ଚେନ୍ନାଇ ରୁ ଓଡ଼ିଶା ଅଭିମୁଖେ ଡଙ୍ଗା ମାଧ୍ୟମରେ ସମୁଦ୍ର କୂଳରେ ପହଞ୍ଚି ଲେ ୩୮ ଜଣ ଯୁବକ
ଚିକିଟି,(କୁରେସୁ ସାହୁ):ସୂଚନା ଅନୁସାରେ ଚେନ୍ନାଇସ୍ଥିତ ବିଭିନ୍ନ କାରଖାନା ଓ ଘରୋଇ ଅନୁଷ୍ଠାନରେ କାର୍ଯ୍ୟରତ ୩୮ ଜଣ ଯୁବକ ଗତ ୨୦ ତାରିଖ ରାତି ଏକ ମାଛଧରା ଡଙ୍ଗାକୁ ୨ ଲକ୍ଷ ଟଙ୍କାରେ କିଣିଥିଲେ ।ଏହି ଡଙ୍ଗାରେ ସେମାନେ ଚେନ୍ନାଇରୁ ଓଡ଼ିଶା ଅଭିମୁଖେ ବାହାରିଥିଲେ । ଟିମରେ ଥିବା ଯୁବକମାନେ ବଙ୍ଗୋପ ସାଗରରେ ଡଙ୍ଗା ମାଧ୍ୟମରେ ଯାତ୍ରା ଆରମ୍ଭ କରିଥିଲେ । ଡଙ୍ଗାରେ ଖାଦ୍ୟ ପ୍ରସ୍ତୁତି ପାଇଁ ଗ୍ୟାସ, ହଣ୍ଡା, ଡେକଚି, ବାଲଟି, ଖାଦ୍ୟ ସାମଗ୍ରୀ, ପାଣି ଡ୍ରମ ନେଇ ଆସିଥିଲେ ।ଆଜି ସନ୍ଧ୍ୟା ୬ଟାରେ ଗଂଜାମ ଜିଲ୍ଲାର ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ପଞ୍ଚାୟତର ପାତି ସୁନାପୁର ସମୁଦ୍ର କୂଳରେ ପହଞ୍ଚି ଥିଲେ । ଏମାନଙ୍କ ମଧ୍ୟରୁ ୨୪ ଜଣ ଯୁବକ ପାତିସୁନାପୁର ଗାଁର ହୋଇଥିବା ବେଳେ ଏକସିଙ୍ଗି ଗ୍ରାମପଞ୍ଚାୟତର ୩ ଜଣ, ଗୋପାଳପୁର ଅଞ୍ଚଳର ୨ ଜଣ ଯୁବକ ଏବଂ ବାକି ସବୁ ଆନ୍ଧ୍ରପ୍ରଦେଶର ଯୁବକ ଥିଲେ ।ଚେନ୍ନାଇ ଫେରନ୍ତା ଏହି ସମସ୍ତ ଯୁବକଙ୍କୁ ସୁନାପୁର ମେରାଇନ ପୁଲିସ ଥାନା ଅଧିକାରୀ ଗୌରାଙ୍ଗ ଚରଣ ସାହୁ, ଚିକିଟି ତହସିଲଦାର ହର ପ୍ରସାଦ ଭୋଇ, ବିଡିଓ ଫାଲଗୁନୀ ମାଝି, ସୁନାପୁର ପଞ୍ଚାୟତର ସରପଞ୍ଚ ମଞ୍ଜୁଳା ବେହେରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୋକନାଥ ପତିଙ୍କ ଉପସ୍ଥିତିରେ ପାତିସୁନାପୁର ହାଇସ୍କୁଲରେ କରାଯାଇଥିବା ସଂଗରୋଧରେ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।


