ଅଙ୍ଗନବାଡ଼ିର ସୁଦୃଢ଼ୀକରଣ ସହ ମା’ ଓ ଶିଶୁଙ୍କ ପୁଷ୍ଟି ଉପରେ ଗୁରୁତ୍ୱ

କଟକ, (ଓ୍ବାଇଏନଏସ): ମା’ ଓ ଶିଶୁଙ୍କ ସୁସ୍ଥ ଜୀବନ, ଉତ୍ତମ ପୁଷ୍ଟିସାଧନ ଏବଂ ଶିଶୁଙ୍କ ପ୍ରାରମ୍ଭିକ ବିକାଶକୁ ଗୁରୁତ୍ୱ ଦେଇ କଟକରେ ଜିଲ୍ଲାସ୍ତରୀୟ ନବମ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି। ‘ଆମ ଅଙ୍ଗନବାଡ଼ି, ଆମ ଦାୟିତ୍ୱ’ ବାର୍ତ୍ତାକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ସୁଦୃଢ଼ୀକରଣ ସହ ପରିବାରସ୍ତରରେ ସୁସ୍ଥ ଖାଦ୍ୟାଭ୍ୟାସ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଶିଶୁଙ୍କ ଶାରୀରିକ ବିକାଶ ସହ ମାନସିକ ସୁସ୍ଥତା ଏବଂ ମସ୍ତିଷ୍କର ପ୍ରାରମ୍ଭିକ ବିକାଶ ପାଇଁ ପୁଷ୍ଟିକର ଖାଦ୍ୟ ଓ ଉପଯୁକ୍ତ ଯତ୍ନର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା। ଶିଶୁଙ୍କ ଉତ୍ତମ ପୋଷଣ, ଯତ୍ନ ଓ ପ୍ରାରମ୍ଭିକ ଶିକ୍ଷା କ୍ଷେତ୍ରରେ ଅଙ୍ଗନବାଡ଼ି କେନ୍ଦ୍ରର ଭୂମିକାକୁ ଅଧିକ ପ୍ରଭାବଶାଳୀ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଥିଲା। କାର୍ଯ୍ୟକ୍ରମରେ ଆୟୋଜିତ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ ମାଧ୍ୟମରେ ସ୍ଥାନୀୟ ଖାଦ୍ୟ ସାମଗ୍ରୀକୁ ବ୍ୟବହାର କରି ସ୍ୱାସ୍ଥ୍ୟକର ଓ ପୁଷ୍ଟିସମୃଦ୍ଧ ଖାଦ୍ୟ ପ୍ରସ୍ତୁତି ସମ୍ପର୍କରେ ସଚେତନ କରାଯାଇଥିଲା। ଏଥିସହ ପରିବାରରେ ସନ୍ତୁଳିତ ଖାଦ୍ୟାଭ୍ୟାସର ଗୁରୁତ୍ୱ ଏବଂ ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ଉପଯୁକ୍ତ ପୋଷଣର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (ପିଏମ୍‌ଏମ୍‌ଭିୱାଇ) ଅଧୀନରେ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ମିଳୁଥିବା ଆର୍ଥିକ ସହାୟତା, ମାତୃ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ନବଜାତ ଶିଶୁଙ୍କ ପୁଷ୍ଟିସାଧନ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଯାଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଏବଂ କଟକ ଶିଶୁ ଭବନର ପୁଷ୍ଟି ପରାମର୍ଶଦାତା ଡାକ୍ତର ଲୀଳା ଲଲନ୍ତିକା ଦେବୀ ମା’ ଓ ଶିଶୁଙ୍କ ପୁଷ୍ଟି ଏବଂ ସ୍ୱାସ୍ଥ୍ୟର ବିଭିନ୍ନ ଦିଗ ଉପରେ ମତ ରଖିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିନୋଦିନୀ ବେହେରାଙ୍କ ସମେତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ବ୍ଲକ୍‌ ପ୍ରୋଗ୍ରାମ୍‌ ସଂଯୋଜକ, ଅଙ୍ଗନବାଡ଼ି କର୍ମୀ ଓ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ