କୃଷି କ୍ଷେତ୍ରରେ ଲକଡାଉନକୁ ଅଧିକ କୋହଳ
ନୂଆଦିଲ୍ଲୀ : କରୋନା ମହାମାରୀ ଲାଗି ଘୋଷିତ ୨୧ ଦିନିଆ ଲକଡାଉନ ବଳବତ୍ତର ଥିବା ସତ୍ଵେ କେନ୍ଦ୍ର ସରକାର କୃଷିଭିତ୍ତିକ କ୍ଷେତ୍ରରେ କେତେକ କୋହଳ ମନୋଭାବ ପୋଷଣ କରିଛନ୍ତି । କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏଥିନେଇ ବିଜ୍ଞପ୍ତିର ଚତୁର୍ଥ ପରିଶିଷ୍ଟ ପ୍ରକାଶ ପାଇଛି । ପରିଶିଷ୍ଟ ଅନୁସାରେ କୃଷି ଯନ୍ତ୍ରପାତି, ଏହାର ସୂକ୍ଷ୍ମ ଯନ୍ତ୍ରାଂଶକୁ ନେଇ ବ୍ୟବସାୟ କରୁଥିବା ଦୋକାନ, ରାଜପଥ କଡ ତଥା ପେଟ୍ରୋଲ ପମ୍ପ ନିକଟରେ ଥିବା ଟ୍ରକ ମରାମତି ଦୋକାନଗୁଡିକ ଶସ୍ୟ ପରିବହନର ସୁବିଧା ଲାଗି ଖୋଲା ରହିବ । ଏହାବ୍ୟତୀତ ଚା ଶିଳ୍ପ ଓ ଚା ବଗିଚାଗୁଡିକ ସର୍ବାଧିକ ୫୦ ପ୍ରତିଶତ ଶ୍ରମିକଙ୍କୁ ନେଇ କାର୍ଯ୍ୟ କରିବ । କୃଷି ଓ ଆନୁସଙ୍ଗିକ କ୍ଷେତ୍ରର କୃଷକ ଓ ଶ୍ରମିକମାନେ ଅଧିକ ଲାଭାନ୍ଵିତ ହେବେ । ଉପଯୁକ୍ତ ସ୍ଵଚ୍ଛତା ଓ ସାମାଜିକ ଦୁରତ୍ଵକୁ ମାନିବାକୁ ସଂସ୍ଥାର ମାଳିକାମାନେ ବାଧ୍ୟ ବୋଲି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶଗୁଡ଼ିକୁ କଡାକଡି ପାଳନ କରାଇବା ଲାଗି ଜିଲ୍ଲା କର୍ତ୍ତୃପକ୍ଷମାନଙ୍କୁ କୁହାଯାଇଛି ।