ଲାଗୁ ହେବ ଲକଡାଉନ ୪.୦, ଆସିବ ଏକ ନୂଆ ରୂପରେ ନୂଆ ରଂଗରେ
ନୂଆଦିଲ୍ଲୀ : ଦେଶରେ ଖୁବ ଶିଘ୍ର ଲାଗୁ ହେବ ଲକଡାଉନ ୪.୦। ଏହି କଥା ସିଧା ଘୋଷଣା କରି ନ ଥିଲେ ମଧ୍ୟ ପରୋକ୍ଷରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କର କହିବା କଥା ହେଲା ଯେ, ଏହି ଲକଡାଉନ ୪.୦ ଏକ ନୂଆ ରୂପରେ ନୂଆ ରଂଗରେ ଆସିବ। ତେବେ ସେ ସଂପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା ମଧ୍ୟ କରାଯାଇଛି। ତେବେ ଲକଡାଉନ ୪.୦ ସଂପର୍କରେ ମେ ୧୮ ତାରିଖ ପୂର୍ବରୁ ଘୋଷଣା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ସମାଜର ସବୁବର୍ଗର ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ୟାକେଜର ପରିକଳ୍ପନା କରାଯାଇଛି । ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ପାଇଁ ଏହି ପ୍ୟାକେଜ ଅଭିପ୍ରେତ ବୋଲି ମୋଦି କହିଛନ୍ତି । ମୋଦି କହିଲେଯେ, ସାରା ବିଶ୍ୱ କରୋନା ବିରୋଧରେ ଲଢେଇ କରୁଛି । ସେ କେବେ ଏମିତି ସଙ୍କଟ ଦେଖିନଥିଲେ କି ଶୁଣି ନଥିଲେ । ତେବେ ଭାରତ ବର୍ଷ ଏହି ବିପଦକୁ ସୁଯୋଗରେ ପରିଣତ କରିପାରିଛି । ଦୁନିଆର ଛବି ବଦଳାଇବାର ସାମର୍ଥ୍ୟ ଭାରତର ଅଛି । ଏକଦା ଭାରତ ଥିଲା ସୁନାର ଚଢେଇ ! ଭାରତବାସୀଙ୍କର ସାଧନା, ସାମର୍ଥ୍ୟ ଓ ପ୍ରତିଭା ଅଛି । ତେବେ ଆର୍ଥିକ ପ୍ୟାକେଜ ନେଇ ଅର୍ଥ ମନ୍ତ୍ରୀ ସବିଶେଷ ସୂଚନା ପ୍ରଦାନ କରିବେ । ପୂର୍ବର ପ୍ୟାକେଜ ଓ ଆର୍ଥିକ ପ୍ୟାକେଜକୁ ମିଶାଇଲେ ୨୦ ଲକ୍ଷ କୋଟି ଟଙ୍କା ହେବ ବୋଲି ମୋଦି କହିଛନ୍ତି ।


