ଆସିଲାନି ଗ୍ୟାସଗାଡି, ୪ଘଣ୍ଟା ଧରି ବସିବସି ଘରକୁ ଫେରିଲେ ହିତାଧିକାରୀ

ହାଟଡ଼ିହି (ଓ୍ବାଇଏନ୍ଏସ୍) : ବିଦ୍ୟାଧରପୁର ଠାରେ ଥିବା ଇଣ୍ଡେନ ଗ୍ୟାସ ବିତରକ ସଂସ୍ଥା ହୋମ ଡେଲିଭରି ନାମରେ ଗ୍ରାହକଙ୍କୁ ଠିକ ଭାବରେ ଗ୍ୟାସ ଯୋଗାଣ କରୁନଥିବାବେଳେ ଗ୍ରାହକ ମାନଙ୍କୁ ଆର୍ଥିକ ଷୋଶଣ କରୁଥିବା ଅଭିଯୋଗ ହୋଇଛି । ଘରକୁ ଘର ବୁଲି ଗ୍ୟାସ ଯୋଗାଇ ଦେବାପାଇଁ ବିତରକ ସଂସ୍ଥା ଗ୍ୟାସ କମ୍ପାନୀ ପାଖରୁ ଅର୍ଥ ପାଉଥିବାବେଳେ ଗ୍ରାହକ ମାନଙ୍କ ଠାରୁ ୩୫ ଲେଖାଏଁ ଅଧିକ ଆଦାୟ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାହକମାନେ । ସୁଲଣ, ଛେନାପଦି, ଶାସଙ୍ଗ, ଶିବନାରାୟଣପୁର, ଚୋରଗଡିଆ, ବଞ୍ଚୋ, କପୁଣ୍ଡି, ବଡତୀରା ପ୍ରଭୃତି ଗ୍ରାମର କିଛି ହିତାଧିକାରୀ ଇଣ୍ଡେନ ଗ୍ୟାସ ପାଇଁ ବୁକିଙ୍ଗ କରିଥିଲେ । ସେମାନଙ୍କୁ ସକାଳ ୮ଟାବେଳେ ଛେନାପଦି ଛକରୁ ନେବାପାଇଁ କୁହାଯାଇଥିଲା । ସେହି ଅନୁସାରେ ଗ୍ରାହକମାନେ ସକାଳ ୮ଟାରୁ ଆସି ଗ୍ୟାସ ପାଇଁ ଅପେକ୍ଷା କରିଥିଲେ । କିନ୍ତୁ ଦିନ ୧୨ଟା ପର୍ଯ୍ୟନ୍ତ ଗ୍ୟାସ ଗାଡି ଆସିନଥିଲା । ଗ୍ରାହକମାନେ ଅପେକ୍ଷା କରି କରି ଟେଲିଫୋନ କରିବାରୁ ଢ଼େଙ୍କା, ପୁଣି ପରେ ପରେ ସଢ଼ା ପାର ହେଉଛୁ ଆଉ ଅଳ୍ପ ସମୟରେ ପହଞ୍ଚିବ ବୋଲି କହିକହି ଗୋଟଏ ପର୍ଯ୍ୟନ୍ତ ନଆସିବାରୁ ଗ୍ରହକମାନେ ଅତିଷ୍ଠ ହୋଇ ଅର୍ଜୁନ ଚରଣ ଜେନା, ରମେଶ ଚନ୍ଦ୍ର ନାୟକ, ସନ୍ଧ୍ୟାରାଣୀ ସେଠୀ, ନରୋତ୍ତମ ରାଉତ, ସତ୍ୟଭାମା ଜେନା, ଜାନକୀ ଜେନା, ଗୋକୁଳାନନ୍ଦ ମିଶ୍ର, କବି ଚରଣ ଜେନାଙ୍କ ସମେତ ବହୁ ହିତାଧିକାରୀ ଏହାର ଦୃଢ଼ ପ୍ରତିବାଦ କରିବା ସହ ଘରକୁ ଫେରିଯାଇଥିଲେ । ଲକଡାଉନ ସମୟରେ ସେମାନଙ୍କୁ ଏପରି ହଇରାଣ କରିବା ଦ୍ୱାରା ଗ୍ରାହକମାନେ ମାନସିକ ଆଘାତ ପାଇଥିବା କହିଛନ୍ତି । ଏପରିକି ଏହି ଇଣ୍ଡେନ ବିତରକ ସଂସ୍ଥା ହୋମ ଡେଲିଭରି ନାମରେ ଗ୍ରାହକ ମାନଙ୍କ ଠାରୁ ୩୫ଟଙ୍କା ଲେଖାଏଁ ଅଧିକ ନେଉଛି ଓ ଏହାର ପ୍ରତିବାଦ କଲେ ଗ୍ୟାସ ଦେବ ନାହିଁ ବୋଲି କହି ଫେରାଇ ଦେଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଦ୍ୟାଧରପୁର ଇଣ୍ଡେନ ଗ୍ୟାସ ବିତରକ ସଂସ୍ଥାର ପରିଚାଳକ ବିଶ୍ୱଜିତ ବେହେରାଙ୍କୁ ପଚାରିବାରେ ସେ ଅଧିକ ଅର୍ଥ ନିଆଯାଉ ଥିବା ଅଭିଯୋଗକୁ ଅସ୍ୱୀକାର କରିବା ସହ ଆଜି ଗାଡିଚାଳକ ନଆସିବାରୁ ଗ୍ୟାସ ଯାଇପାରି ନଥିଲା ବୋଲି କହିଛନ୍ତିି । ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାହକମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ