ଲକ୍ଡାଉନ ପାଇଁ ପୋଲିସ୍ ନାକେଦମ , ଉଲଂଘନକାରୀଙ୍କୁ ଲାଠିମାଡ
ଯୋଡା : କରୋନା ମହାମାରୀକୁ ପ୍ରତିରୋଧ କରିବା ପାଇଁ ସାରା ଦେଶରେ ସରକାରଙ୍କ ପକ୍ଷରୁ ୨୧ ଦିନ ପାଇଁ ଲକଡାଉନ୍ େଘୋଷଣା ହୋଇଥିବା ବେଳେ କେନ୍ଦୁଝର ଜିଲା ଯୋଡା ସହରରେ ଏହି ଲକଡାଉନ୍ କୁ କିଛି ଲୋକ ଖୋଲାଖୋଲି ଉଲଂଘନ କରୁଥିବା ଦେଖିବାକୁ ମିଳିଛି । ଏହି ଉଲଘଂନକାରୀଙ୍କୁ ସାବାଡ୍ କରିବା ପାଇଁ ଯୋଡା ପୋଲିସ ନାକେଦମ ହୋଇପଡିଛି । ସହରରେ ପୌରପାଳିକା ଓ ପୋଲିସ ପକ୍ଷରୁ ବାରମ୍ବାର ଏନେଇ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଥିଲେ ହେଁ , କିଛି ଲୋକେ ଏହି ଲକଡାଉନ୍ ନିୟମକୁ ଉଲଂଘନ କରି ରାସ୍ତାରେ ବୁଲୁଥିବା ଏବଂ ବିଭିନ୍ନ ସାହି,ବସ୍ତି ଓ ଛକରେ ରୁଣ୍ଡ ହେଉଥିବାରୁ ପୋଲିସ ଉଲଂଘନକାରୀଙ୍କୁ ସାବାଡ୍ କରିବା ପାଇଁ ଲାଠିମାଡ କରିଛି । ଏପରିକି ବିନା କାରଣରେ ବାଇକ୍ ରେ ବୁଲୁଥିବା ବ୍ୟକ୍ତିଙ୍କ ବାଇକ୍ ମଧ୍ୟ ପୋଲିସ ଜବତ କରିଛି । କିଛି ଉଲଂଘନକାରୀ ପୋଲିସକୁ ଦୁର୍ବ୍ୟବହାର କରୁଥିବା ନଜିର ମଧ୍ୟ ଆସିଛି । ବଡବିଲ୍ ଏସଡିପିଓ ସତ୍ୟ ବିକାଶ ଭୂୟାଁ ଙ୍କ ନିର୍ଦ୍ଦେଶକ୍ରମେ ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ ଙ୍କ ନେତୃତ୍ୱରେ ଯୋଡା ଥାନା ଏସଆଇ ସୁନୀଲ ସୋରେନ୍ , ସେକ୍ ଆଜାରୁଦ୍ଦିନ୍, ସୁଶ୍ମିତା ହୋରୋ ଓ ଅନ୍ୟ ଅଧିକାରୀମାନେ ଉଲଂଘନକାରୀଙ୍କୁ ସାବାଡ କରିବା ପାଇଁ ସହରରେ ପେଟ୍ରୋଲିଂ କଡାକଡି କରିଛନ୍ତି ।


