ଟିଆରଏସ୍ରେ ମିଶିବେ ୧୨ ବିଧାୟକ!

ଦିଲ୍ଲୀ(ଏଜେନ୍ସି): ୨ଠ୧୯ ସାଧାରଣ ନିର୍ବାଚନରେ ଜାତୀୟ ସ୍ତରରେ କଂଗ୍ରେସର ବିପର୍ଯ୍ୟୟର କାରଣ ଖୋଜିବାରେ ଦଳ ବ୍ୟସ୍ତ ରହିଥିବା ବେଳେ ଏବେ ବିଭିନ୍ନ ପ୍ରଦେଶରୁ କଂଗ୍ରେସ ନେତାମାନେ ଦଳ ଛାଡୁଥିବା ଭଳି ସମ୍ବାଦ ଆସିବାରେ ଲାଗିଛି । ବିଶେଷକରି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷମାନେ ନିଜ ପଦରୁ ଇସ୍ତଫା ଦେବା ଜାରି ରଖିଥିବା ବେଳେ ଅନ୍ୟ ନେତାମାନେ ଦଳ ଛାଡି ଅନ୍ୟ ଦଳକୁ ଚାଲିଯାଉଥିବା ଦେଖିବାକୁ ମିଳୁଛି । ମିଳିଥିବା ସଦ୍ୟ ସୂଚନାନୁସାରେ ତେଲେଙ୍ଗାନାରେ ଏବେ ୧୨ଜଣ ବିଧାୟକ ଏବେ କଂଗ୍ରେସ ଛାଡି ଶାସକ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍)ରେ ଯୋଗଦେବାକୁ ଚାହୁଁଛନ୍ତି । ସମ୍ପ୍ରତି ତେଲେଙ୍ଗାନାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୮ ରହିଥିବା ବେଳେ ସେଥିମଧ୍ୟରୁ ୧୨ଜଣ ଅର୍ଥାତ୍ ଦୁଇ ତୃତୀୟାଂଶ ବିଧାୟକ ଏବେ କଂଗ୍ରେସ ଛାଡିବା ଏବଂ ଏସମ୍ପର୍କରେ ସେମାନେ ଏକଜୁଟ୍ ହୋଇ ତେଲେଙ୍ଗାନା ବିଧାନସଭା ବାଚସ୍ପତି ପୋଚ୍ରାମ ଶ୍ରୀନିବାସଙ୍କୁ ସାକ୍ଷାତ କରିବା ସମ୍ପର୍କରେ ସମ୍ବାଦ ପ୍ରସାରିତ ହେବା ପରେ ରାଜ୍ୟ କଂଗ୍ରେସ ଏବେ ବିପଦରେ ପଡିଥିବା ନେଇ ଆଲୋଚନା ଜୋର ଧରିଛି । ଅନ୍ୟପକ୍ଷରେ ରାଜ୍ୟ କଂଗ୍ରେସ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଅର୍ଥ ଲୋଭ ଦେଖାଇ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବା କହିଛି । ପ୍ରକାଶ ଯେ, ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ମୋଟ୍ ୧୧୯ଟି ଆସନ ମଧ୍ୟରୁୂ ୮୮ଟି ଆସନ ଜିତି ଟିଆରଏସ୍ ସରକାର ଗଢିଥିଲା । କଂଗ୍ରେସ ମାତ୍ର ୧୮ଟି ଆସନରେ ବିଜୟୀ ହୋଇଥିଲା । ସେହିପରି ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ମାତ୍ର ୫୨ଟି ଆସନ ଜିତିଥିବା ବେଳେ ତେଲେଙ୍ଗାନାର ୧୭ଟି ଲୋକସଭା ଆସନରୁ ମାତ୍ର ୩ଟି ଆସନରେ ବିଜୟୀ ହୋଇଛି । ବିଜେପି କିନ୍ତୁ ଏଠାରେ ୪ଟି ଆସନ ଜିତିଥିବା ବେଳେ କେସିଆରଙ୍କ ଟିଆରଏସ୍ ୯ଟି ଆସନ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ