ମାଙ୍କଡ଼ମାନଙ୍କ ପାଇଁ ଧରାପଡିଲା ୮୦୦ କିଲୋ ଗଞ୍ଜେଇ
ଟ୍ରକ୍ରେ ଲଦା ହୋଇଥିଲା ଆମ୍ବ । ଆମ୍ବକୁ ଦେଖି ଟ୍ରକ୍ ଉପରେ ଚଢ଼ିଯାଇଥିଲେ ଦଳେ ମାଙ୍କଡ । ପରିସ୍ଥିତି ଏପରି ହେଲା ଯେ, ପୁଲିସ୍କୁ ଡକାଇବାକୁ ପଡିଲା । ଆଉ ପୁଲିସ୍ ଆସିଲା ପରେ ଧରାପଡିଲା ୮୦୦ କିଲୋ ଗଞ୍ଜେଇ । ଯାହାର ମୂଲ୍ୟ ପାଖାପାଖି ୭୦ ଲକ୍ଷ ଟଙ୍କା । କୋରିଆ ସ୍ଥିତ ଚିରିମିରି ଅଞ୍ଚଳରେ ଏକ ଟ୍ରକ୍ରେ ଲଦାହୋଇଥିଲା ଆମ୍ବ । ଏହି ଆମ୍ବ ପାଇଁ ଟ୍ରକ୍ ଉପରେ ହାମଲା କରିଦେଇଥିଲେ ମାଙ୍କଡ଼ମାନେ । ମନଇଚ୍ଛା ଆମ୍ବ ଖାଇବା ଏବଂ ଫିଙ୍ଗିବାବେଳେ ହଠାତ୍ ଆମ୍ବ ବସ୍ତା ତଳେ ଅନେକ ବସ୍ତା ଥିବାର ଜଣାପଡିଥିଲା । ଆଉ ଏହି ବସ୍ତାରେ ଥିଲା ଗଞ୍ଜେଇ । ମାଙ୍କଡ଼ମାନଙ୍କର ଏହି ହମଲା ଖବର ପାଇବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା । ଆଉ ଗଞ୍ଜେଇ ଖବର ପଦାକୁ ଆସିବା ପରେ ଚମ୍ପଟ ମାରିଥିଲା ଟ୍ରକ୍ ଡ୍ରାଇଭର । ପୁଲିସ୍ ଟ୍ରକ୍ ସହ ଗଞ୍ଜେଇ ଜବତ କରିଛି । ଏହି ଟ୍ରକଟି ଆନ୍ଧ୍ରପ୍ରଦେଶର ବୋଲି ଜଣାପଡ଼ିଥିଲାବେଳେ ଏଥିରେ କିଏ କିଏ ସାମିଲ ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ ।


