ବାରାଣାସୀ ଭଳି କେରଳ ମଧ୍ୟ ମୋ’ର ଅତି ଆପଣାର

ଗୁରୁବାୟୁର(ଏଜେନ୍ସି): ମୋ ପାଇଁ ଉତ୍ତରପ୍ରଦେଶର ବାରଣାସୀ ଯେତିକି ଗୁରୁତ୍ୱପୂର୍ଣ୍ଣ କେରଳ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ବାରାଣସୀ ଭଳି କେରଳ ବି ମୋର ଅତି ଆପଣାର । କେରଳର ଗୁରୁବାୟୁର ସ୍ଥିତ ଶ୍ରୀକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରିବା ଉଦ୍ଦେଶ୍ୟରେ ଆସିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି କହିଛନ୍ତି । କେରଳବାସୀଙ୍କୁ ସମ୍ବୋଧିତ କରିବାକୁ ଯାଇ ମୋଦି ଏକ ନୂଆ ଭାରତର ଆହ୍ୱାନ ଦେଇଛନ୍ତି । ମୋଦି କହିଛନ୍ତି ଯେ, ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ କେରଳରେ ବିଜେପି ଗୋଟିଏ ହେଲେ ଆସନ ପାଇବାରେ ସମର୍ଥ ହୋଇନଥିଲେ ମଧ୍ୟ କେରଳ ପ୍ରତି କିମ୍ବା କେରଳବାସୀଙ୍କ ପ୍ରତି ତାଙ୍କ ମନରେ କୌଣସି ବିଦ୍ୱେଷ ନାହିଁ । ମୋଦି କହିଥିଲେ ଗୁଜରାଟର ଦ୍ୱାରିକାଧୀଶ ହୁଅନ୍ତୁ ଅବା କେରଳର ଗୁରୁବାୟୁରପ୍ପନ ସଭିଏଁ ତାଙ୍କ ନମସ୍ୟ । ସେ କେବଳ ସରକାର ଗଠନ ଲାଗି ନୁହେଁ ଦେଶର ନବୀକରଣ ପାଇଁ ମଧ୍ୟ ଆଗକୁ ପାଦ ବଢ଼ାଇଛନ୍ତି । ବର୍ଷର ୩୬୫ ଦିନ ଦେଶର ବିକାଶ ଚିନ୍ତାରେ ତାଙ୍କର ସମୟ ବିତୁଛି । ଅନ୍ତର୍ଜାତୀୟସ୍ତରରେ ଭାରତକୁ ଉପଯୁକ୍ତ ସ୍ଥାନ ଦେବା ଲକ୍ଷ୍ୟ ନେଇ ସେ ଆଗେଇ ଚାଲିଥିବା କହିଛନ୍ତି ।
୨ଠ୧୯ ସାଧାରଣ ନିର୍ବାଚନରେ ମିଳିଥିବା ଜନାଦେଶକୁ ମୋଦି ଦେଶବାସୀଙ୍କ ଆଶୀର୍ବାଦ ଭାବେ ଗ୍ରହଣ କରିଛନ୍ତି । ନକାରାତ୍ମକ ଶକ୍ତିର ବିପର୍ଯ୍ୟୟ ହୋଇଥିବାବେଳେ ସକାରାତ୍ମକ ମନୋଭାବର ବିଜୟ ହୋଇଛି ବୋଲି ମୋଦି କହିଛନ୍ତି । ଦେଶର ୧୩ଠକୋଟି ଜନତାଙ୍କ ମନ ନେଇ କାମ କରିବାକୁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ମୋଦି କହିଛନ୍ତି । କେରଳ ପ୍ରଦେଶର ବିଜେପି କର୍ମୀଙ୍କୁ ଆହ୍ୱାନ ଦେଇ ସେ କହିଛନ୍ତି, ନିର୍ବାଚନ ଶେଷ ହୋଇଯାଇଥିବାବେଳେ ଏବେ ପ୍ରତିପକ୍ଷ ଦଳୀୟ ନେତାଙ୍କୁ ସମାଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ । ବରଂ ସମସ୍ତଙ୍କ ପରାମର୍ଶକୁ ପାଥେୟ କରି ରାଜ୍ୟବାସୀଙ୍କ ହିତ ଉଦ୍ଦେଶ୍ୟରେ କାମ କରିବା ହିଁ ଦଳର ପ୍ରମୁଖ ନୀତି ହେବା ଉଚିତ୍ । ଯେଉଁମାନେ ବିଜେପିକୁ ଆଜି ଶାସନ ଗାଦିରେ ବସାଇଛନ୍ତି ଏବଂ ଯେଉଁମାନେ ବିଜେପିକୁ ଭୋଟ୍ ଦେଇନାହାନ୍ତି ସମସ୍ତଙ୍କୁ ନେଇ ଆଗକୁ ବଢିବା ଦଳର ଆଦର୍ଶ ରହିଛି । ଏ ଦିଗରେ ବିଜେପିର ସମସ୍ତ ନେତା ଓ କର୍ମୀ କାମ କରିବା ଉଚିତ୍ ।
କେରଳର ୱାଏନାଡା ଆସନରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିର୍ବାଚନ ଲଢିଥିବାବେଳେ ଆଜି ମୋଦିଙ୍କ ଏପ୍ରକାର ଗସ୍ତ ଓ ସମ୍ବୋଧନ ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି । ରାହୁଲ ଉତ୍ତରପ୍ରଦେଶର ଆମେଥି ଆସନରୁ ପରାଜିତ ହୋଇଥିବାବେଳେ କେରଳର ୱାୟନାଡା ଆସନରୁ ଜିତିଥିଲେ । ଦିନକ ପୂର୍ବେ ରାହୁଲ ୱାୟନାଡା ସଂସଦୀୟ କ୍ଷେତ୍ରକୁ ବୁଲିବାକୁ ଯାଇ ସ୍ଥାନୀୟ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ