ପାର୍ସଲ, ରାସନ, ମାସ୍କକୁ ବିଶୋଧିତ କରିବ କରୋନା ଓଭନ୍
ବେଙ୍ଗାଲୁରୁ: କରୋନା ଭୂତାଣୁକୁ ଘରଠାରୁ ଦୂରେଇ ରଖିବା ଲାଗି ବେଙ୍ଗାଲୁରୁର ଉଦ୍ୟୋଗପତି ପଙ୍କଜ ଶର୍ମା ଏକ ଅଭିନବ କୀଟାଣୁନାଶକ ଚ୍ୟାମ୍ବର ଉଦ୍ଭାବନ କରିଛନ୍ତି । କରୋନା ଓଭନ ନାମକ ଏହି ଚ୍ୟାମ୍ପର ଦ୍ୱାରା ସେ ବଜାରରୁ ଅଣାଯାଇଥିବା ସମସ୍ତ ସାମଗ୍ରୀ, ରାସନ, ପାର୍ସଲ ପ୍ୟାକେଟ ଏବଂ ମାସ୍କକୁ ମଧ୍ୟ ବିଶୋଧନ କରୁଛନ୍ତି । ତାଙ୍କ ପତ୍ନୀ ଓ ପୁତ୍ର ଆସ୍ଥମା ରୋଗରେ ପୀଡ଼ିତ ଥିବାରୁ ସେମାନେ କରୋନା ଭୂତାଣୁ ଦ୍ୱାରା ଶୀଘ୍ର ସଂକ୍ରମିତ ହେବାର ଆଶଙ୍କା ରହିଛି । ଏହି ଘଟଣା ହିଁ ଏଭଳି ଏକ ଚ୍ୟାମ୍ପର ପ୍ରସ୍ତୁତ କରିବାକୁ ପଙ୍କଜକୁ ପ୍ରେରଣା ଯୋଗାଉଥିଲା । ନାନୋଟେକ୍ନୋଲୋଜି କମ୍ପାନୀ ଲଗ ୯ ମାଟେରିଆଲସର ସହ ପ୍ରତିଷ୍ଠାତା ପଙ୍କଜ ପ୍ରାରମ୍ଭରେ ପ୍ଲାଷ୍ଟିକ ପ୍ୟାକେଟରେ ଉପଲବ୍ଧ ସମସ୍ତ ରାସନ ଓ ଖାଦ୍ୟ ପ୍ୟାକେଟ ଗୁଡିକ ସାବୁନ ଓ ପାଣିରେ ଧୋଇବା ପରେ ଘର ଭିତରକୁ ନେଉଥିଲେ । ଏକଦା ସେ ଏବଂ ତାଙ୍କ ବନ୍ଧୁ ଅକ୍ଷୟ ସିଂଘାଲ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ (ପିପିଇ) ର ଅଭାବ ଥିବାର ଖବର ଟେଲିଭିଜନରେ ଦେଖିଲେ । ଅନ୍ୟପଟେ ମାସ୍କର ଅଭାବ କାରଣରୁ ଡାକ୍ତରମାନଙ୍କୁ ଏକ ମାସ ପର୍ଯ୍ୟନ୍ତ ସେମାନଙ୍କ ମାସ୍କ ବ୍ୟାବହାର କରିବାକୁ କୁହାଯାଉଥିବା ଖବର ସେମାନଙ୍କୁ ଆନ୍ଦୋଳିତ କରିଥିଲା । ଏହା ପରେ ସେମାନେ ଘରକୁ ଅଣାଯାଉଥିବା ସାମଗ୍ରୀକୁ କରୋନା ମୁକ୍ତ କରିବା ତଥା ପିପିଇ ଯୋଗାଇବା ନିମନ୍ତେ ନେଇ ପ୍ରଶାସନ ଉପରେ ରହିଥିବା ଚାପ ହ୍ରାସ କରିବା ଲାଗି ଏହି କରୋନା ଓଭନ ପ୍ରସ୍ତୁତ କରିଥିଲେ । ଏହି କ୍ଷୁଦ୍ର ଏବଂ ହାଲୁକା ଯନ୍ତ୍ର ଦ୍ୱାରା କରୋନା ଭଳି ବିଭିନ୍ନ ଭୂତାଣୁ ଓ କୀଟାଣୁକୁ ନଷ୍ଟ କରାଯାଇପାରିବ । ଏଥିପାଇଁ ଚ୍ୟାମ୍ପରଟିରେ ଅତିବାଇଗଣି ରଶ୍ମୀର ପ୍ରୟୋଗ ବ୍ୟବସ୍ଥା ରହିଛି । ଏହା ମାତ୍ର ୧୦ ମିନିଟ ମଧ୍ୟରେ ଯେକୌଣସି ପ୍ରକାରର ଧାତୁ ବା ସାମଗ୍ରୀ ଉପରୁ କରୋନା ଭୂତାଣୁ ନଷ୍ଟ କରିପାରିବ । ଏନ ୯୫ ଚଷମା ଭଳି ଅନ୍ୟ ପିପିଇଗୁଡ଼ିକୁ ମଧ୍ୟ ଏହା ବିଶୋଧନ କରିପାରିବ । ଯଦ୍ୱାରା ଏହି ଏନ ୯୫ ମାସ୍କକୁ ପୁନଃ ବ୍ୟବହାର କରିବା ସମ୍ଭବ ହେବ । ମାତ୍ର ୨ ସପ୍ତାହ ମଧ୍ୟ ପ୍ରସ୍ତୁତ କରାଯାଇଥିବା ଏହି କରୋନା ଓଭନ ଲାଗି ପାଟେଣ୍ଟ ଆବେଦନ କରାଯାଇଥିବା ସିଂଘାଲ ସୂଚନା ଦେଇଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ରସାୟନରହିତ । ମାଟି, ପ୍ଲାଷ୍ଟିକ, ଧାତୁ, ଲେଦର, କପଡ଼ା ଏବଂ ନୋଟରୁ ମଧ୍ୟ ଏହା ଭୂତାଣୁ ସମାପ୍ତ କରିପାରିବ । ଥରକେ ୪୦ ରୁ ୫୦ଟି ନୋଟ୍ ବିଶୋଧିତ କରିପାରିବ । କରୋନା ଓଭନ ଦୁଇ ପ୍ରକାରର ରହିଛି । ପ୍ରଥମଟିକୁ ସାଧାରଣ ଇଲେକ୍ଟ୍ରିକ ସକେଟରେ ସଂଯୁକ୍ତ କରି ବ୍ୟବହାର କରାଯିବ । ଦ୍ୱିତୀୟଟିକୁ କୌଣସି ବ୍ୟାଟେରୀ ଦ୍ୱାରା ସଂଯୋଗ କରାଯିବ । ପ୍ଲଗ-ଇନ କରୋନା ଓଭନ ମୂଲ୍ୟ ୭,୯୯୯ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ବ୍ୟାଟେରୀ ଚାଳିତ କରୋନା ଓଭନ ପାଇଁ ୯,୯୯୯ ଟଙ୍କା ମୂଲ୍ୟ ସ୍ଥିର ହୋଇଛି ।