ଫାଇଲିନ୍ ଓ ଫାନି ସହାୟତା ଦାବିକଲା ଫାଇଲିନ୍ ପ୍ରପୀଡ଼ିତ କ୍ରିୟାନୁଷ୍ଠାନ କମିଟି
ବ୍ରହ୍ମଗିରି (ଆପ୍ର): ୨୦୧୩ ଫାଇଲିନ୍ ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଦେବାପାଇଁ ସରକାର ନିଷ୍ପତ୍ତି ନେଇ ସମସ୍ତ କ୍ଷତିଗ୍ରସ୍ତ ଅଞ୍ଚଳରେ ସହାୟତା ଦେଇଥିବାବେଳେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍ ଏଥିରୁ ବାଦ୍ ପଡିଥିଲା । ବହୁ ଦାବି ଓ ଜନଆନ୍ଦୋଳନ ପରେ ସରକାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକରେ କ୍ଷତିପୂରଣ ଦେବା ପାଇଁ ସ୍ଥିର କର କିଛି ଲୋକଙ୍କୁ ନିର୍ବାଚନ ପୂର୍ବରୁ ପ୍ରଥମ କିସ୍ତି ଅର୍ଥ ଦିଆଯାଇଥିବା ବେଳେ ଅନ୍ୟମାନଙ୍କୁ ଆଜି ସୁଦ୍ଧା ମିଲିନଥିବା ଜଣାପଡିଛି । ଇତିମଧ୍ୟରେ ଗତ ମେ ୩ରେ ହୋଇଥିବା ବାତ୍ୟା ଫାନି ପୁନର୍ବାର ବ୍ରହ୍ମଗିରିର ଭୌଗୋଳିକ ସ୍ଥିତି ବଦଳାଇ ଦେଇଛି । ସେଥିରେ ହଜାର ହଜାର ଲୋକ ବାସଗୃହ ହରା ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ବକେୟା ଥିବା ଫାଇଲିନ୍ ସହାୟତା ସହିତ ଫାନି ସହାୟତା ଦେବାପାଇଁ କ୍ରିୟାନୁଷ୍ଠାନ କମିଟି ସଭାପତି ସୁରେନ୍ଦ୍ର ନାଥ ଜେନା ଓ ସଂପାଦକ ଭୀମସେନ ସ୍ୱାଇଁ ଦାବି କରିଛନ୍ତି ।


