରେ ଅନ୍ତର୍ଜାତୀୟ ନର୍ସ ଓ ମିଡୱାଇଭସ ବର୍ଷର ଭାବେ ପାଳନ କରାଯାଉଛି – ଏହାର ସମ୍ବନ୍ଧ ୨୦୦ ବର୍ଷ ପୂର୍ବେ ୧୮୨୦ରେ ଜନ୍ମ ନେଇଥିବା ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କ ସହ ଯୋଡ଼ି ହୋଇଛି – ଯିଏ ମାନବ ସେବା ଭାବରେ ନର୍ସିଂକୁ ଏକ ନୂଆ ପରିଚୟ ଦେଲେ – ଗୋଟିଏ ନୂଆ ଶିଖରକୁ ପହଁଚାଇଲେ – ଦୁନିଆରେ ପ୍ରତ୍ୟେକ ନର୍ସଙ୍କର ସେବାଭାବ ପ୍ରତି ସମର୍ପିତ ଏଇ ବର୍ଷକୁ ନିଶ୍ଚିତ ଭାବେ ପୁରା ନର୍ସିଂ ସମ୍ପ୍ରଦାୟ ପ୍ରତି ଏକ ବଡ଼ ପରୀକ୍ଷାର ସମୟ ଭାବେ ଉଭାହୋଇଛି – ମୋର ବିଶ୍ୱାସ କି ଆପଣମାନେ ସମସ୍ତେ ଏହି ପରୀକ୍ଷାରେ କେବଳ ସଫଳ ହେବେନି ବରଂ ଅନେକ ଜୀବନ ବି ବଁଚାଇବେ । ଆପଣମାନଙ୍କ ପରି ସାଥୀମାନଙ୍କର ମନୋବଳ ଓ ଉତ୍ସାହ କାରଣରୁ ହିଁ ଏତେବଡ଼ ଯୁଦ୍ଧ ଆମେ ଲଢ଼ିପାରୁଛୁ । ଆପଣମାନଙ୍କ ଭଳି ସାଥୀ ସିଏ ଡାକ୍ତର ହୁଅନ୍ତୁ, ନର୍ସ ହୁଅନ୍ତୁ, ପାରମେଡିକାଲ, ଆଶା, ଏଏନଏମ ବା ସଫେଇ କର୍ମଚାରୀ ଆପଣମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ଦେଶ ଚିନ୍ତା କରୁଛି – ଏହାକୁ ଦୃଷ୍ଟିରେ ରଖି ଏଇଭଳି ପ୍ରାୟ ୨୦ ଲକ୍ଷ ସାଥୀଙ୍କ ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମାର ଘୋଷଣା ସରକାର କରିଛନ୍ତି ଯାହାଦ୍ୱାରା ଆପଣମାନେ ଏ ଯୁଦ୍ଧରେ ଅଧିକ ଆତ୍ମବିଶ୍ୱାସର ସହ ଦେଶକୁ ନେତୃତ୍ୱ ଦେଇପାରିବେ ।


