ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଏଡ଼ିଏମ
ହିଂଜିଳିକାଟୁ, (ଶେଷଦେବ ସାହୁ): ମଙ୍ଗଳବାର ଦିନ ଗଂଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀଧର ସେଠି ହିଂଜିଳିକାଟୁ ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ହିଂଜିଳିକାଟୁ ପୌରପରିଷଦରେ ଚାଲୁ ରହିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ଶୀଘ୍ର ସମ୍ପାଦନା କରିବା ସହ ଆରମ୍ଭ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ଯଥାଶୀଘ୍ର କାର୍ଯ୍ୟାରମ୍ଭ କରିବା ସକାଶେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ମଙ୍ଗଳବାର ପୂର୍ବାହ୍ନରେ ଗଂଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀଧର ସେଠି ହିଂଜିଳି ଗ୍ରସ୍ତରେ ଆସି ସ୍ଥାନୀୟ ପୌରପରିଷଦ କାର୍ଯ୍ୟାଳୟରେ ପଂହଚିଥିଲେ । ପୌରପରିଷଦର ସମସ୍ତ କର୍ମଚାରୀଙ୍କ ସହ ଏକ ବୈଠକ କରିଥିଲେ । ପୌରାଂଚଳର ବିଭିନ୍ନ କର ବହୁଳ ମାତ୍ରାରେ ବକେୟା ରହିଥିବା ଜାଣି ଅସନ୍ତୋଷ ପ୍ରକାଶ କରିଥିଲେ । ବକେୟା କର ତୁରନ୍ତ ଆଦାୟ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଅସମ୍ପୂର୍ଣ୍ଣ ଓ ଟେଣ୍ଡର ପ୍ରକିୟା ପରେ ମଧ୍ୟ ଯେଉଁ ସବୁ କାର୍ଯ୍ୟ ଗୁଡ଼ିକ କରାଯାଇନାହିଁ ସେସବୁ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ସମସ୍ତ ମହିଳା ସମିତି ଗୃଫ ଗୁଡ଼ିକ ଠିକ୍ ଭାବେ କାର୍ଯ୍ୟକରିବା ସକାଶେ ସିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା, କନିଷ୍ଠ ଯନ୍ତ୍ରୀ ମାନଓ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ରଙ୍କ ସମେତ ପୌର ପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତଥିଲେ ।


