୭ଦିନ ବ୍ୟାପୀ ରାଜ୍ୟସାରା ବିଜେପି କରିବ ବିଜୟ ସଂକଳ୍ପ ସଭା ଉତ୍ତର ଓଡିଶାରେ ହେବ ୧୦୦୦ରୁ ଉଦ୍ଧ୍ୱର୍ ପଥପ୍ରାନ୍ତ ସଭା
ବାଲେଶ୍ୱର : ଦୁଇଟି ନିର୍ଣ୍ଣାୟକ ମୁଦ୍ଧାକୁ ନେଇ ଭାରତୀୟ ଜନତା ପାର୍ଟି ଏହି କାର୍ଯ୍ୟକ୍ରମରେ ଓଡିଶାରେ ପ୍ରଦେଶର ସାଢେ ୪ କୋଟି ସାଧାରଣ ଲୋକଙ୍କ ପାଖରେ ପହଚିଂବ । କେନ୍ଦ୍ରରେ ଆଉ ଥରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ କ୍ଷମତାକୁ ଆଣିବା ଓ ଓଡିଶାକୁ ଦୀର୍ଘ ୧୯ ବର୍ଷ ଧରି ଶାସନ କରୁଥିବା ଏକ ଅପାରଗ ଏବଂ ସ୍ଥାଣୁ ସରକାରକୁ କ୍ଷମତାରୁ ଗାଦିଚ୍ୟୁତ କରିବା ପାଇଁ ଦୃଢ ସଙ୍କଳ୍ପ ଗୃହିତ ହୋଇଛି । ଏହି ଲକ୍ଷ୍ୟରେ ଆଗାମୀ ୧୦ ତାରିଖଠାରୁ ୭ ଦିନ ଧରି ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନ କ୍ଷେତ୍ରରେ ବିଜୟ ସଂକଳ୍ପ ବୈଠକ ହେବ । ସମସ୍ତ ଦେଶବାସୀ ଜାଣିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୫ ବର୍ଷ ଶାସନ କାଳରେ ଭାରତ ବର୍ଷକୁ ଏକ ବିଶ୍ୱଗୁରୁର ମାନ୍ୟତା ଦେବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ଏବଂ ସେଥିରେ ସଫଳ ମଧ୍ୟ ହୋଇଛନ୍ତି । ଆଜି ସମଗ୍ର ବିଶ୍ୱ ଆଗରେ ଭାରର ଏକ ଅର୍ଥନୈତିକ ଶକ୍ତିରେ ଉଭା ହୋଇଛୁ । ଅର୍ଥନୈତିକ ବିକାଶ ହୋଇ ଜିଡିପିରେ ବୃଦ୍ଧି ହୋଇଛି । ଅର୍ଥନିତିର ପ୍ରତିଟି କ୍ଷେତ୍ରରେ ଭାରତବର୍ଷ ଉଲ୍ଲେଖନୀୟ ପ୍ରଗତି କରିଛି । ଭାରତବର୍ଷ ଆଗାମୀ ୫ ବର୍ଷ ଭିତରେ ବିଶ୍ୱର ତୃତୀୟ ବୃହତ ଅର୍ଥନୈତିକ ବ୍ୟବସ୍ଥା ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ଦିଗରେ ଆଗେଇଛନ୍ତି । ଭାରତକୁ ମେକ୍ ଇନ୍ ଇଣ୍ଡିଆ ଯୋଜନାରେ ସାଧାରଣ ଗରିବ ଘରର ପୁଅ ଓ ଝିଅମାନଙ୍କୁ ଚାକିରି ପାଇବା ପ୍ରକ୍ରିୟା, ଫରେନ୍ ଡାଇରେକ୍ଟ ଇନ୍ଭେଷ୍ଟମେଟଂ ପ୍ରକ୍ରିୟା ଆରମ୍ଭ କରିଥିଲେ ଏବଂ ସଫଳ ମଧ୍ୟ ହୋଇଛନ୍ତି । ଭାରତବର୍ଷ ଗରିବ ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଘରେ ଘରେ ସ୍ୱଚ୍ଛ ଇନ୍ଧନ ଉଜ୍ଜଳା ଗ୍ୟାସ ଯୋଜନା, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, କୃଷକ ସମ୍ମାନ ନିଧି ଯୋଜନା, ଶ୍ରମିକମାନଙ୍କ ପାଇଁ ମନଧନ ଯୋଜନା, ପ୍ରତିଟି ଘରେ ଘରେ ବିଜୁଳି ପହଚିଂବା ପାଇଁ ସୌଭାଗ୍ୟ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା ଭଳି ଅନେକ ଯୋଜନା ଆରମ୍ଭ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହାକୁ ୫ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରି ଗରିବ ଲୋକମାନଙ୍କ ଘରେ ବିକାଶ ଆଣିଛନ୍ତି । ମାତ୍ର ୬୦ ମାସ ଶାସନ ଭିତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭାରତବର୍ଷକୁ ଏକ ନିର୍ଦ୍ଧିଷ୍ଟ ବିକାଶ ରାସ୍ତାରେ ଚଲାଇବା ସହ ଆତଙ୍କବାଦୀମାନଙ୍କୁ ଯେଉଁଭଳି ଭାବେ ଶତ୍ରୁ ରାଷ୍ଟ୍ରର ଭିତରେ ପଶି ଆକ୍ରମଣ କରି ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ତାହା ଦେଶର ଶକ୍ତିକୁ ସମଗ୍ର ବିଶ୍ୱରେ ପ୍ରତିଷ୍ଠିତ କରିଛି । ପ୍ରଧାନମନ୍ତ୍ରୀ ମୋଦି ଓଡିଶାକୁ ବିଭିନ୍ନ ଯୋଜନା ମାଧ୍ୟମରେ ବ୍ୟାପକ ଅର୍ଥବରାଦ କରିଛନ୍ତି । କିନ୍ତୁ ଏଠାରେ ସ୍ଥାଣୁ ସରକାର ଲକ୍ଷ କୋଟିରୁ ଅଧିକ ଅର୍ଥ ଏପର୍ଯ୍ୟନ୍ତ ବିନିଯୋଗ କରି ପାରୁନାହାନ୍ତି । ଚିଟ୍ଫଣ୍ଡ ଆରମ୍ଭ କରି ଡାଲି ପର୍ଯ୍ୟନ୍ତ ଦୁର୍ନୀତି ବୁଡି ରହିଥିବା ବେଳେ ଏହି ସରକାର ବ୍ଲକରୁ ସଚ୍ଚିବାଳୟ ପର୍ଯ୍ୟନ୍ତ ଭ୍ରଷ୍ଟାଚାର ପଙ୍କ ଭିତରେ ପୋତି ହୋଇରହିଛି । ଓଡିଶାର ଯୁବକମାନଙ୍କୁ ଚାକିରି ମିଳୁନି, ମହିଳାଙ୍କୁ ସୁରକ୍ଷା ମିଳୁନି, ଓଡିଶାର ଚାଷୀମାନଙ୍କୁ ସହାୟତା ମିଳୁନଥିବାରୁ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି । କେବଳ ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ନବୀନ ସରକାର । ଓଡିଶାର ଶ୍ରମିକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କର କୌଣସି ସମବେଦନା ନାହିଁ । ଏହି ସରକାର ଶାସନ ଗାଦିରୁ ବିଦା ହେବାର ସମୟ ଆସିଛି । ଉଭୟ ରାଜ୍ୟରେ ଏବଂ କେନ୍ଦ୍ରରେ ଯଦି ବିଜେପି ସରକାର ଗଠିତ ହେବ ତାହା ହେଲେ ଯାଇ ଓଡିଶାରେ ଡବଲ ଇଂଜିନରେ ବିକାଶ ହେବ ବୋଲି ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ମିହିର ପାଣି ଓ ଜିଲ୍ଲା ମିଡିଆ ସଂଯୋଜକ ଗୌରାଙ୍ଗ ଦାସ ଏକ ମିଳିତ ବିବୃତିରେ ପ୍ରକାଶ କରିଛନ୍ତି ।