ମାନ୍ୟବର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ବାଲେଶ୍ୱର ଗସ୍ତ ଏବଂ ସମୀକ୍ଷା

ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ୍) : ମାନ୍ୟବର କେନ୍ଦ୍ର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ପ୍ରାଣୀଧନ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟ ସମ୍ପଦ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଆଜି ବାଲେଶ୍ୱର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଅପରାହ୍ନରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ଏବଂ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଥର ପାଇଁ ବାଲେଶ୍ୱର ଗସ୍ତରେ ଆସିଥିବା ମାନ୍ୟବର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ତଥା ବାଲେଶ୍ୱର ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାବାସୀଙ୍କ ତର‘ରୁ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେଠାରେ ଉପସ୍ଥିତ ଥିବା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ଶିଳ୍ପାନୁଷ୍ଠାନର କର୍ମକର୍ତାମାନେ ମଧ୍ୟ ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ବିଭାଗୀୟ କାର୍ଯ୍ୟକ୍ରମ ଏବଂ ଯୋଜନାଗୁଡିକ ସମ୍ପର୍କରେ ସମୀକ୍ଷା କରିବା ସହିତ ଏ ସଂପର୍କରେ ଉପସ୍ଥିତ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବାଲେଶ୍ୱର ଜିଲ୍ଲାରେ ମତ୍ସ୍ୟ ଉତ୍ପାଦନ ବଢାଇବା ଲାଗି ଯଥେଷ୍ଟ ସମ୍ଭାବନା ଏବଂ ସୁଯୋଗ ରହିଥିବା ପରିପ୍ରେକ୍ଷୀରେ ଏ ସଂପର୍କିତ ଭିଜନ ଡକୁମେଂଟ, ବ୍ଲୁ ପ୍ରିଂଟ ,ବ୍ୟୟ ଅଟକଳ ଓ ଯୋଜନା ପ୍ରସ୍ତୁତ କରି ଉପସ୍ଥାପନ କରିବାକୁ ସେ ଜିଲ୍ଲାପାଳ ତଥା ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ଷଡଙ୍ଗୀ ମତପ୍ରକାଶ କରିଥିଲେ । ଜିଲ୍ଲାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ସାମ୍ପ୍ରତିକ ସ୍ଥିତି ସଂପର୍କରେ ଡିଆଇସି ଜିଏମ ଶ୍ରୀ ହରିହର ଜେନା ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଜିଲ୍ଲାରେ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟୋଗୀମାନଙ୍କୁ ସମସ୍ତ ପ୍ରକାର ପ୍ରୋତ୍ସାହନ ଏବଂ ସୁବିଧା ଯୋଗାଇ ଦେବା ଉପରେ ଗରୁତ୍ୱାରୋପ କରିବା ସହ ଉତ୍ପାଦିତ ସାମଗ୍ରୀର ବିପଣନ ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ଷଡଙ୍ଗୀ ପ୍ରତିଶ୍ରୁତି ଦେଇଥିଲେ । ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଜିଲ୍ଲାକୁ ସ୍ୱାବଲମ୍ବୀ କରିବା ଲାଗି ପଦକ୍ଷେପ ନିଆଯିବା ସହ ଏ ସମ୍ବନ୍ଧିତ ଶିଳ୍ପ ପ୍ରତିଷ୍ଠା ପାଇଁ ନିଷ୍ଠାପର ଉଦ୍ୟମ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ସଦର ବିଧାୟକ ଶ୍ରୀ ମଦନମୋହନ ଦତ, ମାନ୍ୟବର ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ପିଡି ଡିଆରଡିଏ ଶ୍ରୀ ତ୍ରିଲୋଚନ ପ୍ରଧାନ, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ରେମୁଣାର ପୂର୍ବତନ ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ସମେତ ବିଭାଗୀୟ ଅଧିକାରୀ, ଶିଳ୍ପ ଓ ବାଣିଜ୍ୟ ଅନୁଷ୍ଠାନର କର୍ମକର୍ତା ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ