ଇଟାଲୀରେ ୧୧ ହଜାର ମୃତ, ବିଶ୍ବରେ କୋରୋନା ମୃତ୍ୟୁସଂଖ୍ୟା ୩୬ ହଜାର ଟପିଲା
ରୋମ୍: କୋରୋନା ମହାମାରୀ ବେଳକୁ ବେଳ ବେକାବୁ ହେଉଥିଲା ବେଳେ ୟୁରୋପୀୟ ରାଷ୍ଟ୍ର ଓ ଆମେରିକା ସବୁଠାରୁ ବେଶୀ ପ୍ରଭାବିତ ହେବାରେ ଲାଗିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସାରା ବିଶ୍ବରେ କୋରୋନା ପ୍ରଭାବରେ ପ୍ରାଣ ହରାଇଥବା ଲୋକଙ୍କ ସଂଖ୍ୟା ୩୬ ହଜାର ୨୨୬ରେ ପହଞ୍ଚିଛି। ଶେଷ ୨୪ ଘଣ୍ଟାରେ ଇଟାଲୀରେ ଆଉ ୪ ହଜାର ଲୋକ ଆକ୍ରାନ୍ତ ହୋଇଥିଲା ବେଳେ ଦେଶରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୧୧ ହଜାର ୫୯୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଇଟାଲୀରେ ୮୧୨ ଜଣ ପ୍ରାଣ ହରାଇଥିଲା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ପାର କରିଛି। ୱାର୍ଲ୍ଡୋମିଟର ତଥ୍ୟ ଅନୁସାରେ ଇଟାଲୀରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୧ ହଜାର ୭୩୯ ହୋଇଛି।
ସେହିପରି ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାର ୫୪୨ରେ ପହଞ୍ଚିଛି। ପ୍ରାଣ ହରାଇଥବା ଲୋକଙ୍କ ସଂଖା ୨୬୨୬ ବୋଲି ଜଣାପଡ଼ିଛି। ସେହିପରି କୋରୋନା ପାଇଁ ସ୍ପେନକୁ ମଧ୍ୟ ବହୁ ମୂଲ୍ୟ ଦେବାକୁ ପଡ଼ିଛି। ସ୍ପେନରେ ୭ ହଜାର ୩୪୦ ଜଣ ପ୍ରାଣ ହରାଇଥଲା ବେଳେ ଆକ୍ରାନ୍ତ ସଂଖ୍ୟା ବଢ଼ି ୮୫ ହଜାର ୧୯୫ ହୋଇଛି। ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୦ ରହିଥଲା ବେଳେ ପ୍ରାଣ ହରାଇଥବା ଲୋକଙ୍କ ସଂଖା ୩ ହଜାର ୩୦୪ରେ ସ୍ଥିର ରହିଛି।
ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୬୩ ହଜାର ୯୨୯ରେ ପହଞ୍ଚିଥିଲା ବେଳେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫୬୦ ରହିଛି। ଇରାନରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ହଜାର ୪୯୫ ରହିଥିଲା ବେଳେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୨୭୫୭ ରହିଛି। ସାରା ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୫୨ ହଜାର ପାର କରିଛି।


