ପରୀକ୍ଷା ପାଇଁ ପ୍ରସ୍ତୁତ ରୁହ: ଅରୁଣ

ଭୁବନେଶ୍ୱର: କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । କରୋନା ଲକଡାଉନ ପାଇଁ ସ୍କୁଲ ଓ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିବାବେଳେ ପୂର୍ବରୁ ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।
ଜୁନ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ହେବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଏଥିସହ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ ରହିବାକୁ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ, ଲକଡାଉନକୁ ଛାତ୍ରଛାତ୍ରୀ ସୁଯୋଗଭାବେ ଗ୍ରହଣ କରନ୍ତୁ । ୟୁଜିସିର ଗାଇଡଲାଇନ ନେଇ ଶ୍ରୀ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏନେଇ ତର୍ଜମା ହେବ, ଓଡ଼ିଶା ପରିପ୍ରେକ୍ଷୀରେ ଯାହା ଠିକ ଆମେ କରିବୁ । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯିବ ବୋଲି ସେ କହିଛନ୍ତି ।
ପ୍ରକାଶ ଯେ, କରୋନା ଯୋଗୁଁ ଚଳିତ ବର୍ଷ ଉଚ୍ଚଶିକ୍ଷା କ୍ଷେତ୍ରରେ ନୀତିନିର୍ଘଣ୍ଟ ବଦଳିଛି। ଏ ନେଇ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ସହ ଶିକ୍ଷାବର୍ଷ କାର୍ୟ୍ୟସୂଚୀ, ପରୀକ୍ଷା ଇତ୍ୟାଦି ସମ୍ପର୍କିତ ମାର୍ଗଦର୍ଶିକା ପ୍ରକାଶ ପାଇଛି। ଯେଉଁ ରାଜ୍ୟରେ କରୋନାର ପ୍ରାଦୁର୍ଭାବ ହ୍ରାସ ପାଇଛି, ସେଠାରେ ଜୁଲାଇରୁ ପରୀକ୍ଷା ଆରମ୍ଭ ହୋଇପାରିବ ବୋଲି ଏଥିରେ କୁହାଯାଇଛି। ତା’ଛଡ଼ା ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ତଥା ପରୀକ୍ଷା ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ପ୍ରତି ବିଶ୍ବବିଦ୍ୟାଳୟରେ ଏକ ‘କରୋନା ପ୍ରକୋଷ୍ଠ’ ଖୋଲାଯିବ ଓ ଏହି ପ୍ରକୋଷ୍ଠ ସମସ୍ତ ନିଷ୍ପତ୍ତି ଗ୍ରହଣ କରିବା ପାଇଁ କ୍ଷମତାପନ୍ନ ହେବ। ୟୁଜିସିରେ ମଧ୍ୟ ସମାନ ପ୍ରକୋଷ୍ଠ କାର୍ୟ୍ୟ କରିବ।
ମାର୍ଗଦର୍ଶିକା ଅନୁସାରେ ଚଳିତ ବର୍ଷ ଅଗଷ୍ଠ ୧ରୁ ମହାବିଦ୍ୟାଳୟ ଖୋଲିବ ଓ ସେବେଠାରୁ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇ ୩୧ରେ ଶେଷ ହେବ। ଦ୍ବିତୀୟ ଓ ତୃତୀୟ ବର୍ଷ ପାଠପଢ଼ା ଏହି ତାରିଖରୁ ଆରମ୍ଭ ହେବ; କିନ୍ତୁ ନୂଆ ପ୍ରଥମ ବାର୍ଷିକ ପାଠପଢ଼ା ସେପ୍ଟେମ୍ବର ୧ରୁ ଆରମ୍ଭ ହେବ। ଇଣ୍ଟରମିଡିଏଟ୍‌ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବ ବା ବର୍ତ୍ତମାନର ସେମିଷ୍ଟର ପରୀକ୍ଷା ଫଳ ଆଧାରରେ ଅନ୍ତରୀଣ ମୂଲ୍ୟାୟନ ବ୍ୟବସ୍ଥା ଅନୁଯାୟୀ ଗ୍ରେଡ୍‌ ବ୍ୟବସ୍ଥା କରାଯିବ। ପରିସ୍ଥିତି ଦେଖି ଟର୍ମିନାଲ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଜୁଲାଇରେ କରାଯାଇପାରିବ। ଏମ୍‌.ଫିଲ୍‌, ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ୬ମାସ ସମୟ ଦିଆଯିବା ସହ ଭିଡିଓ କନ୍‌ଫରେନ୍ସରେ ମୌଖିକ ପରୀକ୍ଷା କରାଇବାକୁ ଅନମତି ଦିଆଯାଇଛି। କୌଣସି ବିଷୟର ପ୍ରାକ୍ଟିକାଲ ପରୀକ୍ଷା ମଧ୍ୟ ଭିଡିଓ କନ୍‌ଫରେନ୍ସ ବା ସ୍କାଏପି ମାଧ୍ୟମରେ କରାଯାଇପାରିବ। ପରୀକ୍ଷାକୁ ଅଧିକ ସରଳ କରିବା ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚାହିଁଲେ ପଦକ୍ଷେପ ନେଇପାରିବେ। ପରୀକ୍ଷା ଅବଧି ୩ଘଣ୍ଟା ବଦଳରେ ୨ଘଣ୍ଟା କରାଯାଇପାରିବ। ଅନ୍‌ଲାଇନ୍‌ରେ ପାଠପଢ଼ା ଚାଲୁରହିବ। ପ୍ରୋଜେକ୍ଟ କାର୍ୟ୍ୟ ଜୁନ ୧ରୁ ଜୁନ ୧୫ ମଧ୍ୟରେ ସମ୍ପନ୍ନ ହେବ। ଚଳିତ ବର୍ଷ ଜୁନ ୧୬ରୁ ୩୦ ପର୍ୟ୍ୟନ୍ତ ଗ୍ରୀଷ୍ମାବକାଶ ହେବ। ଜୁଲାଇ ୧ରୁ ୩୧ ମଧ୍ୟରେ ଟର୍ମିନାଲ ଓ ଇଣ୍ଟରମିଡିଏଟ ସେମିଷ୍ଟର ପରୀକ୍ଷା ହେବ। ଅଗଷ୍ଟ ୧୪ ସୁଦ୍ଧା ସମସ୍ତ ପରୀକ୍ଷା ଫଳ ପ୍ରକାଶ ପାଇବ। ସେହିପରି ପରବର୍ତ୍ତୀ ଶିକ୍ଷା ବର୍ଷ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ବାର୍ଷିକ ଛାତ୍ରଙ୍କ ପାଇଁ ୨୦୨୧ ଅଗଷ୍ଟ ୧ ଓ ନୂଆ ଛାତ୍ରଙ୍କ ପାଇଁ ସେପ୍ଟେମ୍ବର ୧ରୁ ଆରମ୍ଭ ହେବ। ୨୦୨୧ ବର୍ଷର ପ୍ରଥମ ସେମିଷ୍ଟର ପରୀକ୍ଷା ୨୦୨୧ ଜାନୁଆରୀ ୧ରୁ ୨୫ ମଧ୍ୟରେ ଆୟୋଜନ ହେବ। ୨୦୨୧ ମଇ ୨୬ରୁ ପରୀକ୍ଷା ଆରମ୍ଭ ହୋଇ ଜୁନ ୨୫ରେ ଶେଷ ହେବ। ସେହିପରି ଜୁଲାଇ ୧ରୁ ୩୦ ମଧ୍ୟରେ ଗ୍ରୀଷ୍ମାବକାଶ ହେବ।
ଏହି ନୂଆ କାର୍ୟ୍ୟସୂଚୀକୁ ୟୁଜିସି ଦ୍ବାରା ଗଠିତ ସ୍ବତନ୍ତ୍ର କମିଟି ଅନୁମୋଦନ କରିଛନ୍ତି। କରୋନା ସଂକ୍ରମଣ ଓ ତତ୍‌ଜନିତ ତାଲାବନ୍ଦ ପରିପ୍ରେକ୍ଷୀରେ ପରୀକ୍ଷା ପରିଚାଳନା ଓ ପାଠପଢା ଆଦି ସମ୍ପର୍କରେ ଅନୁଧ୍ୟାନ କରିବାକୁ ୟୁଜିସି ପକ୍ଷରୁ ଏପ୍ରିଲ ୬ରେ ୨ଟି କମିଟି ଗଠନ କରାଯାଇଥିଲା। ହରିୟାଣା ବିଶ୍ୱବିଦ୍ୟାଳୟ କୁଳପତି ଆରସି କୁଲାଢଙ୍କ ଅଧ୍ୟକ୍ଷତାରେ ପ୍ରଥମ କମିଟି ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ କୁଳପତି ନାଗେଶ୍ୱର ରାଓଙ୍କ ନେତୃତ୍ବରେ ଦ୍ବିତୀୟ କମିଟି ଗଠିତ ହୋଇଥିଲା। କରୋନା ଯୋଗୁଁ ମାର୍ଚ୍ଚ ୨୫ରୁ ସମସ୍ତ ବିଶ୍ବବିଦ୍ୟାଳୟସ୍ତରୀୟ ପରୀକ୍ଷା ଓ ଅଧ୍ୟୟନ ବନ୍ଦ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ