୭୬ ଦିନ ପରେ ଉହାନରୁ ହଟିଲା ଲକଡାଉନ
ବେଜିଂ : କରୋନା ଭାଇରସର କେନ୍ଦ୍ରସ୍ଥଳ ଉହାନ ସହର । ଚୀନର ଉହାନରୁ କରୋନା ଭାଇରସର ଉପôତ୍ତି ହୋଇଥିଲା । ତେବେ ଦୀର୍ଘ ୭୬ ଦିନ ପରେ ଉହାନରୁ ଲକଡାଉନ ହଟିଛି । ଦୀର୍ଘ ଦିନର ବନ୍ଦୀ ଜୀବନ କଟାଇବା ପରେ ଏବେ ଲୋକେ ଟିକେ ଆଶ୍ୱସ୍ତ ହୋଇଛନ୍ତି । କିନ୍ତୁ ମନରୁ ଭୟ ଯାଇନି । ହଜାର ହଜାର ଲୋକ ଆନନ୍ଦିତ ହୋଇଛି । ପୁଣି ଲକ୍ଷାଧିକ ଲୋକ ଭୟରେ ଉହାନ ସହର ଛାଡ଼ିଦେବାକୁ ପ୍ରସ୍ତୁତ ହୋଇଛନ୍ତି । ୧୧ ନିୟୁତ ଜନସଂଖ୍ୟା ରହୁଥିବା ଉହାନକୁ ଚୀନ ବିଳମ୍ବିତ ଜାନୁଆରିରେ ସିଲ କରିଦେଇଥିଲା । ଭାଇରସ ରୋକିବା ପାଇଁ ଚୀନ ପାଖରେ ଏହି ଗୋଟିଏ ହିଁ ବାଟ ଥିଲା । ଚୀନର ସମସ୍ତ ମୃତ୍ୟୁର ୮୦ ପ୍ରତିଶତ କେବଳ ଉହାନରୁ ହିଁଥିଲା । ଏଠାରେ କରୋନା ଯୋଗୁଁ ୨୫୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏବେ ଉହାନରୁ ଲଗାତାର ଅନେକ ଦିନ ଧରି ନୂଆ ମାମଲା ନଆସିବା ପରେ ଉହାନରୁ ଲକଡାଉନ ହଟାଯାଇଛି ।
ସରକାରୀ ଆକଳନ ଅନୁଯାୟୀ ଫସିଥିବା ପ୍ରାୟ ୫୫୦୦୦ ଲୋକ ପ୍ରଥମ ପର୍ଯ୍ୟାୟରେ ବୁଧବାର ଉହାନ ଛାଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି । ସକାଳେ ଉହାନର ରାସ୍ତାରେ ବସ ଏବଂ କାର ଚାଲିଥିଲା । ମଧ୍ୟ ରାତ୍ରିରୁ ଯାତ୍ରା କଟକଣା ହଟିବା ପରେ ରାସ୍ତା ଉପରେ ଥିବା ବ୍ୟାରିକେଟ ବି ହଟାଇ ଦିଆଯାଇଛି । କରୋନା ବିଶ୍ୱ ମହାମାରୀ ପାଇଁ ଉହାନକୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି ଏବଂ ଉହାନ ଜନସାଧାରଣ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ତେବେ ଉହାନରୁ ଲକଡାଉନ ହଟିଥିଲେ ବି ହେଲଙ୍ଗ ଜିଆଙ୍ଗର ଉତ୍ତର ପ୍ରଦେଶରେ ନୂଆ କରୋନା ମାମଲା ଦେଖିବାକୁ ମିଳିଛି । ଏଠାରେ ଦିନକୁ ୨୫ ରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ତେବେ ଉହାନରୁ କଟକଣା ହଟିଥିଲେ ମଧ୍ୟ ଚୀନର ଏକ ରାଷ୍ଟ୍ରୟତ୍ତ ଗଣମାଧ୍ୟମରେ କୁହାଯାଇଛି ଯେ ଲକଡାଉନ ଉଠିଯିବାର ମାନେ ନୁହେଁଯେ, ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇଦେବା । କୌଣସି ଆବଶ୍ୟକ ନଥିଲେ ଉହାନ ବାସିନ୍ଦାଙ୍କୁ ମଧ୍ୟ ସେମାନଙ୍କ ପଡୋଶୀ, ସହର ଏବଂ ଏପରିକି ପ୍ରଦେଶକୁ ଯିବା ପାଇଁ ମନା କରାଯାଇଛି । ଉହାନରୁ ଯେଉଁମାନେ ବେଜିଂ ଯିବେ ସେମାନଙ୍କର ୨ ଥର ଟେଷ୍ଟ କରାଯିବ । ଚୀନରେ ପ୍ରଥମ ଥର ପାଇଁ ବିଗତ ଦୁଇ ଦିନ ମଧ୍ୟରେ କରୋନା ଯୋଗୁଁ କୌଣସି ମୃତ୍ୟୁ ହୋଇନାହିଁ ବୋଲି ଏନଏଚସି (ଜାତୀୟ ସ୍ୱାସ୍ଥ୍ୟ କମିସନ) ପକ୍ଷରୁ କୁହାଯାଇଛି । ହୁବେଇରେ କରୋନା ଯୋଗୁଁ ୮୧,୦୦୦ରୁ ଅଧିକ ଲୋକ ଭାଇରସ ଆକ୍ରାନ୍ତ ହୋଇଛନ୍ତି ଏବଂ ୩,୩୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।


