ଦୁଇ ଦିନ ହେଲା ସମସ୍ତ ରିପୋର୍ଟ ନେଗେଟିଭ୍‌

ଭୁବନେଶ୍ବର: ଗତ ଦୁଇ ଦିନ ଧରି ରାଜ୍ୟବାସୀଙ୍କୁ ମିଳିଛି କୋରୋନାରୁ ଆଶ୍ବସ୍ତି। କାରଣ ଗତ ଦୁଇ ଦିନ ଧରି ଟେଷ୍ଟ୍‌ ହୋଇଥିବା ସମସ୍ତ ନମୂନା ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି। ବୁଧବାର ୧୧୯୭ ନମୂନା ଓ ଗୁରୁବାର ୮୪୩ଟି ନମୂନା ପରୀକ୍ଷା ହୋଇଥିବା ବେଳେ କୌଣସି ବ୍ୟକ୍ତି କୋରୋନାରେ ଆକ୍ରାନ୍ତ ହୋଇ ନ ଥିବା ଜଣାପଡ଼ିଛି। ଏନେଇ ସୂଚନା ଦିଆଯିବା ପରେ କୋରୋନାକୁ ନେଇ ଦେଖାଦେଇଥିବା ଭୟ ସାମାନ୍ୟ ପ୍ରଶମିତ ହୋଇଛି। ଅପରପକ୍ଷରେ ରାଜ୍ୟରେ ଚିକିତ୍ସିତ ହେଉଥିବା କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ତିନିଜଣଙ୍କୁ ବାଦ୍ ଦେଲେ ଅନ୍ୟମାନଙ୍କ ଅବସ୍ଥା ଭଲ ଅଛି ଏବଂ ସେମାନେ ଖୁବ୍‌ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ। ଇତି ମଧ୍ୟରେ ୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ୱେବ୍‌ସାଇଟ୍‌ରେ ଦିଆଯାଇଥିବା ସୂଚନା ମୁତାବକ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ହଜାର ୫ ଶହ ୭୭ଟି ଟେଷ୍ଟ କରାଯାଇଛି। ସେ ମଧ୍ୟରୁ ୭ ହଜାର ୫ ଶହ ୧୭ଟି ନମୂନା ନେଗେଟିଭ ଆସିଛି। ବର୍ତ୍ତମାନ ସୁଦ୍ଧା ୬୦ଟି ପଜିଟିଭ କେସ୍ ରାଜ୍ୟରେ ରହିଛି। ତନ୍ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୬ ଜଣଙ୍କୁ ଚିହ୍ନଟ କରାଯାଇଛି। ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୨ ଜଣ, କଟକ, ପୁରୀ, ଯାଜପୁର, କଳାହାଣ୍ଡିର ଓ ସୁନ୍ଦରଗଡ଼ରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଭଦ୍ରକରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ